ଋଷିକୂଲ୍ୟା ସୁରକ୍ଷା ପାଇଁ ଗାଁ ଗାଁରେ ସଚେତନତା ଅଭିଯାନ ।

0 200

ବ୍ରହ୍ମପୁର,୧୮/୦୨(ପିପିଟି): ଋଷିକୂଲ୍ୟା ନଦୀ ସୁରକ୍ଷା କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ଗତ ଫେବୃଆରୀ ୧୩ ତାରିଖରୁ ଦ୍ଵିତୀୟ ପର୍ଯ୍ୟାୟ ଋଷିକୂଲ୍ୟା ସୁରକ୍ଷା ସଚେତନତା ଯାତ୍ରା ଆରମ୍ଭ ହୋଇଛି । ଋଷିକୁଲ୍ୟା ନଦୀର ଶେଷ ମୁଣ୍ଡ ରୂପେ ପରିଚିତ ପୁରୁଣାବନ୍ଧ ସମୂଦ୍ର ମୁହାଣ ଠାରୁ ଏହି ଯାତ୍ରା ବାହାରି ନଦୀର ଉଭୟ ପାର୍ଶ୍ୱରେ ଥିବା ଗଞ୍ଜାମ ସହର ସମେତ ପାଳିବନ୍ଧ,ଦାମୋଦଧପୁର,କଲ୍ୟାଣପୁର, କାଇଁଚପୁର,ଜଗନ୍ନାଥପୁର,ମଲାଡ,ବାହାରପୁର,ରାଉଳିବନ୍ଧ,ବରଦା,ଆଲିଆବାଦ,ମୁନୁଷୁପେଣ୍ଠ ପରି ଗଞ୍ଜାମ ବ୍ଳକ୍,ଛତ୍ରପୁର ବ୍ଳକ, ପୁରୁଷୋତ୍ତମପୁର ବ୍ଳକ୍ ଓ ଆସିକା ବ୍ଳକର ବିଭିନ୍ନ ଗାଁକୁ ଯିବା ସହ ସେଠାରେ ଗ୍ରାମବାସୀମାନଙ୍କୁ ଋଷିକୁଲ୍ୟା ନଦୀର ସୁରକ୍ଷା ନେଇ ସଚେତନ କରାଯାଇଥିଲା । ବିଶେଷ କରି ଛତ୍ରପୁର ଓ ଗୋପାଳପୁର ଅଞ୍ଚଳରେ ଥିବା ବଡ କମ୍ପାନୀମାନଙ୍କୁ ପାଣି ଦେବାକୁ ସରକାର ଋଷିକୁଲ୍ୟା ନଦୀର ଉପର ମୁଣ୍ଡରେ ପିପଳପଙ୍କା ଠାରେ ଯେଉଁ ବଡ ଡେମ୍ ତିଆରି କରିବାକୁ ଯେଉଁ ଯୋଜନା କରୁଛନ୍ତି, ତାହା ଋଷିକୁଲ୍ୟା ନଦୀକୁ ସବୁଦିନ ପାଇଁ ମାରିଦେବ ବୋଲି ଅଭିଯାତ୍ରୀମାନେ ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ । ନଦୀକୂଳିଆ ବିଭିନ୍ନ ଗ୍ରାମର ଗ୍ରାମବାସୀମାନେ କିଭଳି ନଦୀଶଯ୍ୟାରୁ ମନ ଇଛା ବାଲି ଚାଲାଣ ଯୋଗୁଁ ତଥା ପୂର୍ବ ଭଳି ନଦୀରେ ପାଣି ନ ଆସିବା ଯୋଗୁଁ ନଦୀ ଶୁଖି ସେ ଅଞ୍ଚଳର ଭୂତଳ ଜଳସ୍ତର ନିମ୍ନଗାମୀ ହେଉଛି ବୋଲି ଅଭିଯୋଗ କରିଥିଲେ । ପୂର୍ବରୁ ପାଞ୍ଚ ଦଶ ଫୁଟ ତଳେ ଥିବା ଭୂତଳ ଜଳ ଏବେ ୧୦୦ ରୁ ୨୦୦ ଫୁଟ ତଳକୁ ଚାଲି ଯାଇ ସେମାନଙ୍କର ପାନୀୟ ଜଳର ସଙ୍କଟ ସୣଷ୍ଟି କରୁଛି ବୋଲି କହିଥିଲେ । ସେହିପରି ନଦୀରେ ପାଣି କମିବା ଯୋଗୁଁ ସମୁଦ୍ର ଜଳ ମୁହାଣ ଦେଇ ୧୦ – ୧୨ କି.ମି ଯାଏ ଭିତରକୁ ମାଡି ଆସି ଭୂତଳ ଜଳକୁ ଲବଣାକ୍ତ କରିଥିବା କଥା ମଧ୍ୟ ଋଷିକୁଲ୍ୟା ନଦୀର ତଳମୁଣ୍ଡରେ ଥିବା ଗ୍ରାମବାସୀମାନେ କହିଥିଲେ । ସୁତରାଂ ନଦୀରେ ପାଣିର ଅଭାବ ସେମାନଙ୍କ ଗୃହ ପାଳିତ ପଶୁଙ୍କ ସଂଖ୍ୟା ହ୍ରାସ ପାଇଥିବା ଓ ଚାଷବାସରେ ବ୍ୟାଘାତ ହେବା କଥା ଜଣାଇଥିଲେ ।

