ପୋଲସରା,୧୯/୦୧ (ପିପିଟି) :ପୋଲସରା ବ୍ଲକ ମାଳତେନ୍ତୁଳିଆ ଗ୍ରାମ ପଞ୍ଚାୟତ ସ୍ଥିତ ପି.ଏମ.ଶ୍ରୀ. ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ ମାଳତେନ୍ତୁଳିଆଠାରେ ବିଦ୍ୟାଳୟ ସ୍ତରୀୟ ପି.ଏମ.ଶ୍ରୀ. ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ଅଜିତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ଏବଂ ଫିତାକାଟି ଶୁଭ ଉଦଘାଟନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥିଭାବେ ବିଇଓ ଶ୍ରୀହର୍ଷବାବୁ ଖାଡଙ୍ଗା, ସରପଞ୍ଚ ଅସ୍ପତ ରାଉତ ଓ ସମିତିସଭ୍ୟା ସଂଯୁକ୍ତା ପ୍ରଧାନ, ଘୁମୁସର ଜିଲ୍ଲା ବିଜେପି ଯୁବ ମୋର୍ଚ୍ଚା ସଭାପତି ଦୀପକ କୁମାର ପ୍ରଧାନ ଓ ଏସ.ଏମ.ସି. ସଭାପତି ରଞ୍ଜୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।
ଏହି ଅବସରରେ ମୁଖ୍ୟଅତିଥି ନିଜର ଅଭିଭାଷଣରେ କ୍ରୀଡ଼ା ଶାରୀରିକ ସୁସ୍ଥତା ସହିତ ମାନସିକ ବିକାଶର ମୁଖ୍ୟ ଆଧାର । ଶିକ୍ଷାସହ କ୍ରୀଡ଼ାର ସମନ୍ୱୟ ଛାତ୍ରଛାତ୍ରୀଙ୍କୁ ଉତ୍ତମ ଏବଂ ଚରିତ୍ରବାନ ନାଗରିକ ଭାବେ ସମାଜରେ ପ୍ରତିଷ୍ଠିତ କରାଇଥାଏ ବୋଲି କହିଥିଲେ । ଅନ୍ୟ ଅତିଥିମାନେ ମଧ୍ୟ ଦିଗଦର୍ଶନ ଦେଇଥିଲେ । କାର୍ଯ୍ୟକ୍ରମରେ ଅନୁଷ୍ଠାନର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଏସଏମସି ସଭ୍ୟ/ସଭ୍ୟା ବୃନ୍ଦ ଏବଂ କର୍ମଚାରୀ ଉପସ୍ଥିତ ରହି ସହଯୋଗ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା