ପୋଲସରା ,୨୩/୦୨(ପିପିଟି) : ବୁଗୁଡା ବ୍ଲକ ଅନ୍ତର୍ଗତ ଆଶ୍ରମ କରଡାବାଡି ପଞ୍ଚାୟତରେ ଫେବୃଆରୀ ୨୩ ତାରିଖ ଦିନ ପଞ୍ଚାୟତ ସ୍ତରୀୟ ମିଳିତ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ବୁଗୁଡା ବିଡିଓ ଦୁତିକୃଷ୍ଣ ପାତ୍ରଙ୍କ ତତ୍ତ୍ଵାବଧାନରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ମିଳିତ ଜନଶୁଣାଣି ଶିବିରରେ ବୁଗୁଡା ଆଇଆଇସି ସୀତାଂଶୁ ଶେଖର ମାନ୍ଧାତା, ଏବିଡିଓ ଧର୍ମରାଜ ପରିଡା, ସିଡିପିଓ ବବିତା କୁମାରୀ ପଣ୍ଡା ଓ ସ୍ଥାନୀୟ ସରପଞ୍ଚ ପ୍ରମୁଖ ଜନସାଧାରଣଙ୍କ ଅଭିଯୋଗ ଗ୍ରହଣ କରିଥିଲେ। ମୋଟ ୧୬ ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିରୁ ୧୧ ଟି ଅଭିଯୋଗ ବ୍ୟକ୍ତିଗତ ଓ ୫ ଟି ଗୋଷ୍ଠୀଗତ ଅଭିଯୋଗ ଥିଲା। ଶିବିରରେ ତତ୍କାଳୀନ ୧୨ ଟି ଅଭିଯୋଗ ସମାଧାନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ, ବିଏସଏସଓ, ଏବିଇଓ, ବିଭିଓ, ଆରଡ଼ି ଜେଇ, ବାଲିପଦର ଇରିଗେସନ ଜେଇଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ କର୍ମଚାରୀ ବୃନ୍ଦ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଜନଶୁଣାଣି ଅଫିସର ଜ୍ୟୋତି ରଞ୍ଜନ ସାହୁ ପରିଚାଳନା କରିଥିବା ବେଳେ ଆଶ୍ରମ କରଡାବାଡି ପଞ୍ଚାୟତ ପିଇଓ, ଏଡିଇଓ ଙ୍କ ସମେତ ଅଙ୍ଗନବାଡ଼ି କର୍ମୀ ଓ ବ୍ଳକ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା