ଏକ ବିବାଦୀୟ ପ୍ରଶ୍ନ, ରଜ ଦୋଳି ଗୀତର ଲେଖକ କିଏ ସେ ?

0 229

ଖୋର୍ଦ୍ଧା,୧୩/୦୬(ପିପିଟି) :ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ। ଏହି ଗୀତଟି ସାରା ଓଡିଶାର ପୁରପଲ୍ଲୀରେ ବେଶ୍ ପ୍ରଭାବ ବିସ୍ତାର କରିବା ସହିତ ବେଶ୍ ପରିଚିତ ହୋଇପାରିଛି। ତେବେ ଓଡିଶାର ଯେତେ ସବୁ ଲୋକଗୀତ ରହିଛି ସେ ସବୁର ଲେଖକଙ୍କ ନାମ ଆମକୁପ୍ରାୟ ଜଣା ନ ଥାଏ। ଯେପରିକି କୁଆଁରୀ ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ, ହଳିଆ ଗୀତ, କାନ୍ଦଣା ଗୀତ ଏବଂ ଏହି ରଜଦୋଳି ଗୀତ, ଲୋକଗୀତ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ। ଯାହାର କିଏ ସେ ଲେଖକ ତାହା ଜଣାପଡି ନାହିଁ। ପ୍ରଖ୍ୟାତ ଲୋକଗୀତ ଗବେଷକ କୁଂଜବିହାରୀ ଦାସ ତାଙ୍କ ଲୋକଗୀତ ସଂକଳନରେ ଏହି ରଜ ଗୀତକୁ ମଧ୍ୟ ସାମିଲ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଏହି ଗୀତର ଲେଖକ କେହି ନାହାଁନ୍ତି। ହେଲେ ଗତ କିଛି ବର୍ଷ ଧରି ରଜ ଗୀତର ଲେଖକ ନୟାଗଡର ମାଗୁଣୀ ମହାପାତ୍ର ବୋଲି କେତେକ ଦାବୀ କରୁଛନ୍ତି। ସେ ନେଇ ତାଙ୍କ ଲିଖିତ ପୁସ୍ତକକୁ ମଧ୍ୟ ପ୍ରଦର୍ଶିତ କରାଯାଇଛି। ଏହି ପୁସ୍ତକଟି ୧୯୫୨ ମସିହାରେ ଲେଖାଯାଇଛି ବୋଲି କୁହାଯାଉଛି। ସେଥିରେ ଲେଖକ ତଥା ପ୍ରକାଶକ ମାଗୁଣି ମହାପାତ୍ର ବୋଲି ପ୍ରକାଶିତ ହୋଇଛି। ହେଲେ ସେ ଏହି ଗୀତର ସ୍ରଷ୍ଟା ବୋଲି ଦାବୀ କରିବା କେତେ ଯୁକ୍ତିଯୁକ୍ତ ତାହା ସନ୍ଦେହ ସୃଷ୍ଟି କରିଛି। କାରଣ ଅନେକ ଗବେଷକଙ୍କ ମତରେ ରଜ ଗୀତ ୧୯୫୨ମସିହାର ନୁହେଁ। ଏହାର ବହୁ ପୂର୍ବରୁ ଏହି ଗୀତ ଓଡିଶା ଜନମାନସରେ ପ୍ରଚଳିତ ହୋଇ ଆସିଛି। ସେହିପରି ଗବେଷକ ହରିହର କାନୁୃନୁଗୋଙ୍କ ମତରେ ରଜଗୀତ ବହୁ ବର୍ଷ ଧରି ପ୍ରଚଳିତ ରହିଛି। ପରବର୍ତ୍ତି ସମୟରେ ଅନେକ ଅଞ୍ଚଳରେ କେତେକ ସାହିତ୍ୟ ପ୍ରେମୀ ସେହି ଗୀତ ଛାପି ଏହାର ପ୍ରଚାର ପ୍ରସାର କରାଇଛନ୍ତି। ହେଲେ ପ୍ରକୃତରେ ସେମାନେ କେହି ଏହାର ଲେଖକ ନୁହଁନ୍ତି। ଜନସୃତିରୁ ସଂଗ୍ରହ କରି ତାହା ପ୍ରକାଶିତ କରିଛନ୍ତି।

ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.