ଓଡ଼ିଆ ପକ୍ଷ ପାଳନ ପରିପ୍ରେକ୍ଷୀରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ ।

0 240

ମାଲକାନଗିରି, ୦୮/୦୪(ପିପିଟି) :ଓଡ଼ିଆ ପକ୍ଷ – ୨୦୨୫ ପାଳନ ଅବସରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଜିଲ୍ଲାବ୍ୟାପି ‘ବର୍ଣ୍ଣବୋଧ ଉତ୍ସବ’ ପାଳନ କରାଯାଇଛି । ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲାରେ ବର୍ଣ୍ଣବୋଧ ଉତ୍ସବ ପାଳନ କରାଯାଇଛି। ଆଜି ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ ବେଦବର ପ୍ରଧାନ ସଦର ମହକୁମା ସ୍ଥିତ ବି. ବି ଗୁଡା ପ୍ରାଥମିକ ବିଦ୍ୟାଳୟରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ରହି ଶିଶୁମାନଙ୍କୁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରିଛନ୍ତି। ଓଡ଼ିଆ ପିଲାଙ୍କ ବିଦ୍ୟାରମ୍ଭର ଆଦ୍ୟ ପୁସ୍ତକ ବର୍ଣ୍ଣବୋଧ ବଣ୍ଟନ କାର୍ଯ୍ୟକ୍ରମରେ ସାମିଲ ହେବା ଓ ଓଡ଼ିଆ ଭାଷାକୁ ଆହୁରି ବ୍ୟାପକ କରିବା ପାଇଁ ଆମେ ସମସ୍ତେ ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଉପ ଜିଲ୍ଲାପାଳ ଦୁର୍ଯ୍ୟୋଧନ ଭୋଇ, ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରମିଳା ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ସନ୍ତ୍ରାସ ନାରାୟଣ ପଣ୍ଡା, ଶୈକ୍ଷିକ ସଂଯୋଜକ, ଶେଷ ଶଙ୍କର ମହାଲିକ, ଶୈକ୍ଷିକ ପରାମର୍ଶଦାତା ସୀତାରାମ ଗୌଡ ଓ ବାଳିକା ଶିକ୍ଷା ସଂଯୋଜିକା ଶକୁନ୍ତଳା ମାଝୀ ଉପସ୍ଥିତ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମରେ ସିନ୍ଧ୍ରିମାଳ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବାସନ୍ତୀ ପଟଲା ଓ ବି. ବି ଗୁଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସଞ୍ଚିତାରାଣୀ ମଣ୍ଡଳ ଏହି କାର୍ଯ୍ୟକ୍ରମର ଆୟୋଜନ କରିଥିଲେ। ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲା ସୀମାନ୍ତରେ ଥିବା ଚିତ୍ରକୋଣ୍ଡା, ମୋଟୁ ନିକଟବର୍ତ୍ତୀ ବିଚ୍ଛିନ୍ନାଞ୍ଚଳରେ ଅବସ୍ଥିତ ବିଦ୍ୟାଳୟରେ ଓଡ଼ିଆ ଶିକ୍ଷାର ପ୍ରସାର ଓ ପିଲାମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ପାଇଁ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିବାରେ ଜିଲ୍ଲା ଶିକ୍ଷା ବିଭାଗ , ସମସ୍ତ ବ୍ଲକରେ ବ୍ଲକ ଶିକ୍ଷା ଅଧିକାରୀଙ୍କ ତତ୍ତ୍ଵାବଧାନରେ ଏହି ପୁସ୍ତକ ବଣ୍ଟନ କାର୍ଯ୍ୟକ୍ରମ ସମ୍ପାଦନ କରାଯାଇଛି ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.