ବୋଲଗଡ,୦୩/୦୯(ପିପିଟି): ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ କୁ ରାଜ୍ୟ ସରକାର ଏନସି ମାନ୍ୟତା ପ୍ରଦାନ କରିଛନ୍ତି । କିନ୍ତୁ ଦୀର୍ଘ ଦିନର ଦାବୀ ସତ୍ୱେ ବୋଲଗଡ ବେଗୁନିଆ ଏଥିରୁ ବାଦ ପଡିଛି । ଯାହାକୁ ନେଇ ବୋଲଗଡ ବେଗୁନିଆବାସୀଙ୍କୁ ମଧ୍ୟରେ ଦେଖା ଦେଇଛି ଅସନ୍ତୋଷ । ଏନେଇ ସୋମବାରଦିନ ବୋଲଗଡ ବରିଷ୍ଠ ନାଗରିକମଞ୍ଚ ପକ୍ଷରୁ ଏକ ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ବରିଷ୍ଠ ନାଗରିକ ମଞ୍ଚର ସଭାପତି ଗୋପୀନାଥ ଖାଡ଼ଙ୍ଗା, ଉପସଭାପତି ରାଧାଶ୍ୟାମ ରାୟଗୁରୁ ମହାପାତ୍ର, ସମ୍ପାଦକ ରଘୁନାଥ ଦଳବେହେରା ଉପଦେଷ୍ଟା ଦିବାକର ପରମଗୁରୁଙ୍କ ସମେତ ବହୁ ବରିଷ୍ଠ ନାଗରିକ ଓ ବୋଲଗଡର ବୁଦ୍ଧିଜୀବୀ ଉପସ୍ଥିତ ଥିଲେ । ବରିଷ୍ଠ ନାଗରିକ ମଞ୍ଚର ସଭାପତି ଶ୍ରୀ ଖାଡ଼ଙ୍ଗା କ୍ଷୁବ୍ଧ ପ୍ରକାଶ କରି ଭୁବନେଶ୍ୱର ସାଂସଦ ଙ୍କୁ ଦାୟୀ କରିଛନ୍ତି । ସାଂସଦ କଥା ଦେଇ କଥା ରଖିନାହାନ୍ତି । ବୋଲଗଡକୁ ଏନଏସି ପାଇଁ ୧୬ ବର୍ଷ ଧରି ଆନ୍ଦୋଳନ କରାଯାଇ ବିଧାନସଭାରେ ଦୁଇ ଥର କଥା ଉଠିଛି । ହେଲେ ରାଜ୍ୟ ସରକାର ବୋଲଗଡ କୁ ଅବହେଳା କରିଛନ୍ତି ବୋଲି ସଭାପତି ଶ୍ରୀ ଖାଡ଼ଙ୍ଗା କହିଛନ୍ତି । ସେହିପରି ଉପସଭାପତି ରାଧାଶ୍ୟାମ ରାୟଗୁରୁ ମହାପାତ୍ର ଅସନ୍ତୋଷ ବୃଦ୍ଧି କରି କହିଛନ୍ତି ଯେ ହରେକୃଷ୍ଣ ମହତାବ, ଜାନକୀ ବଲ୍ଳଭ ପଟ୍ଟନାୟକ କିମ୍ବା ନବୀନ ପଟ୍ଟନାୟକ ସରକାର ଥିଲେ ବୋଲଗଡ ଏନଏସି ନିଶ୍ଚିତ ପାଇଥାନ୍ତା । କିନ୍ତୁ ବିଜେପି ସରକାର ବୋଲଗଡ ପ୍ରତି ଛଳନା କରିଛନ୍ତି । ପୂର୍ବ ସରକାର ବୋଲଗଡ କୁ ଏନ ଏସି ଶୁଣାଇଥିଲାବେଳେ ତାହା ବିଜେପି ସରକାରରେ କଟିଗଲା । ୨୦୦୬ ମସିହାରୁ ସମସ୍ତ କାଗଜ ପତ୍ର ସରକାରଙ୍କ ନିକଟରେ ରହିଥିବା ବେଳେ କଣ ତ୍ରୁଟି ରହିଲା ଯେ ସରକାର ଆମକୁ ଜଣାଇଲେ ଆମେ ସମସ୍ତ କାଗଜ ପତ୍ର ଦେଇଥାନ୍ତୁ ବୋଲି କହି ସରକାର ଙ୍କୁ ସମାଲୋଚନା କରିଛନ୍ତି । ଏନେଇ ବେଗୁନିଆ ବୋଲଗଡ଼ର ବିଧାୟକ ପ୍ରଦୀପ କୁମାର ସାହୁ କହିଛନ୍ତି, ବେଗୁନିଆ ଓ ବୋଲଗଡ଼କୁ ବିଜେଡି ସରକାର ଏନ୍ଏସି ଘୋଷଣା କରିଥିଲେ । କିନ୍ତୁ ବିଜେପି ସରକାର ପ୍ରତାରଣା କରି ଟାଙ୍ଗୀକୁ ଏନ୍ଏସି ଘୋଷିତ କଲେ । ଏଭଳି ଅଣଦେଖା ରାଜନୈତିକ ହୀନ ଉଦ୍ଦେଶ୍ୟ ନେଇ କରାଯାଇଛି। ବେଗୁନିଆ, ବୋଲଗଡ଼ ଏନଏଏସି ପାଇଁ ସବୁ ଯୋଗ୍ୟତା ମଧ୍ୟ କାହିଁକି ଅଣଦେଖା କରାଯାଇଛି। ସରକାରଙ୍କ ବୈମାତୃକ ମନଭାବ ଜଳଜଳ ହୋଇ ଦିଶୁଛି ବୋଲି ବିଧାୟକ କହିଛନ୍ତି । ବିଗତ ଦିନରେ ଏନଏନସି ପାଇଁ ବେଗୁନିଆ, ବୋଲଗଡ଼ ଅଞ୍ଚଳବାସୀ ସ୍ଵତଃପ୍ରବୃତ୍ତ ଭାବେ ବନ୍ଦ ପାଳନରେ ସାମିଲ ହୋଇଥିଲେ । ଆଗାମୀ ଦିନରେ ବେଗୁନିଆ ଓ ବୋଲଗଡ଼ବାସୀ ରାଜରାସ୍ତାକୁ ଓହ୍ଲାଇବା ସହ ଦୃଢ଼ପ୍ରତିବାଦ କରିବେ।
ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।