ସୁବର୍ଣ୍ଣପୁର ,୦୨/୦୮(ପିପିଟି):ଓଡିଶାର ସାହିତ୍ୟ,ସଂସ୍କୃତି ଓ ଐତିହାସିକ ଗବେଷଣାରେ ସ୍ୱର୍ଗତ ଡ.ସଦାନନ୍ଦ ଅଗ୍ରୱାଲଙ୍କ ଯଥେଷ୍ଟ ଅବଦାନ ରହିଛି। ତାଙ୍କର ଗବେଷଣା ଲବ୍ଧଜ୍ଞାନ ତାଙ୍କୁ ଅମର କରି ରଖିଛି। ପ୍ରାରମ୍ଭିକ ଜୀବନରେ ଉଚ୍ଚଶିକ୍ଷାରୁ ବଞ୍ଚିତ ହୋଇଥିଲେ ହେଁ ତାଙ୍କର ଅଧ୍ୟବସାୟ ତାଙ୍କୁ ପ୍ରତିଷ୍ଠିତ କରିଥିଲା । ଜଣେ ମାଟ୍ରିକପଢା ଲୋକର ଐତିହାସିକ ଗବେଷଣା ବିଶ୍ୱବିଦ୍ୟାଳୟ ମାନଙ୍କରେ ପାଠ୍ୟପୁସ୍ତକ ଆକାରରେ ପ୍ରଚଳନ ହେବା ନିହାତି ଏକ ବିରଳ ଘଟଣା ବୋଲି ଆଜି ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ମେଣ୍ଡା ମହର୍ଷି ବୁଦ୍ଧରାମ ଡିଗ୍ରୀ ମହାବିଦ୍ୟାଳୟ ଗୋବିନ୍ଦ ବିହାର ଠାରେ ଆୟୋଜିତ ସଦାନନ୍ଦ ଅଗ୍ରୱାଲଙ୍କ ୮ମ ଶ୍ରାଦ୍ଧଦିବସରେ ମୁଖ୍ୟଅତିଥି ଭାବରେ ଯୋଗଦେଇଥିବା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ.ନୃପରାଜ ସାହୁ ମତବ୍ୟକ୍ତ କରିଛନ୍ତି । ଡ.ସାହୁ ଆହୁରି କହିଲେ ଯେ,ସ୍ୱର୍ଗତ ସଦାନନ୍ଦ ବାବୁ ଜଣେ ମହିମାଧର୍ମର ପରମଉପାସକ ଥିଲେ । ସେ ସନ୍ଥକବି ଭୀମଭୋଇଙ୍କ ନାମରେ ଭୁବନେଶ୍ୱର ରାଜଧାନୀରେ ଏକ ରାସ୍ତାର ନାମକରଣ,ଏକ ବିଶ୍ୱବିଦ୍ୟାଳୟର ନାମକରଣ ଓ ବିଶ୍ୱବିଦ୍ୟାଳୟର ଏକ ଚେୟାର ସ୍ଥାପନ ଯାହାକି ଆଜି ସଫଳ ହୋଇସାରିଛି। ରାଜଧାନୀ ଭୁବନେଶ୍ୱରରେ ଏକ ରାସ୍ତାକୁ ଓଡିଶା ସରକାର ଭୀମଭୋଇଙ୍କ ନାମରେ ନାମିତ କରିଛନ୍ତି। ସେହିପରି ବଲାଙ୍ଗୀର ମେଡିକାଲ କଲେଜକୁ ଭୀମଭୋଇଙ୍କ ନାମରେ ନାମିତ କରାଯାଇଥିବା ବେଳେ ସମ୍ବଲପୁର ଜିଏମ ବିଶ୍ୱବିଦ୍ୟାଳୟରେ ଭୀମ ଭୋଇ ଚେୟାର ସ୍ଥାପନ ହୋଇସାରିଛି ବୋଲି ଜିଲ୍ଲାପାଳ ଡ.ସାହୁ କହିବା ସହିତ ସ୍ୱର୍ଗତ ସଦାନନ୍ଦ ଅଗ୍ରୱାଲ ଜଣେ ପ୍ରଚଣ୍ଡ ସ୍ୱାଭିମାନୀ ମଣିଷ ଥିଲେ ବୋଲି କହିଥିଲେ । ଡ.