ଓଡ଼ିଶାରେ ଅତ୍ୟାଧୁନିକ କୃଷକ ଦକ୍ଷତା ଓ କୃଷି-ଇନ୍କ୍ୟୁବେସନ୍ କେନ୍ଦ୍ର (FSAIC) ପ୍ରତିଷ୍ଠା ପାଇଁ ଯୋଜନା ।

0 292

ଭୁବନେଶ୍ୱର,୦୮/୦୧(ପିପିଟି):ରାଜ୍ୟର ପ୍ରାଥମିକ କ୍ଷେତ୍ରକୁ ଆଧୁନିକୀକରଣ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ,ଓଡ଼ିଶା ସରକାର କୃଷକ ଦକ୍ଷତା ଓ କୃଷି-ଇନ୍କ୍ୟୁବେସନ୍ କେନ୍ଦ୍ର (FSAIC) ତିଆରି ପାଇଁ ରୋଡମ୍ୟାପ୍ ଚୂଡ଼ାନ୍ତ କରିଛନ୍ତି। ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହୋଇଥିବା ଏହି ପ୍ରକଳ୍ପର ଲକ୍ଷ୍ୟ ହେଉଛି ଭବିଷ୍ୟତ କୃଷି କ୍ଷେତ୍ରରେ ଓଡ଼ିଶାକୁ ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବା।

ନବସୃଜନ ମାଧ୍ୟମରେ ଚାଷୀଙ୍କୁ ସଶକ୍ତ କରିବା ସହିତ ସେମାନଙ୍କ ଦକ୍ଷତା ବୃଦ୍ଧି କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଛି। ବୈଠକ ସମୟରେ, ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ଗୁରୁତ୍ୱାରୋପ କରିଥିଲେ ଯେ ପ୍ରକଳ୍ପର ମୂଳ ଲକ୍ଷ୍ୟ ହେଉଛି ପାରମ୍ପରିକ କୃଷି ସହିତ ଆଧୁନିକ ପରିପନ୍ଥୀକୁ ଆପଣେଇ ଚାଷୀଙ୍କ ଦକ୍ଷତା ବୃଦ୍ଧି କରିବା।

ଏହି ଦକ୍ଷତା କେନ୍ଦ୍ର ଚାରୋଟି ସ୍ୱତନ୍ତ୍ର ମଡ୍ୟୁଲ୍ ମାଧ୍ୟମରେ କାର୍ଯ୍ୟ କରିବ। ଯଥା, କୃଷି-ଉଦ୍ୟୋଗୀ ବିକାଶ- କୃଷି କ୍ଷେତ୍ରରେ ନୂତନ ବ୍ୟବସାୟ ଚାଷ କରିବା, ଚାଷୀ ଦକ୍ଷତା ଏବଂ ତାଲିମ- ଆଧୁନିକ କୌଶଳର ବ୍ୟବହାରିକ ଶିକ୍ଷା। ପ୍ରଯୁକ୍ତିବିଦ୍ୟା ପ୍ରଦର୍ଶନ- “ଆଗ୍ରୋ-ଟେକ୍”ରେ ସର୍ବଶେଷ ଉନ୍ନତି ପ୍ରଦର୍ଶନ ଏବଂ ମୂଲ୍ୟଯୁକ୍ତ ସେବା ଯଥା ଉତ୍ପାଦର ବଜାରୀକରଣ ବୃଦ୍ଧି ଇତ୍ୟାଦି।

ଏହାର ପ୍ରାଥମିକ ଉଦ୍ଦେଶ୍ୟ ହେଉଛି ଦକ୍ଷତା ବିକାଶ। ଏହାଦ୍ୱାରା ଆମେ ଆମର ଚାଷୀମାନଙ୍କୁ ଆଧୁନିକ କୌଶଳରେ ତାଲିମ ଦେଇ, ସେମାନଙ୍କୁ ଆର୍ଥିକ ରୂପେ ସଶକ୍ତ କରି ଏବଂ ବଜାର ସଂଯୋଗ ପ୍ରଦାନ କରି, ଗ୍ରାମୀଣ ଓଡ଼ିଶା ପାଇଁ ଦୀର୍ଘକାଳୀନ ଲାଭ ଓ ଆର୍ଥିକ ସ୍ଥିରତା ସୁନିଶ୍ଚିତ କରିପାରିବୁ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ କହିଛନ୍ତି।