ଏଭଳି ପରିସ୍ଥିତିରେ ନଦୀର ଉପର ମୁଣ୍ଡରେ ଡ଼୍ୟାମ୍ ହୋଇ ତା’ର ପାଣିକୁ କମ୍ପାନୀଙ୍କ ପାଇଁ ନେଇଗଲେ ନଦୀ ଓ ତା ଉପରେ ନିର୍ଭର କରୁଥିବା ଲୋକଙ୍କ ଅବସ୍ଥା ଆହୁରି ଭୟଙ୍କର ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି । ବର୍ତ୍ତମାନ ପାଣି ଅଭାବ ଯୋଗୁଁ ଚାଷ ବାସର ଦୂରାବସ୍ଥା ଫଳରେ ଗାଁର ଅନେକ ଲୋକ ଯେଉଁ ଭଳି ଦାଦନ ମୁହାଁ ହେଉଛନ୍ତି, ତାହା ଆଗାମୀ ଦିନରେ ଆହୁରି ଉତ୍କଟ ହେବ ବୋଲି ମତପ୍ରକାଶ ପାଇଛି । ବର୍ତ୍ତମାନ ଡେମ୍ ବନ୍ଦ କରି ନଦୀର ଜଳ ସଂରକ୍ଷଣ ପାଇଁ ନଦୀ କୂଳର ଗାଁମାନଙ୍କରେ ବଡ ବଡ ପୋଖରୀ ଓ ନଦୀର ବିଭିନ୍ନ ସ୍ଥାନରେ ଛୋଟ ଛୋଟ ବ୍ୟାରେଜ୍ ନିର୍ମାଣ କରିବାକୁ ଲୋକେ କହିଥିଲେ ।

ଋଷିକୂଲ୍ୟା ସୁରକ୍ଷା ଅଭିଯାନର ସଦସ୍ୟ ଓ କର୍ମକର୍ତ୍ତା ମାନେ ସ୍ଥାନୀୟ ସାଧାରଣ ଜନତା ତଥା ଲୋକ ପ୍ରତିନିଧିମାନଙ୍କୁ ଭେଟି ଋଷିକୂଲ୍ୟାର ଦୂରାବସ୍ଥା ବିଷୟରେ ଆଲୋଚନା ସମୟରେ ବିପୁଳ ଜନ ସମର୍ଥନ ପାଇଥିଲେ ଏବଂ ଆଗାମୀ ଦିନରେ ସେମାନେ ଅଭିଯାନରେ ସାମିଲ ହେବା ପାଇଁ ମଧ୍ୟ ପ୍ରତିଶୃତି ଦେଇଥିଲେ । ଏହି କ୍ରମରେ ଆସ୍କାର ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀଙ୍କ ସହ ଅଭିଯାତ୍ରୀମାନେ ତାଙ୍କ ଗାଁରେ ଆଲୋଚନା କରିଥିଲେ ଏବଂ ସେ ମଧ୍ୟ ଋଷିକୁଲ୍ୟା ସୁରକ୍ଷା ଅଭିଯାନ ପ୍ରତି ନିଜର ପୂର୍ଣ୍ଣ ସମର୍ଥନ ଜଣାଇଥିଲେ ।

ଋଷିକୁଲ୍ୟା ନଦୀ ସୁରକ୍ଷା କ୍ରୀୟାନୁଷ୍ଠାନ କମିଟିର ଏହି ସଚେତନତା ଅଭିଯାନରେ ଅଭିଯାନର ଅଶୋକ ଦଳେଇ,ଲୋକନାଥ ପରିଡା,ଆଦିତ୍ୟ ନାରାୟଣ ରଥ, କୣଷକ ନେତା ସିମାଞ୍ଚଳ ନାହାକ,ମତ୍ସ୍ୟଜୀବୀ ନେତା ମାଗତା ବେହେରା,ଏଆଇକେଏମଏସର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ,ଅଳକ ନାଥ ମିଶ୍ର ପ୍ରମୁଖ ନେତୣତ୍ଵ ନେଇଥିବା ବେଳେ ସ୍ଥାନୀୟ ସ୍ୱେଚ୍ଛାସେବୀ ତଥା ଗ୍ରମବାସୀମାନେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ । ଏହି ଅବସରରେ ଋଷିକୁଲ୍ୟାର ସୁରକ୍ଷା ପାଇଁ ତୁରନ୍ତ ପିପଳପଙ୍କା ଡେମ୍ ନିର୍ମାଣକୁ ବନ୍ଦ କରିବା ଓ ଅବାଧ ବାଲି ଖନନ ବନ୍ଦ କରିବା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ପଠାଇବାକୁ ଉଦ୍ଦିଷ୍ଟ ଏକ ସ୍ମାରକପତ୍ରରେ ଗାଁ ଗାଁରେ ଲୋକମାନଙ୍କ ଠାରୁ ଦସ୍ତଖତ ସଂଗ୍ରହ କରାଯାଇଥିଲା । ଗ୍ରାମରେ ସାଧାରଣ ସଭା,ପ୍ରଚାରପତ୍ର ବଣ୍ଟନ ଓ ପଥପ୍ରାନ୍ତ ସଭା ମାଧ୍ୟମରେ ଚାଲିଥିବା ଏହି କାର୍ଯ୍ୟକ୍ରମ ଆସନ୍ତା ଏକ ସପ୍ତାହ ପର୍ଯ୍ୟନ୍ତ ନଦୀ କୂଳରେ ଥିବା ଧରାକୋଟ ଓ ସୋରଡା ବ୍ଳକର ବିଭିନ୍ନ ଗ୍ରାମରେ ଚାଲୁ ରହିବ ବୋଲି ଆୟୋଜକମାନେ କହିଛନ୍ତି ।

Leave A Reply

Your email address will not be published.