ସଦାନନ୍ଦ ଅଗ୍ରୱାଲ ସ୍ମୃତିକମିଟି ଓ ଏମବିଆର ଡିଗ୍ରୀକଲେଜର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏମବିଆର ଡିଗ୍ରୀକଲେଜର ପରିଚାଳନା କମିଟିର ସଭାପତି ବାଳଗୋପାଳ ପଣ୍ଡା ସଭାପତିତ୍ୱ କରିଥିବା ବେଳେ ସାମ୍ବାଦିକ ପୂର୍ଣ୍ଣଚନ୍ଦ୍ର ପଣ୍ଡା ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ବାନ୍ଧଶିଲ୍ପୀ ପଦ୍ମଶ୍ରୀ ଡ.ଚତୁର୍ଭୁଜ ମେହେର ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିବାବେଳେ ସମ୍ମାନୀତ ଅତିଥି ଭାବରେ ସୁବର୍ଣ୍ଣପୁର ଏସପି ନାରାୟଣ ନାୟକ,ଭୀମସାର ବୁର୍ଲାର ସ୍ତ୍ରୀ ଓ ପ୍ରସୂତୀବିଭାଗର ବିଶେଷଜ୍ଞ ପ୍ରଫେସର ଡ.ବେଣୁଧର ପାଣ୍ଡେ, ରୋଟାରିଆନ ବିଷ୍ଣୁପ୍ରସାଦ କେଡିଆ ଓ ମୁଖ୍ୟବକ୍ତା ଭାବରେ କୁଟୁମଡୋଲା କଲେଜର ପ୍ରଧ୍ୟାପକ ଡ.ସୁରେଶଚନ୍ଦ୍ର ଷଢଙ୍ଗୀ ଯୋଗଦେଇଥିଲେ । ସିଦ୍ଧାର୍ଥ ଅଗ୍ରୱାଲ ଅତିଥି ପରିଚୟ ସହିତ ସଭାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ଏସପି ଶ୍ରୀ ନାୟକ ତାଙ୍କ ବକ୍ତବ୍ୟରେ ସ୍ୱର୍ଗତ ଅଗ୍ରୱାଲଙ୍କ ସହିତ ରହିଥିବା ପୁରୁଣା ସ୍ମୃତିଚାରଣ କରିଥିବା ବେଳେ ଅଞ୍ଚଳପ୍ରତି ଥିବା ତାଙ୍କର ଅବଦାନ ବିଷୟରେ କହିଥିଲେ। ମୁଖ୍ୟବକ୍ତା ଡ.ଷଢଙ୍ଗୀ ତାଙ୍କ ବକ୍ତବ୍ୟରେ ସଦାନନ୍ଦ ଅଗ୍ରୱାଲ ଲକ୍ଷ୍ୟନିଷ୍ଠ ଗବେଷଣା ତଥା ତାଙ୍କର ସମସ୍ତଙ୍କ ପ୍ରତିଥିବା ଭଲପାଇବାର ଗୁଣ ବିଷୟରେ କହିଥିଲେ । ଏହି ଅବସରରେ ସ୍ୱାସ୍ଥ୍ୟସେବା ଯୋଗାଉଥିବା ଭୀମସାର ବୁର୍ଲାର ସ୍ତ୍ରୀ ଓ ପ୍ରସୂତୀ ବିଭାଗର ବିଶେଷଜ୍ଞ ପ୍ରଫେସର ଡ.ବେଣୁଧର ପାଣ୍ଡେଙ୍କୁ ମାନପତ୍ର ଓ ଉପଢୌକନ ଦେଇ ଡ.ସଦାନନ୍ଦ ଅଗ୍ରୱାଲ ସ୍ମୃତିସମ୍ମାନରେ ସମ୍ମାନିତ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଖଲିଆପାଲି ଭୀମଭୋଇ ସମାଧିପୀଠର ମଠାଧିଶ ସନ୍ୟାସୀ ବାବା, ମେଣ୍ଡାର ବରିଷ୍ଠ ନାଗରିକ ଶମ୍ଭୁଭୁଷଣ ପରଡିଆ, ସନ୍ତୋଷ ଦାସ, ନାରାୟଣ ଝାଙ୍କର, ପଥରଚେପା ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ କ୍ଷମାନିଧି ଝାଙ୍କର ପ୍ରମୁଖ ସ୍ୱର୍ଗତ ଅଗ୍ରୱାଲଙ୍କ ସ୍ମୃତିଚାରଣ କରିଥିଲେ। ଧିରେନ୍ଦ୍ର ଝାଙ୍କର ମାନପତ୍ର ପଠନ କରିଥିବା ବେଳେ ଶେଷରେ କଲେଜର ଇଂରାଜୀ ଅଧ୍ୟାପକ ଉମାକାନ୍ତ ନାଗ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଅତିଥିଗଣ କଲେଜ କ୍ୟାମ୍ପସରେ ବୃକ୍ଷରୋପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ୱର୍ଗତ ଅଗ୍ରୱାଲଙ୍କ ଧର୍ମପତ୍ନୀ ତାରା ଅଗ୍ରୱାଲ,ଏମବିଆର ଡିଗ୍ରୀକଲେଜର ଅଧ୍ୟକ୍ଷ ସଚିଦାନନ୍ଦ ରଥ,ବରିଷ୍ଟ ନାଗରିକ ନାରଦ ପୂଜାରୀ, ମୋହନ ଝାଙ୍କର, ଟଙ୍କଧର ମେହେର, ଚୈତନ୍ୟ ବାରିକ, ତରଭା ବ୍ଲକ ଅଧ୍ୟକ୍ଷ ସରୋଜ କମ୍ପ ,ରାଜେନ୍ଦ୍ର ପଣ୍ଡା, ମଦନ ମୋହନ ପଣ୍ଡା, ନରସିଂହ ପଣ୍ଡା, ଜିତେନ୍ ପଣ୍ଡା ପ୍ରମୁଖଙ୍କ ସହ ଶତାଧିକ ଗ୍ରାମବାସୀ, କଲେଜର ଅଧ୍ୟାପକ/ଅଧ୍ୟାପିକା, କର୍ମଚାରୀ, ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । ଆଜିର ଏହି ଶ୍ରାଦ୍ଧଦିବସ ଉପଲକ୍ଷେ ଏମବିଆର ଡିଗ୍ରୀ କଲେଜରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର,ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା ଓ ଚକ୍ଷୁପରୀକ୍ଷା ଶିବିର ଆୟୋଜିତ ହୋଇଥିଲା । ଏହି ଶିବିରରେ ଡ.ବେଣୁଧର ପାଣ୍ଡେ ୫୯ଜଣ ମହିଳାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବାବେଳେ ବୀରମହାରାଜପୁର ପଣ୍ଡାପାଲି ମହାନଦୀ ନେତ୍ରଚିକିତ୍ସାଳୟର ଡ.ରୋହିତ, ଅପଥାଲମିଷ୍ଟ ସ୍ୱେତା ମିଶ୍ର, ଧର୍ମୁ ମହାନନ୍ଦ, ଚନ୍ଦ୍ରଶେଖର ନନ୍ଦ, ଶୁଭଲକ୍ଷ୍ମୀ ଭୁକ୍ତା ୫୦ଜଣ ରୋଗୀଙ୍କ ଆଖି ପରୀକ୍ଷା କରିଥିବା ବେଳେ ସୁବର୍ଣ୍ଣପୁର ରକ୍ତଭଣ୍ଡାରର ଡାକ୍ତର ପ୍ରମୋଦ ମେହେର, ସତ୍ୟବ୍ରତ ତାଣ୍ଡି, ଜଗତ ଦରୱାନ,ଯୁଧିଷ୍ଠୀର ନାଏକଙ୍କ ନେତୃତ୍ୱ ରେ ଅନୁଷ୍ଠିତ ରକ୍ତଦାନ ଶିବିରରେ ୩୦ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା ।
ରିପୋର୍ଟ – ଶାନ୍ତନୁ କୁମାର କର୍ଣ୍ଣ