ସ୍ୱାଧୀନତାପ୍ରାପ୍ତି ପାଇଁ ସଂଗ୍ରାମ ସହ ସ୍ୱାଧୀନତା ପରେ ମଧ୍ୟ ବହୁ ଗଣସଂଗ୍ରାମ ହୋଇଛି । ସ୍ୱାଧୀନତାପରେ ମଧ୍ୟ ସାଧାରଣମଣିଷ ର ଜୀବନଜୀବିକା କୃଷକ ଶ୍ରମିକ କ୍ଷେତମୁଲିଆ ଶ୍ରେଣୀ ତାଙ୍କ ସର୍ବନିମ୍ନ ଦାବୀ ଓ ଅଧିକାର ପାଇଁ ସମ୍ମିଳିତ ସଂଗ୍ରାମ କରିଛନ୍ତି । ସମଗ୍ର ଭାରତରେ ଅତୀତରେ ଘଟି ଯାଇଥିବା କିଛି କୃଷକ ଆନ୍ଦୋଳନରେ ବହୁ ଆନ୍ଦୋଳନକାରୀ କୃଷକ ଶ୍ରମିକଙ୍କ ଜୀବନ ମଧ୍ୟ ଯାଇଛି । ଆନ୍ଦୋଳନ ମାଧ୍ୟମରେ କୃଷକଶ୍ରେଣୀ ତାର ଅଧିକାର ପାଇଥିଲେ ମଧ୍ୟ ଅଦ୍ୟାବଧି କୃଷକ ଶ୍ରେଣୀର ସମସ୍ୟା ହଟିନାହିଁ । ଅତୀତର ଚାଷୀଆନ୍ଦୋଳନ କୃଷକଶ୍ରେଣୀର ସ୍ୱାର୍ଥସିଦ୍ଧି ପାଇଁ ଆଜିଯାଏଁ ଏକ ଅଲିଭା ଅମର ଦସ୍ତାବିଜ ହସ୍ତାକ୍ଷର ଭଳି ସ୍ମାରକୀ ବହନ କରୁଛି ବୀର ତାକରଡ଼ାର ସଂଗ୍ରାମୀ ମାଟି । ଦୁର୍ବାର ଚାଷୀଆନ୍ଦୋଳନର ଏକ ପ୍ରମୁଖ ଶକ୍ତିକେନ୍ଦ୍ର ଭାବେ ଗଞ୍ଜାମଜିଲ୍ଲାର ଶେରଗଡ଼ ନିକଟରେ ଥିବା ଚାଷୀ ଆନ୍ଦୋଳନର ପୀଠ ରକ୍ତତୀର୍ଥ ତାକରଡ଼ା ଗ୍ରାମର ସହୀଦବେଦୀ ଅତୀତର ସ୍ମୁତି ସାଉଁଟିବା ସହ ଚାଷୀଆନ୍ଦୋଳନର ଶକ୍ତିପୀଠଭାବେ ଅଲିଭା ସ୍ୱାକ୍ଷର ବହନ କରୁଛି । ସେଦିନ ଥିଲା ୧୯୪୮ ମସିହା ମଇ ମାସ ୨୪ ତାରିଖ ସକାଳୁ ସକାଳୁ ତାକରଡ଼ା ରେ ସମବେତ ହୋଇଥିଲେ ୨୦ ହଜାରରୁ ଉର୍ଦ୍ଧ୍ୱ ଚାଷୀ ଜମିଦାରୀପ୍ରଥା ମୁସ୍ତାଦାରପ୍ରଥା ଉଛେଦ ଇନାମଦାର ତାଳୁକଦାର ହଟାଓ ଲଙ୍ଗଳ ଯାର ଜମି ତାର ହେତା ଖେଟା ଦଖଲ ଆଦି ଥିଲା ଶୋଷିତ ଚାଷୀ ମାନଙ୍କର ଡ଼ାକରା ତେବେ ହଠାତ ଆନ୍ଦୋଳନରତ ନିରସ୍ତ୍ର କୃଷକଙ୍କ ଉପରେ ଓଡିଶା ପୋଲିସ ବର୍ବୋରଚିତ ଭାବେ ଗୁଳି ଚଳାଇଲା । ପୋଲିସ ଗୁଳିରେ ଆନ୍ଦୋଳନରତ ୬ ଜଣ ଟଳି ପଡ଼ିଲେ । ସ୍ୱାଧୀନଭାରତର ଇତିହାସରେ ପ୍ରଥମଥର ପାଇଁ ସରକାରୀ ପ୍ରାୟୋଜିତ ଗୁଳିକାଣ୍ଡ ବିବେଚିତ ହେଲା! ଭାରତ ସ୍ୱାଧୀନ ହୋଇଥିଲେ ମଧ୍ୟ ଜମିଦାରୀ ମୁସ୍ତାଦାର ସାହୁକାର ଭଳି ରୟତ ମାରଣ ପ୍ରଥା ରହିଥିଲା ମେହନତୀ କରି ଝାଳ ଫୁଟାଇ ଜମିରୁ ଚାଷୀ ଆଦାୟର ୯୦ ଭାଗ ଜମିଦାରକୁ ପୈଠ କରି କୁଲା ପହଁରା ଧରି ଖାଲି ହାତରେ ଖଳାମୁଣ୍ଡରୁ ଘରକୁ ଫେରୁଥିଲା ଚାଷୀ ପୁଣି ବେଠି ବେଗାରୀ ମଧ୍ୟ ଥିଲା ।ଦେଶ ସ୍ୱାଧୀନ ହେଲାପରେ ମଧ୍ୟ ଚାଷୀର ଭାଗ୍ୟ ବଦଳିଲା ନାହିଁ ଜମିଦାର ମୁସ୍ତାଦାର ପ୍ରଥାରେ ଭୋକିଲା ନିଷ୍ପେସିତ ଚାଷୀ ଲହୁଲୁହାଣ ହେବା ସହ ଏହା ବିରୋଧରେ ବିଶାଳ ଆନ୍ଦୋଳନ ଦାନା ବାନ୍ଧିଲା । ଗରିବ କୃଷକର ବନ୍ଧୁ ରୟତନେତା ସ୍ୱାଧୀନତା ସଂଗ୍ରାମୀ ଗୋବିନ୍ଦ ପ୍ରଧାନଙ୍କ ଡ଼ାକରାରେ ଆସିକା, ଶେରଗଡ଼ ,ତାକରଡ଼ା, ଧବଳପୁର, ଷୋଳଷୋଳା ,କୀର୍ତ୍ତିପୁର, କାଚଖଣ୍ଡି, ଅଣ୍ଡିରାସିଂ, ଲେଙ୍କାଖାଲି ,ପଥରପୁଞ୍ଜି, ଡ଼େଙ୍ଗାଡ଼ି, ଏରେଣ୍ଡ୍ରା ,ଗୌତମୀ, ଖଲିଙ୍ଗି, ଆଡ଼ପଡ଼ା, ଗଙ୍ଗାପୁର, ତିଳେସ୍ୱର ,ହରିଣା ଗୋବିନ୍ଦପୁର ବ୍ରହ୍ମହତ୍ୟା ଆଦି ଶତାଧିକ ଗ୍ରାମରୁ ତାକରଡ଼ାଠାରେ ସମବେତ ହୋଇ ଶେରଗଡ଼ ରାଜା ଉଦୟପ୍ରତାପ ସିଂ ଙ୍କ ଚାଷୀମାରଣ ନୀତି ଓ ଓଡିଶା ସରକାରର କୃଷକ ବିରୋଧୀ ନୀତି ବିରୋଧରେ ତୀବ୍ର ପ୍ରତିବାଦ କରିଥିଲେ । ସ୍ୱାଧୀନ ଭାରତର ଏହା ଥିଲା ପ୍ରଥମ କୃଷକ ସ୍ୱାଧୀନତା ସଂଗ୍ରାମ! ତେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଶେରଗଡ଼ ରାଜାଙ୍କ ସପକ୍ଷରେ ଥିଲେ ତତ୍କାଳୀନ ଗଞ୍ଜାମ ଜିଲ୍ଲାପାଳ ଗୋପୀନାଥ ବେହେରା ମଧ୍ୟ ଥିଲେ ରାଜାଙ୍କ ସପକ୍ଷରେ । ଚାଷୀଆନ୍ଦୋଳନଙ୍କୁ ପ୍ରତିହତ ଦମନ କରିବା ପାଇଁ ମହତାବଙ୍କ ସ୍ୱୀକୃତି ଓ ଜିଲ୍ଲାପାଳ ବେହେରାଙ୍କ ନିର୍ଦ୍ଦେଶରେ ନିରସ୍ତ୍ର କୃଷକଙ୍କ ଉପରେ ପୋଲିସ ଗୁଳି ଚଳାଇଲା ପୋଲିସ ଗୁଳିରେ ୧୨ ବର୍ଷର ହେମ ବାଡ଼ତ୍ୟା କନ୍ଧୁଣି ଡ଼ାକୁଆ ୫୦ ସୁବେଇନି ବେହେରା ୪୫ ରାହାସ ଦାସ ୩୨ଅର୍ଜୁନ ବରାଡ଼ ୨୧ବାଉରୀ ବରାଡ଼ ୫୨ ଘଟଣାସ୍ଥଳ ରେ ହିଁ ସହୀଦ ହେଲେ ଶତାଧିକ ଆହତ ହେଲେ । କୃଷକନେତା ଗୋବିନ୍ଦ ପ୍ରଧାନ ରାଧାକୃଷ୍ଣ ପ୍ରଧାନ ସାଧୁଚରଣ ମହାନ୍ତି ହରିହର ଦାଶ ସୂର୍ଯ୍ୟନାରାୟଣ ଆଚାରୀ ଦୁଃଖୀଶ୍ୟାମ ଦାଶ ନାରାୟଣ ମହାପାତ୍ର ମାଧବ ମହାରଣା ଜୁର ପାତ୍ର ହରି ପାତ୍ର ବତ୍ସପାତ୍ର ଆଦି ଶତାଧିକ କୃଷକ ନେତାଙ୍କ ନାମରେ ଫୌଜଦାରି ମାମଲା ରୁଜୁ ହେଲା ସାନଖେମୁଣ୍ଡି ଶେରଗଡ଼ ଦିଗପହଣ୍ଡି ଆସିକା କବିସୂର୍ଯ୍ୟନଗର ପ୍ରଭୃତି ଅଞ୍ଚଳର ଅନେକ ଗାଁ ଗଣ୍ଡା ଜନଶୂନ୍ୟ ହେଲା । ହେଲେ ଚାଷୀଆନ୍ଦୋଳନ ଓ ପୋଲିସ ଗୁଳିରେ ବଳିଦାନ ବ୍ୟର୍ଥ ଗଲାନାହିଁ ଏହି ଗୁଳିକାଣ୍ଡ ଘଟଣା ସମଗ୍ର ଭାରତବର୍ଷରେ ଚହଳ ପକାଇଲା ଆନ୍ଦୋଳନ ବିଦ୍ୟୁତ ବେଗରେ ଅନ୍ୟାନ୍ୟ ଅଞ୍ଚକକୁ ବ୍ୟାପିଲା ଚାଷୀର ହକ ପାଇଁ ଲଢ଼େଇ ଆଗରେ ନିଷ୍ଠୁର ସରକାର ହାର ମାନିଲା । ଫଳ ସ୍ୱରୂପ ୧୯୫୩ଜୁନ ପହିଲାରେ ଜମିଦାରୀ ପ୍ରଥା ଉଛେଦ ହେଲା! ୧୯୫୫ ରେ ଭାଗଚାଷୀ ଆଇନ ପ୍ରଣୟନ ହେବାସହ ଲଙ୍ଗଳ ଯାର ଜମି ତାର ହେଲା ବେଠି ବେଗାରୀ ମୁସ୍ତାଦାରୀ ଉଠିଲା । ପ୍ରଖ୍ୟାତ ଓକିଲ ତଥା ଔପନ୍ୟାସିକ ଗୋପୀନାଥ ମହାନ୍ତି ଆସିକା ମୁନସିଫ ଅଦାଲତ ରେ ଥାଇ ଏହି ଗୁଳିକାଣ୍ଡ ମାମଲାର ପ୍ରାଥମିକ ବିଚାର କରିଥିଲେ । ଆଜି ତାକରଡ଼ା