ଏସ.ସି/ଏସ.ଟି ମିଳିତ କ୍ରିୟାନୁଷ୍ଠାନ କମିଟିର ଜରୁରୀ ବୈଠକ।

0 221

ମାଲକାନଗିରି,୦୮/୧୦(ପିପିଟି) :ମାଲକାନଗିରି ଜିଲ୍ଲା ଏସ.ସି/ଏସ.ଟି ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଜରୁରୀ ବୈଠକ ମାଲକାନଗିରି ସଦର ସ୍ଥିତ କୁମୁଟିଗୁଡା ଆଦିବାସୀ କମ୍ୟୁନିଟି ହଲରେ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଶ୍ରେଣୀ ଓ ଚତୁର୍ଥ ଶ୍ରେଣୀ ଚାକିରୀରେ ଜିଲ୍ଲା ଭିତ୍ତିକ ନିଯୁକ୍ତି ଦେବାକୁ ଦାବିକରି ଗତ ୪ ତାରିଖ ଦିନ ଅବିଭକ୍ତ କୋରାପୁଟ ଜିଲ୍ଲା ବନ୍ଦ ଡାକରା ଦିଆଯାଇଥିଲା। ଗଣତାନ୍ତ୍ରିକ ପଦ୍ଧତିରେ ବନ୍ଦ କୁ ସଫଳ କରାଯାଇଥିଲା ବେଳେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ଅବିଭକ୍ତ କୋରାପୁଟ ଜିଲ୍ଲା ଉପାନ୍ତ ଅଞ୍ଚଳର ଅଧିକାଂଶ ଛାତ୍ରଛାତ୍ରୀମାନେ ଅଗ୍ରଣୀ ଜିଲ୍ଲାର ଛାତ୍ରଛାତ୍ରୀମାନଙ୍କ ସହ ଶିକ୍ଷା କ୍ଷେତ୍ରରେ ପ୍ରତିଯୋଗିତା କରିବା ସମ୍ଭବପର ନୁହଁ। ତେଣୁ ଗ୍ରୁପ – ସି ଏବଂ ଗ୍ରୁପ – ଡ଼ି ସରକାରୀ ଚାକିରି ଗୁଡିକୁ ଜିଲ୍ଲା ଭିତ୍ତିକ ନିଯୁକ୍ତି ପାଇଁ ୨୦୧୩ ମସିହା ସଙ୍ଘ ମାଧ୍ୟମରେ ଦାବିକରି ଆସୁଅଛି। ପଡୋଶୀ ଆନ୍ଧ୍ର ଏବଂ ତେଲେଙ୍ଗାନାରେ ମଧ୍ୟ ଉକ୍ତ ପଦବିଗୁଡିକ ରାଜ୍ୟ ଭିତ୍ତିକ ନ କରି ଜୋନ ଭିତ୍ତିକ କରାଯାଇଅଛି। ଏଣୁ ରାଜ୍ୟ ସରକାର ଗ୍ରୁପ – ସି ଏବଂ ଗ୍ରୁପ – ଡ଼ି ସରକାରୀ ପଦବିଗୁଡିକ ଜିଲ୍ଳା ଭିତ୍ତିକ କିମ୍ବା ଜୋନ ଭିତ୍ତିକ କରିବା ଆବଶ୍ୟକ । ଯଦି ସରକାର ଏଥି ପ୍ରତି କର୍ଣ୍ଣ ପାତ ନ କରନ୍ତି,ତା’ହେଲେ ଆଗାମୀ ଦିନରେ ଅବିଭକ୍ତ କୋରାପୁଟ ଜିଲ୍ଲା ମିଳିତ କ୍ରିୟାନୁଷ୍ଠାନ କମିଟି ଆନୁକୂଲ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ଏକ ସ୍ୱତନ୍ତ୍ର ରାଜ୍ୟ କିମ୍ବା ୟୁନିଅନ ଟେରିଟୋରି ଅଫ ଷ୍ଟେଟ ଗଠନ ଦିଗରେ କାର୍ଯ୍ୟ କରିବାକୁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜିର ଏ ବୈଠକରେ କ୍ରିୟାନୁଷ୍ଠାନ କମିଟିର ସଭାପତି ଜାରାଶବର ମାଡି,ମୁଖ୍ୟ ଉପଦେଷ୍ଟା ପ୍ରଭାକର ହନ୍ତାଳ ଓ ଘନଶ୍ୟାମ ମାଡକାମୀ, କାର୍ଯ୍ୟକାରୀ ସଭାପତି ସୋନୁ ଅନୁଗୁ, ଉପ ସଭାପତି ବି.କାମେଶ୍ୱର ରାଓ ,ଘେନୁ ମୁଦୁଲି, ସହ ସମ୍ପାଦକ ଉମେଶ ଜାନିଙ୍କ ସମେତ ଶତାଧିକ ମହିଳା, ପୁରୁଷ ଓ ଛାତ୍ରଛାତ୍ରୀମାନେ ଯୋଗଦେଇଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.