ଓଡ଼ିଆ ସଂସ୍କୃତି ଓ ପରମ୍ପରାରେ ଧନୁ ମୁଆଁ।

0 176

ବୋଲଗଡ଼,୧୬/୧୨(ପିପିଟି):ଆମ ଓଡିଆ ଘରେ ବାର ମାସରେ ତେର ତେର ପର୍ବ। ଯେତେ ସବୁ ପୁନେଇଁ ପରବ ସବୁ ପଛକୁ ପଛ ଲାଗି ରହିଥାଏ। ପ୍ରତେକ ଋତୁର ପର୍ବ ଅନୁସାରେ ଖାଦ୍ୟ ସବୁ ଅଲଗା ହୋଇଥାଏ। ଆମ ପୂର୍ବ ପୁରୁଷ ମାନେ ଅନେକ ପ୍ରକାରର ଖାଦ୍ୟ ଆମକୁ ଭେଟି ସ୍ୱରୂପ ଦେଇଛନ୍ତି। ପ୍ରତ୍ୟେକ ଋତୁ ଅନୁସାରେ ପଡୁଥିବା ପର୍ବରେ ଆମ ଦେବଦେବୀ ପାଖରେ ବିଭିନ୍ନ ପ୍ରକାରର ଭୋଗ ଲାଗି ହୋଇଥାଏ। ଯେମିତିକି ଖଇ ଉଖୁଡା ବର୍ଷସାରା ଭୋଗ ଲାଗୁଥିଲେବି ଋତୁ ଅନୁସାରେ ପଡୁଥିବା ପର୍ବରେ ମକର ସଂକ୍ରାନ୍ତି ରେ ମକର ମୁଆଁ, କାର୍ତ୍ତିକ ଓ ଭାଦ୍ରବମାସ ରେ ବେଣ୍ଟ ମୁଆଁ, ଚୂଡା ମୁଆଁ, ମୁଢି ମୁଆଁ, ବିଶେଷକରି ଏହି ଶୀତ ଋତୁରେ ଧନୁ ସଂକ୍ରାନ୍ତି ପାଇଁ ଧନୁ ମୁଆଁ ହୋଇଥାଏ। ସ୍ଥାନ କାଳ ପାତ୍ର ଅନୁସାରେ ଏହି ମୁଆଁକୁ ବିଭିନ୍ନ ନାମରେ ପରି ପ୍ରକାଶ କରିଥାନ୍ତି।ଧନୁ ସଂକ୍ରାନ୍ତି ରେ ଧନୁ ମୁଆଁ ଶ୍ରୀମନ୍ଦିରରେ ଏବଂ ଓଡ଼ିଶାର ପ୍ରତେକ ଘରେ ଘରେ ଠାକୁରଙ୍କ ପାଖରେ ଭୋଗ ଲାଗିହୋଇଥାଏ। ଏହି ଧନୁ ମୁଆଁକୁ ସମସ୍ତେ ଖାଇବା ପାଇଁ ପସନ୍ଦ କରନ୍ତି।

ଆୟୁର୍ବେଦ ଶାସ୍ତ୍ର ଅନୁସାରେ ଶୀତ ଋତୁରେ ପୀତ ପ୍ରକୋପରୁ ଗୁଡ଼ ରକ୍ଷା କରେ ।ଡାଇବେଟିସ ରୋଗୀଙ୍କୁ ଚିନିରେ ପ୍ରସ୍ତୁତ ଖାଦ୍ୟ ଗ୍ରହଣ କରିବାକୁ ଚିକିତ୍ସକ ବାରଣ କରିଥାନ୍ତି, କିନ୍ତୁ ଗୁଡ଼ରୁ ପ୍ରସ୍ତୁତ ଖାଦ୍ୟ ସେ ଖାଇପାରିବେ ।ଶର୍କରା ଜାତୀୟ ପଦାର୍ଥର ଜନକ ହେଉଛି ଗୁଡ଼ ଯାହାକି ଆଖୁରୁ ମିଳିଥାଏ । ଶର୍କରାର ପ୍ରଥମ ପ୍ରସାଦ ରୂପେ ଆଖୁକୁ ଗ୍ରହଣ କରାଯାଏ । ଶ୍ରେଷ୍ଠ କୁଳ ଦେବତା ଜଗନ୍ନାଥଙ୍କୁ ସୁମରଣା କରି ଆଖୁଶାଳ କରିଥାଏ କୃଷକ । ଆଖୁଶାଳ ସହ ଯଜ୍ଞଶାଳ ସହ ତୁଳନୀୟ । ବିଭିନ୍ନ ରୋଗର ଆରୋଗ୍ୟ ନିମନ୍ତେ ସର୍ବାଧିକ ମୋଦକ ଏବଂ ଅନ୍ୟ ଔଷଧ ଗୁଡ଼ରୁ ପ୍ରସ୍ତୁତ କରାଯାଏ। ଉଦାହରଣ ସ୍ୱରୂପ ଚ୍ୟବନପ୍ରାସ ମୁଖ୍ୟ ଉପାଦାନ ଗୁଡ଼ ।ଦୀପାବଳି ପର୍ବ ପାଳନ ସମୟରେ ପୂର୍ବ ପୁରୁଷଙ୍କୁ ଆଖୁକୁ ପ୍ରଥମ ଭୋଗ ରୂପେ ପ୍ରଦାନ କରାଯାଏ ।ମାର୍ଗଶିର ମାସ ସରି ଆସିବା ଓ ପୌଷ ଆରମ୍ଭ ହେଉଥବା ସମୟରେ ଆଖୁରୁ ଗୁଡ଼ ଉତ୍ପାଦିତ ହୁଏ । ମାର୍ଗଶିର ପୂର୍ଣ୍ଣିମା ପରବର୍ତ୍ତୀ ଦିବସରେ ଆଜି ଧନୁ ସଂକ୍ରାନ୍ତିରେ ପ୍ରଭୁ ଜଗନ୍ନାଥଙ୍କ ପହିଲିଭୋଗ ଆରମ୍ଭ ହେଉଅଛି ଯାହାକି ମକର ସଂକ୍ରାନ୍ତି ପୂର୍ବ ଦିବସ ପର୍ଯ୍ୟନ୍ତ ଚାଲୁ ରହିବ । ଆଜି ପ୍ରସ୍ତୁତ ହୋଇ ପୂଜା ହେଉଥିବା ମୁଆଁକୁ ଧନୁ ମୁଆଁ କହନ୍ତି। ଏହା ଧନୁ ପରି ଦେଖାଯାଏ ନାହିଁ, କିନ୍ତୁ ଧନୁ ପରି ଏହା ଶକ୍ତ । ଏପରିକି ଆମ କାଳିଆ ସାଆନ୍ତ ଛପନ ଭୋଗ ଖାଇବି ଏ ଶୀତ ମାସରେ ଯଦି ମୁଆଁ ଖାଉଛନ୍ତି ତେବେ ଆମେ ମଧ୍ୟ ଏହି ପରମ୍ପରା କୁ ଅନୁସରଣ କରିବା ଉଚିତ୍ ଏପରି କି ଆମ ସମସ୍ତଙ୍କୁ ଓଡ଼ିଆ ପାରମ୍ପାରିକ ଖାଦ୍ୟ ବିଷୟରେ ଜାଣିବା ଓ ଆମ ଖାଦ୍ୟକୁ ପର ପିଢିକୁ ପରିଚିତ କରାଇବା ଓ ଓଡ଼ିଆ ବୋଲି ଗର୍ବିତ ହେବା।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.