ଯାଜପୁର,୩୦/୧୦(ପିପିଟି): କେନ୍ଦ୍ରାଞ୍ଚଳ ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକ ତଥା ବରିଷ୍ଠ ସୂଚନା ସେବା ଅଧିକାରୀ ହେମନ୍ତ କୁମାର ନାୟକ ଆଜି ଦିନିକିଆ ଯାଜପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ସମୀକ୍ଷା କରି ତାଙ୍କର ସୁଚିନ୍ତିତ ମତାମତ ଦେଇଥିଲେ। ଉପନିର୍ଦ୍ଦେଶକ ଶ୍ରୀ ନାୟକ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର ପ୍ରତିଷ୍ଠାନ ବିଭାଗର କାଗଜପତ୍ର,କ୍ୟାସ ରେଜିଷ୍ଟର, ସାଧାରଣ ଭଣ୍ଡାର, ଡ଼ାକବାଜି ଯନ୍ତ୍ର ଭଣ୍ଡାର,ସୂଚନା କେନ୍ଦ୍ର ପାଠାଗାର, ଯାଜପୁର ବିଷୟରେ ପଚାରି ବୁଝିବା ସହ କାର୍ଯ୍ୟକାରିତା ସୁପରିଚାଳନା ନିମନ୍ତେ ମାର୍ଗଦର୍ଶନ କରିଥିଲେ। କର୍ମଚାରୀ ମାନଙ୍କ ସେବା ପୁସ୍ତିକା, କାର୍ଯ୍ୟାଳୟର ବିଭିନ୍ନ ରେଜିଷ୍ଟର,ସୂଚନା ଅଧିକାର ଆଇନ ରେଜିଷ୍ଟର,ନ୍ଯୁଜ୍ ରେଜିଷ୍ଟର ଇତ୍ୟାଦି ଯାଞ୍ଚ କରିଥିଲେ। ପାଠାଗାର ଗୁଡ଼ିକୁ ପାଠକଙ୍କ ନିମନ୍ତେ ଉପଯୋଗ କରିବା ପାଇଁ ଖବର କାଗଜ ସହିତ ମାଗାଜିନ୍, ପ୍ରତିଯୋଗିତା ପରୀକ୍ଷା ସମ୍ବନ୍ଧିତ ପୁସ୍ତକ କିଣିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ ପୁରୁଣା ଖବର କାଗଜ ନିଲାମ ସମ୍ପର୍କରେ ତଦାରଖ କରିବା ସହ ଶ୍ରୀ ନାୟକ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଭ୍ୟୁ ର ବିକ୍ରି ସମ୍ପର୍କରେ ସମୀକ୍ଷା କରିଥିଲେ। ଗୋପବନ୍ଧୁ କାର୍ଯ୍ୟରତ ସାମ୍ବାଦିକ ସ୍ବାସ୍ଥ୍ୟ ବୀମା ଯୋଜନାରେ ଜିଲ୍ଲାରେ ଅନ୍ତର୍ଭୁକ୍ତ ହୋଇଥିବା ସମସ୍ତ ସାମ୍ବାଦିକଙ୍କୁ ସ୍ବାସ୍ଥ୍ୟ ବୀମା କାର୍ଡ ବଣ୍ଟନ ପ୍ରକ୍ରିୟା ତ୍ଵରାନିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ସୂଚନା କେନ୍ଦ୍ରର ନିଜସ୍ଵ ଗୃହ ନିର୍ମାଣ କରିବା ପାଇଁ ଜିଲ୍ଲାପାଳଙ୍କ ଜରିଆରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପୁଷ୍ପଗୁଚ୍ଛ,ଉତ୍ତରୀୟ ଓ ମୋମେଣ୍ଟୋ ଦେଇ ଉପନିର୍ଦେଶକ ଶ୍ରୀ ନାୟକଙ୍କୁ ସ୍ବାଗତ କରିଥିଲେ। କାର୍ଯ୍ୟାଳୟର ଅନ୍ୟାନ୍ୟ କର୍ମଚାରୀଙ୍କ ମଧ୍ୟରେ ବରିଷ୍ଠ ରାଜସ୍ବ ସହାୟକ ନିତ୍ୟାନନ୍ଦ ନାୟକ,ଭଣ୍ଡାର ରକ୍ଷକ ସତ୍ୟଜିତ ନାୟକ,କିରାଣୀ ତଥା ଗ୍ରନ୍ଥାଗାରିକ,ସୁଶ୍ରୀ ହରପ୍ରିୟା ସାହୁ , ରତିକାନ୍ତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ନାୟକ ଯାଜପୁର ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ପରିଦର୍ଶନ କରି ନିଜର ସନ୍ତୋଷ ପ୍ରକାଶ କରିଥିଲେ ।