ଅତିରିକ୍ତ ମୁଖ୍ୟ ସଚିବ ଡ ଅରବିନ୍ଦ କୁମାର ପାଢୀ କହିଛନ୍ତି ଯେ, କୃଷି ଦକ୍ଷତା ବିକାଶ କେନ୍ଦ୍ର ଅତ୍ୟାଧୁନିକ ବ୍ୟବସ୍ଥାକୁ ଏକୀକୃତ କରିବ ଯେଉଁଥିରେ, ସଠିକ କୃଷି- ଫସଲ ପରିଚାଳନା ପାଇଁ ଇଣ୍ଟରନେଟ -ଚାଳିତ ତଥ୍ୟ, କୃଷି ଫଟୋଭୋଲ୍ଟାଇକ୍ସ- ସୌର ଶକ୍ତି ଏବଂ ଚାଷ ପାଇଁ ଭୂମିର ଦ୍ୱୈତ ବ୍ୟବହାର, ଉନ୍ନତ ପରୀକ୍ଷାଗାର ସୁବିଧା- ଟିସୁ କଲଚର, ପ୍ରୟୋଗାଗାର ଓ ପୁନଃ ସଞ୍ଚାଳନ ଜଳକୃଷି ପ୍ରଣାଳୀ ଆଦି ଅନ୍ତର୍ଭୁକ୍ତ ରହିଛି । ଏଥିସହ ସ୍ଥାୟୀ ଲଜିଷ୍ଟିକ୍ସ- ନବୀକରଣୀୟ ଶକ୍ତି-ଚାଳିତ ଶୀତଳ ଭଣ୍ଡାର ଏବଂ ପ୍ରାଥମିକ ପ୍ରକ୍ରିୟାକରଣ କେନ୍ଦ୍ର ମଧ୍ୟ ରହିବ ।

ଏଥି ନିମନ୍ତେ ସରକାର ଦୁଇଟି ସମ୍ଭାବ୍ୟ ସ୍ଥାନ HTI ନିଲଡୁଙ୍ଗୁରି ଓ ଡେରାସ ଉଦ୍ୟାନ କୃଷି ଫାର୍ମରେ ବିସ୍ତୃତ ବୈଷୟିକ ଓ ଆର୍ଥିକ ସମ୍ଭାବ୍ୟତା ସମ୍ବନ୍ଧରେ ଅଧ୍ୟୟନ କରିସାରିଛନ୍ତି। ଅଧ୍ୟୟନ ଅନୁଯାୟୀ ପୁଞ୍ଜି ନିବେଶ ଏବଂ ପରିଚାଳନା ଓ ରକ୍ଷଣାବେକ୍ଷଣ ପାଇଁ ସରକାରଙ୍କ ପକ୍ଷରୁ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଂ (VGF) ସହାୟତା ସହିତ ପ୍ରକଳ୍ପଟି ଅତ୍ୟନ୍ତ ସମ୍ଭାବ୍ୟ ବୋଲି ଜଣାଯାଇଛି।

ପ୍ରକଳ୍ପର କାର୍ଯ୍ୟାନ୍ୱୟନ ବିଶ୍ୱ ମାନଦଣ୍ଡ ପୂରଣ କରୁଛି କି ନାହିଁ ତାହା ସୁନିଶ୍ଚିତ କରିବା ପାଇଁ ଅର୍ନଷ୍ଟ ଆଣ୍ଡ ୟଙ୍ଗ (E&Y) କମ୍ପାନୀ ବର୍ତ୍ତମାନ ପରାମର୍ଶଦାତା ଭାବରେ କାର୍ଯ୍ୟ ମଧ୍ୟ କରୁଛନ୍ତି।

ବୈଠକରେ ଉଦ୍ୟାନ କୃଷି ନିର୍ଦ୍ଦେଶକ କାଲୁଙ୍ଗେ ଗୋରଖ ୱାମନ, E&Y ର ପ୍ରତିନିଧି ଏବଂ କୃଷି ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.