ଗୁଳିକାଣ୍ଡର ୭୫ବର୍ଷ ପୂରଣ ହୋଇ ୭୬ ରେ ପହଞ୍ଚିଛି ତଥାପି ରକ୍ତତୀର୍ଥ ତାକରଡ଼ା ରେ କୃଷକଙ୍କ ବଳିଦାନ ଆଜିଯାଏଁ ଅଲିଭା ହୋଇ ରହିଛି । ଏଵେ ବି ତାକରଡ଼ା ମାଟିରେ ସହୀଦଙ୍କ ଚିତାନଳ ଦିକ ଦିକ ହୋଇ କୃଷକଶ୍ରେଣୀ ପାଇଁ ଆଲୋକବର୍ତ୍ତିକା ସଦୃଶ୍ୟ ରହିଛି ! ଦେଶ ସ୍ୱାଧୀନ ହୋଇଛି ସତ ଆଜିଯାଏଁ କୃଷକ ତାର କୃଷିଜାତ ଦ୍ରବ୍ୟର ଉତ୍ପାଦନ ମୂଲ୍ୟ ପାଉନଥିବା ଅଭିଯୋଗ ହେଉଛି । ଗଞ୍ଜାମରେ କୃଷିଭିତ୍ତିକ ଶିଳ୍ପ ନାହିଁ ଦାଦନ ସଂଖ୍ୟା ବଢୁଛି । ଚାଷ ଜମିରେ ଜଳସେଚନ ଏବେବି ଅପହଞ୍ଚ । କୃଷକ ଉପରେ ବର୍ଷା ବନ୍ୟା ଧୋଇ ମରୁଡ଼ି ଦାଉ ସାଜୁଛି କୃଷକର ସମସ୍ୟାର ଅନ୍ତଃ ନାହିଁ । ଦେଶ ଓ ରାଜ୍ୟ ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ନିୟମିତ କୃଷକ ଆନ୍ଦୋଳନ ଜାରି ରହିଛି ।କଳାକୃଷି ଆଇନ ଚୁକ୍ତିବଦ୍ଧ ଚାଷ ବିରୋଧରେ ସଂଗଠିତ ସଂଗ୍ରାମ ଚାଷୀଙ୍କୁ ବିଜୟ ଦେଇଛି । ଏଭଳି ପରିସ୍ଥିତିରେ ତାକରଡ଼ା ଗୁଳିକାଣ୍ଡର ଆଜିର ଦିବସ କୋଟି ଚାଷୀକଣ୍ଠେ ଅଲିଭା ଅମର ଦସ୍ତାବିଜ ହସ୍ତାକ୍ଷର ଭଳି ଜ୍ୱଳନ୍ତସାକ୍ଷୀ ଭାବେ ଜୀବିତ ରହିଛି ।ଏବେବି ଆଖ ପାଖ ଗାଁ ରେ ତାକରଡ଼ା ଗୁଳିକାଣ୍ଡ କଥା ପଡ଼ିଲେ କିଛି ବୟସ୍କ ଚାଷୀଙ୍କ ପାଟିରୁ ନିର୍ଗତ ହେଉଛି ଗୁଳିକାଣ୍ଡର ଲୋମହର୍ଷଣ ଗୀତ ତଥା” ବଇରୁ ଖସିଲା ବତା, ମନେ ପଡ଼ିଗଲେ ହୃଦୟ କାନ୍ଦଇ ତାକରଡ଼ା ଗୁଳି କଥା ” ।”ସ୍ତିରୀଙ୍କର ଯୋନି ଦ୍ବାର ପୁରୁଷଙ୍କ ଲିଙ୍ଗ,ଏମନ୍ତ ସ୍ଥାନକୁ ଗୁଳି କଲ ଯେ ପ୍ରୟୋଗ ” “ତାକରଡ଼ା ହେମ ନାନୀ ଗୁଳିଚୋଟେ ପ୍ରାଣ ଦାନୀ “” ଧାନବିଲ ଖସଖସ ପୋଲିସ ଗୁଳିରେ ରୟତ ନାଶ କି ହେବ ଭାରତ ଦେଶ ” ।
ଜନନେତା ଦୂତିକୃଷ୍ଣ ପଣ୍ଡା ଲେଖିଥିଲେ” ଝଲ ଝଲ ଝଲ ଝଲ ଝଲସେ ଚିତାନଳ ଅଲିଭା ସେ ଲାଲ୍ ଲେଲିହାନ, ଲେଲିହାନ ମୁକ୍ତିଶିଖା ଲେଲିହାନ୍ , ଡାକେ ଆମର ତାକରଡା ମାଟି ‘ ଜାଳି ଆମର ଶିଖ ଅନ୍ଧାର କାଟି ‘ ସଜା ତୋ ଲାଲ୍ ତଲବାର “ଗଞ୍ଜାମରେ କୃଷକ ଆନ୍ଦୋଳନ ସର୍ବଦା ଶକ୍ତିଶାଳୀ ରହିଛି ରହିବ । ଏବେବି ତାକରଡ଼ା ଗୁଳିକାଣ୍ଡ ଓ ୬ ଜଣଙ୍କ ଆତ୍ମବଳିଦାନର ଅମର ଗାଥା ଅଞ୍ଚକବାସୀଙ୍କ ମନରୁ ଲିଭିନି କି ଲିଭିବନି ମଧ୍ୟ । ଯେତେ ଦିନ ଯାଏଁ ଚାଷୀ ତାର ହକ ପାଇନଥିବ ସେତେ ଦିନ ଯାଏଁ ଚାଷୀ ଆନ୍ଦୋଳନର ପ୍ରାସଙ୍ଗିକତା ରହିଥିବ ଓ ତାକରଡ଼ା ଗୁଳିକାଣ୍ଡରେ ସହିଦତ୍ତ୍ୱ ବରଣ କରିଥିବା ସହୀଦଙ୍କ ବଳିଦାନ ବୃଥା ଯିବନାହିଁ। ୭୬ ବର୍ଷ ପୂର୍ତ୍ତି ସହ ବର୍ଷ ବର୍ଷ ଯୁଗ ବିତିଲେ ମଧ୍ୟ ସହୀଦବେଦୀ ସ୍ମୁତି ସ୍ମାରକୀ ହୋଇ କୃଷକ ଏକତା ପାଇଁ ବଳ ଇନ୍ଧନ ଓ ଶକ୍ତି ଯୋଗାଉଥିବ। ଦେଶରେ ସାମନ୍ତବାଦ ଓ ସାମ୍ରାଜ୍ୟବାଦ ବିରୋଧୀ ସଂଗ୍ରାମ ଯେତେବେଳେ ଉତ୍ତାଳ ଅବସ୍ଥାରେ ଥିଲା ସେତେବେଳେ ଗଞ୍ଜାମରେ ରୟତ ଆନ୍ଦୋଳନର ଅଗ୍ନି ଝଲକ ସମଗ୍ର ଦେଶରେ ବିସ୍ତାରିତ ହୋଇଥିଲା। ଗଞ୍ଜାମ ଜିଲ୍ଲାରେ ଅତୀତରେ ସଙ୍ଗଠିତ ଦୁର୍ବାର କୃଷକ ଆନ୍ଦୋଳନ ଆଉ ସାମ୍ପ୍ରତିକ ସମୟ ମଧ୍ୟରେ ଅନେକ ପରିବର୍ତ୍ତନ ହୋଇଯାଇଛି। ଆମ ଦେଶର ଅଗ୍ରଗତିର ସଂଜ୍ଞା ମଧ୍ଯ ବଦଳି ଯାଇଛି। କୃଷି ବିପ୍ଳବ ହିଁ ସମାଜ ବିକାଶର ଚାବିକାଠି ଏହି ନିରାଟ ବାସ୍ତବତାକୁ ଆଜିକାର ଶାସକ ଶ୍ରେଣୀ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହନ୍ତି। ଦେଶର ଶାସକ ଶ୍ରେଣୀ ଠାରେ ହିଁ ରହିଛି ସବୁ ସଙ୍କଟର କାରଣ । ଦେଶର ୮୦ ଭାଗ ଜନଗଣଙ୍କର ଜୀବନ ଜୀବିକାର ସୁରକ୍ଷାପ୍ରତି ଦୃଷ୍ଟି ନ ଦେଇ ଗତ ୭୫ ବର୍ଷ ମଧ୍ୟରେ ଆମେ ଦେଶର ଯାହା ଅଗ୍ରଗତି ଦେଖୁଛୁ ସେହି ଅଗ୍ରଗତିର ସୁଫଳ ମାତ୍ର ୫ ରୁ ୬ ଭାଗ ମୁଷ୍ଟିମେୟ ଲୋକ ପାଉଛନ୍ତି।ପରାଧିନତାର ଶୃଙ୍ଖଳକୁ ଚ୍ଛିନ୍ନ କରି ମୁକ୍ତିର ମାର୍ଗ ପାଇଁ ସ୍ଵାଧୀନତା ଆନ୍ଦୋଳନରେ ଦେଶର କୃଷକ ଶ୍ରେଣୀ ଅଗ୍ରଭାଗରେ ଥିଲେ। ସ୍ୱାଧୀନତା ପରେ କୃଷକ ଶ୍ରେଣୀର ଐକ୍ୟବଦ୍ଧ ସଂଗ୍ରାମ ଫଳରେ ବର୍ବର ଜମିଦାର ମୁସ୍ତାଦାର ପ୍ରଥା ବିଲୋପ ହୋଇ ଭୂସଂସ୍କାର ଆଇନ ପ୍ରଣୟନ ହୋଇଥିଲା। ଲଙ୍ଗଳ ଯା’ର ଜମି ତା’ର ଆନ୍ଦୋଳନରେ ଚାଷୀ ବିଜୟୀ ହୋଇଥିଲା ଜମିର ମାଲିକାନା ପାଇଥିଲା। ହେଲେ ଏବେ ଦେଶରେ ନୂଆ ରୂପରେ ଜମିଦାର ପ୍ରଥା ଲାଗୁ କରାଯାଇଛି। ଦେଶରେ ସାମ୍ପ୍ରଦାୟିକ ଆକ୍ରମଣ ଓ କୃଷକଶ୍ରେଣୀ ଊପରେ କର୍ପୋରେଟ ପୁଞ୍ଜିବାଦର ଭୟ ସୃଷ୍ଟି ହୋଇଛି। ଦେଶରେ ସାମାଜିକ ବୈଷମ୍ୟ ଚରମସୀମାରେ ପହଞ୍ଚିଛି । କୃଷି ଶିକ୍ଷା ବେକାରୀ ସମସ୍ୟା ଦେଶକୁ ସଙ୍କଟ ଆଡ଼କୁ ନେଇଛି। ଦେଶର ଏଭଳି ସଙ୍ଗୀନ ସଙ୍କଟ ସମୟରେ କୃଷକ ଶ୍ରେଣୀର ସ୍ୱାର୍ଥସିଦ୍ଧି ପାଇଁ ସଂକଳ୍ପ ନେବାକୁ ହେବ ।୧୯୪୮ ମଇ ୨୪ରେ ସଙ୍ଗଠିତ ତାକରଡ଼ା ଗୁଳିକାଣ୍ଡର ୭୭ ତମ ବାର୍ଷିକୀ ଅବସରରେ ବିଜେପି ନେତୃତ୍ବରେ ସାମ୍ପ୍ରଦାୟିକ ଆକ୍ରମଣ ଓ ଆଦାନୀ ଅମ୍ବାନୀ ଭଳି ସୃଷ୍ଟ ନୂଆ ଜମିଦାର କର୍ପୋରେଟ ପୁଞ୍ଜିବାଦକୁ ପ୍ରତିହତ କରିବାକୁ ସଂକଳ୍ପ ନେବା ହିଁ ଦେଶ ପାଇଁ ପ୍ରାଣବଳି ଦେଇଥିବା ଶହିଦ୍ କୃଷକ ମାନଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି।
(ବିନାୟକ ଦାଶ,ସାନଖେମୁଣ୍ଡି ।)