ଆସ ବୁଲିଯିବା ସତୀଗୁଡା ଇକୋ-ପାର୍କ ।

0 52

ଆଗକୁ ଆସୁଛି ନବ ବର୍ଷ-୨୦୨୪ । ମନରେ ନୂତନ ଆଶା, ନୂତନ ସମ୍ଭାବନା ଆଉ ନୂତନ ଉଦ୍ଦିପନା ନେଇ । ବର୍ତ୍ତମାନ ଠାରୁ ନବ ବଧୂ ପରି ନୂତନ ରୂପରେ ସଜେଇ ହୋଇଛି ସତୀଗୁଡା ଇକୋ-ପାର୍କ ମାଲକାନଗିରି ।ସବୁଠି ସପ୍ତ ରଙ୍ଗର ବୈଚିତ୍ର୍ଯମୟ ପରିବେଶ ବିମଣ୍ଡିତ ପ୍ରକୃତି ରାଣୀ।ଯାହାକି ପର୍ଯ୍ୟଟକଙ୍କ ମନ ମାନସକୁ ବିଭୋର କରିବ । ଜୀବନ ଏକ ଅସୁମାରୀ କ୍ଳାନ୍ତ ବିଷାଦଗ୍ରସ୍ଥ ମୁହୂର୍ତ୍ତ ଦେଇ ଗତିଶୀଳ।ସେ ଖୋଜେ ଏକ ଶାନ୍ତ କାନ୍ତ ଆନନ୍ଦମୟ ଜୀବନ ଚର୍ଯା।ଟିକେ ଅବସର ମିଳିଲେ ଖୋଜେ ଏକ ସୁନ୍ଦର ମହକ ଆନନ୍ଦ ପ୍ରମୋଦ ଭରା ପର୍ଯ୍ୟଟନ ସ୍ଥଳୀ, ଯାହାକି ଜୀବନର ସମସ୍ତ ବିଷାଦ ବେଦନାକୁ ରୂପାନ୍ତର କରି ଭରି ଦେବ ସ୍ବର୍ଗୀୟ ନୈସର୍ଗିକ ସୁଖ । ତନ୍ମଧ୍ୟରୁ ମାଲକାନଗିରି ସଦର ମହକୁମା ଠାରୁ ପାଞ୍ଚ କିମି ଦୁରରେ ଅବସ୍ଥିତ ସତୀଗୁଡା ଇକୋ-ପାର୍କ । ନିକଟରେ ସତୀଗୁଡା ଜଳ ଭଣ୍ଡାର।ସ୍ବସ୍ଥ ନିର୍ମଳ ଜଳ ରାଶି ରେ ଭାସମାନ ଜଳଚର ପକ୍ଷୀଙ୍କ କଳରବ। ନବାଗତ ପକ୍ଷୀଙ୍କ ଆଗମନରେ ସତୀଗୁଡା ଜଳ ଭଣ୍ଡାର ଦର୍ଶକଙ୍କ ମନ ବିମୁଗ୍ଧରେ ହେବ ଉଲ୍ଲସିତ।ବାରବାର ଇଛା ହେବ ସତୀଗୁଡା ରମଣୀୟ କମନୀୟ ପ୍ରକୃତି ଅପରୂପ ସୌନ୍ଦର୍ଯ୍ୟ କୁ ଅବଲୋକନ କରିବା ପାଇଁ।ଅଦୂରୁ ସୁଶୋଭିତ ମାଲ୍ଯବନ୍ତଗିରି । ଉକ୍ତ ପର୍ବତ ମାଳଟି ସତୀଗୁଡା ଠାରୁ ପ୍ରଲମ୍ବିତ ହୋଇ ପଡ଼ିଛି ଚାଲାଣଗୁଡା ଅଭିମୁଖେ। ଶ୍ରୀରାମଙ୍କ ୧୪ ବର୍ଷ ବନ ଗମନ ବେଳେ ବର୍ଷା ଚତୁର୍ମାସ ଏହି ମାଲ୍ଯବନ୍ତଗିରିରେ ଅତିବାହିତ କରିଥିଲେ।ସତୀ ସୀତାଙ୍କର ରହଣୀ ହେତୁ ଏହି ସ୍ଥାନର ନାମ ସତୀଗୁଡା ଭାବେ ଅଭିହିତ। ସର୍ବତ୍ର ଚକ୍ଷୁ ଉନ୍ମୋଚନ କଲେ ପ୍ରକୃତି ରାଣୀର ଶୋଭାର ଭଣ୍ଡାର।କବି ରାଧାନାଥ ରାୟଙ୍କ ଭାଷାରେ: “ସୁନ୍ଦର ତୃପ୍ତି ଅବସାଦ ନାହିଁ, ଯେତେ ଦେଖୁଥିଲେ ନୂଆ ଦିଶୁଥାଇ”..।
ବିଶେଷ କରି ଶୀତ ଋତୁରେ ପରିବେଶ ନିର୍ମଳ ଏବଂ ସୁନ୍ଦର ଥିବାରୁ ବହୁ ପର୍ଯ୍ୟଟକ ମାନେ ଏଠାକୁ ପରିଭ୍ରମଣ ରେ ଆସିଥାନ୍ତି। ଏହି ଇକୋ-ପାର୍କ କୁ ଯିବା ପାଇଁ ପ୍ରବେଶ ଶୁଳ୍କ ଦେବାକୁ ପଡିଥାଏ। ବନ ବିଭାଗ ତରଫରୁ ଇଛା ପ୍ରକଟ କରୁଥିବା ଯାତ୍ରୀମାନଙ୍କୁ ନୌକା ବିହାର ପାଇଁ ଛୋଟ ଓ ବଡ଼ ନୌକା ଯୋଗାଇ ଦିଆଯାଇଥାଏ ,ଏଥି ପାଇଁ କିଛି ଅର୍ଥ ଦେବାକୁ ପଡିଥାଏ।ଏଠାରେ ରାତ୍ର ରହଣୀ ପାଇଁ ବନ ବିଭାଗ ତରଫରୁ ପର୍ଯ୍ୟଟକଙ୍କୁ କଟେଜ୍ ଦେବାର ବ୍ୟବସ୍ଥା କରାଯାଇଛି। ଯେଉଁ ପର୍ଯ୍ୟଟକମାନେ ରାତ୍ର ଯାପନ କରିବା ଶକାସେ ଇଛା କରନ୍ତି, ସେମାନେ ଅନ୍ ଲାଇନ୍ ରେ କଟେଜ୍ ବୁକ୍ କରିପାରିବେ । ଏହା ବ୍ୟତୀତ ଏଠାରେ ହୋଟେଲ ରହିଛି, ଯେଉଁ ଖାଦ୍ୟ ଆବଶ୍ୟକ ଅଡର କଲେ ସାଙ୍ଗେ ସାଙ୍ଗେ ଯୋଗାଇ ଦିଆଯାଇଥାଏ।ଏହି ପାର୍କରେ କୃତ୍ରିମ ବନ୍ୟ ପ୍ରାଣୀଙ୍କ ପ୍ରତିକୃତି, କୃତ୍ରିମ ଝରଣା, ଔଷଧିୟ ବୃକ୍ଷ,ଭିୟୁ ପଏଣ୍ଟରେ ଦଣ୍ଡାୟମାନ ହୋଇ ସତୀଗୁଡା ଜଳ ଭଣ୍ଡାର ସହ ପର୍ବତମାଳା ଦୃଶ୍ୟକୁ ଉପଭୋଗ କରିପାରିବେ।

(ଆଲେଖ୍ୟ: କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନଂ:୯୪୩୭୭୭୯୪୪୭

Leave A Reply

Your email address will not be published.