ଋଷିକୂଲ୍ୟା ନଦୀ ସୁରକ୍ଷା ପାଇଁ ପିପଳପଙ୍କାରୁ ଗଞ୍ଜାମ ମୁହାଣ ପର୍ଯ୍ୟନ୍ତ ୧୦ ଦିନିଆ ପଦଯାତ୍ରା ।

0 315

ବ୍ରହ୍ମପୁର,୨୫/୦୨(ପିପିଟି): ଘରୋଇ କମ୍ପାନୀଙ୍କୁ ପାଣି ଯୋଗାଇବାକୁ ଋଷିକୂଲ୍ୟା ନଦୀର ଉପରମୁଣ୍ଡରେ ପିପଳପଙ୍କା ଠାରେ ପ୍ରସ୍ତାବିତ ଡ୍ୟାମକୁ ବାତିଲ ଦାବିରେ ତଥା ଅବିଚାରିତ ବାଲି ଚାଲାଣକୁ ବନ୍ଦ କରିବା ଦାବିରେ ଋଷିକୂଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆସନ୍ତା ମାର୍ଚ୍ଚ ୧୬ ତାରିଖରୁ ୧୦ ଦିନିଆ ପଦଯାତ୍ରାର ଆୟୋଜନ କରାଯାଉଛି । ଆଜି ଆର୍ଯ୍ୟଭଟ୍ଟ ଫାଉଣ୍ଡେସନ ଠାରେ ଆବାହକ ସୁଧୀର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟିର ବୈଠକରେ ଋଷିକୂଲ୍ୟା ନଦୀ ନେଇ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ବୁଦ୍ଧିଜୀବି, କୃଷକ ନେତା, ଆଦିବାସୀ ନେତା ତଥା ପରିବେଶବିତମାନେ ଚିନ୍ତା ପ୍ରକଟ କରିବା ସହ ତା’ର ସୁରକ୍ଷା ପାଇଁ ଆଗାମୀ ଦିନରେ ସାରା ଜିଲ୍ଲାରେ ସଚେତନତା ଅଭିଯାନ ଚଳାଇବା ପାଇଁ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆଯାଇଥିଲା । ଏହି କ୍ରମରେ ଆଗାମୀ ମାର୍ଚ୍ଚ ୧୬ ତାରିଖରୁ ୨୫ ତାରିଖ ପର୍ଯ୍ୟନ୍ତ ସୋରଡା ବ୍ଲକରେ ସ୍ଥିତ ଋଷିକୂଲ୍ୟା ନଦୀର ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ସ୍ଥଳ ପିପଳପଙ୍କା ଠାରୁ ନଦୀର ଶେଷ ମୁଣ୍ଡ ଅର୍ଥାତ୍ ଗଞ୍ଜାମ ମୁହାଣ ପର୍ଯ୍ୟନ୍ତ ଏକ ପଦଯାତ୍ରା କରିବାକୁ ସ୍ଥିର କରାଯାଇଥିଲା । ଋଷିକୂଲ୍ୟା ନଦୀର ଉଭୟ ପାର୍ଶ୍ଵରେ ଥିବା ଗାଁ ଓ ସହର ଦେଇ ଏହି ପଦଯାତ୍ରା ଯିବା ସହ ବିଭିନ୍ନ ସ୍ଥାନରେ ସଭା ସମିତି କରି ଘରୋଇ କମ୍ପାନୀଙ୍କ ସ୍ଵାର୍ଥରେ ଉପରମୁଣ୍ଡରେ ଡ୍ୟାମ୍ ନିର୍ମାଣ କରିବାକୁ ସରକାରଙ୍କ ବିପଦଜନକ ଷଡ଼ଯନ୍ତ୍ରକୁ ଉଜାଗର କରିବାକୁ ଲକ୍ଷ୍ୟ ରଖାଯାଇଛି । ଏହି ପଦଯାତ୍ରାରେ ସ୍ଥାନୀୟ ଲୋକଙ୍କ ସହ ଜିଲ୍ଲାର ବିଭିନ୍ନ ସ୍ଥାନରୁ ସ୍ଵେଚ୍ଛାସେବୀ, ସାମାଜିକ କର୍ମୀ, କୃଷକ ନେତା ଓ ବୁଦ୍ଧିଜୀବିମାନେ ଅଂଶଗ୍ରହଣ କରିବେ ।

ଗତ କିଛି ବର୍ଷ ହେଲା ବର୍ତମାନ ଜଳବାୟୁ ପରିବର୍ତ୍ତନ ଲାଗି ଋଷିକୂଲ୍ୟାର ଜଳପ୍ରବାହ ହ୍ରାସ ପାଇ ଯାଇଥିବା ବେଳେ ନଦୀ ଗର୍ଭରୁ ଅବାରିତ ବାଲି ଚାଲାଣ ନଦୀକୁ ବିପଦଗସ୍ତ କରିଦେଇଛି । ଏହି କାରଣରୁ କେବଳ ବର୍ଷା ଚାରି ମାସକୁ ଛାଡ଼ିଦେଲେ ବର୍ଷର ବଳକା ସମୟ ନଦୀ ଶୁଷ୍କ ପ୍ରାୟ ରହୁଛି । ଏଭଳି ପରିସ୍ଥିତିରେ ସରକାରଙ୍କ ଡ୍ୟାମ୍ ନିର୍ମାଣ ନିଷ୍ପତି ଆଗାମୀ ଦିନରେ ନଦୀକୁ ସମ୍ପୂର୍ଣ୍ଣ ମାରିଦେବା ସହ ନଦୀର ଦୁଇ ପାର୍ଶ୍ବରେ ରହୁଥିବା ଶତାଧିକ ଗ୍ରାମର ଲକ୍ଷ ଲକ୍ଷ ଲୋକଙ୍କ ଅର୍ଥନୀତି ଓ ଜୀବନ ଜୀବିକାକୁ ପ୍ରଭାବିତ କରିବ । ଏହା ବ୍ୟତୀତ ଡ୍ୟାମ୍ ନିର୍ମାଣ ହେଲେ ଗଞ୍ଜାମ ଓ କନ୍ଧମାଳ ସୀମାରେ ଥିବା ପିପଳପଙ୍କାର ଦୁଇ ହଜାର ହେକ୍ଟରରୁ ଉର୍ଦ୍ଧ ଘଞ୍ଚ ଜଙ୍ଗଲ ଓ ତାରି ମଧ୍ୟରେ ବସବାସ କରୁଥିବା ୨୩ଟି ଗାଁର ଶହ ଶହ ଆଦିବାସୀ ଓ କୃଷକଙ୍କ ଜୀବନ ଜୀବିକା ବିପନ୍ନ ହେବ । ଏ ସମ୍ପର୍କରେ ରାଜ୍ୟ ସରକାରଙ୍କୁ ବାରମ୍ବାର ଜଭାଇବା ସତ୍ତ୍ୱେ ସରକାର ଏକପାଖିଆ ଓ ଅଗଣତାନ୍ତ୍ରିକ ଭାବେ ପ୍ରକଳ୍ପର କାମକୁ ଆଗେଇ ନେଉଥିବାରୁ କମିଟି ପକ୍ଷରୁ ତା’ର ତୀବ୍ର ବିରୋଧ କରାଯାଇଛି ।ଆଜିର ପ୍ରସ୍ତୁତି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଭାଲଚନ୍ଦ୍ର ଷଡ଼ଙ୍ଗୀ, ଋଷିକୂଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ, ଏଆଇକେଏମ୍‌ଏସ୍‌ର ରାଜ୍ୟ ସମ୍ପାଦକ ପ୍ରତାପ ନାୟକ, ମାନବବାଦୀ ହେତୁବାଦୀ ସଙ୍ଗଠନର ସମ୍ପାଦକ କେ ନନ୍ଦେଶୁ ସେନାପତି,ଇ. ଟି. ରାଓ,ସମାଜସେବୀ ସୁବାଷ ରାଉତ, ଯୁବନେତା ଆଦିତ୍ୟ ନାରାୟଣ ରଥ, ଶିକ୍ଷାବିତ୍ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ଏ. ସଜ୍ଞୀବ ରେଡ୍ଡୀ, ଆଇଏଫ୍‌ଟିୟୁ ସଭାପତି ପ୍ରତାପ ଚନ୍ଦ୍ର ପ୍ରଧାନ, କୃଷକ ନେତା କାଳୀଚରଣ ନାୟକ, ଶିକ୍ଷକ ନେତା କାମରାଜୁ ମହାରଣା, ଅଶୋକ ଦଳାଇ, ପୁରୁଷୋତ୍ତମପୁର ବାର୍ ଆସୋସିଏସନ୍ ସଭାପତି ସ୍ଵରାଜ୍ୟ ପାଣିଗ୍ରାହୀ, ବାବନପୁର ସରପଞ୍ଚ ସଞ୍ଜୟ କୁମାର ନାୟକଙ୍କ ସମେତ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଋଷିକୂଲ୍ୟା ନଦୀର ସୁରକ୍ଷା ପାଇଁ ଚିନ୍ତିତ ବୁଦ୍ଧିଜୀବି, ସାମାଜିକ କର୍ମୀ ଓ ପରିବେଶ କର୍ମୀମାନେ ଯୋଗଦେଇ ଡ଼େମ୍ ନିର୍ମାଣକୁ ବିରୋଧ କରିଥିଲେ।

Leave A Reply

Your email address will not be published.