ମାଲକାନଗିରି ,୧୧/୦୨(ପିପିଟି) :ଚାଲାଣଗୁଡା ଠାରେ ଆୟୋଜିତ ଆଲୁରୁ ମୁଠା ମାଉଲୀ ମା’ଙ୍କ ଯାତ୍ରା ଆଜି ଦ୍ୱିତୀୟ ଦିନ ରେ ପହଞ୍ଚିଛି । ମାଘ ମାସ ଶୁକ୍ଳ ଦଶମୀ ତିଥି ସୋମବାର ସନ୍ଧ୍ଯାରେ ମାଉଲୀ ମା’ଙ୍କୁ ନୂଆଗୁଡା ଠାରୁ ଶ୍ରଦ୍ଧାଳୁମାନେ ସ୍ବତନ୍ତ୍ର ବିମାନରେ ବିଜେ କରାଯାଇ ଚାଲାଣଗୁଡା ଶକ୍ତି ପୀଠରେ ସ୍ଥାପନ କରିଥିଲେ ।ପାରମ୍ପାରିକ ଆଦିବାସୀ ବାଦ୍ଯ ,ଭେରୀ ନାଦରେ ଗଗନ ପବନ ମୁଖରିତ ହୋଇଥିଲା । ଶିରୁଆମାନେ ହାତରେ ମୟୂର ପୁଛ ଧରି ମା’ଙ୍କ ସମ୍ମୁଖରେ କାଳସୀ ନୃତ୍ୟ ପରିବେଷଣ କରିଥିଲେ ।ମଙ୍ଗଳ ବାର ଦିନ ମାନସୀକଧାରୀ ଶ୍ରଦ୍ଧାଳୁମାନେ ମାଉଲୀ ମା’ ସମୀପରେ ବଳୀ ଭୋଗ ଅର୍ପଣ କରିଥିଲେ । କିଛି କ୍ଷଣ ପାଇଁ ଶକ୍ତି ପୀଠ ସ୍ଥଳଟି ବଳୀ ଦ୍ବାରା ରକ୍ତ ରଂଜିତ ହୋଇଥିଲା । ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ ଅନ୍ନ ଭୋଗର ବ୍ଯବସ୍ଥା କରାଯାଇଥିଲା । ଆଜି ଅନ୍ନ ପ୍ରସାଦ ୫ ହଜାର ଭକ୍ତ ମାନେ ସେବନ କରିଥିଲେ।ଏହି ଯାତ୍ରା ଲାଗି ଆଲିରୁ ମୁଠାର ୫୫ ଖଣ୍ଡ ଗ୍ରାମରୁ ଲାଠି ଏବଂ ଗ୍ରାମଦେବୀଙ୍କ ମିଳନ ହୋଇଥିଲା । ଏହି ଯାତ୍ରା ଏକ ବର୍ଷ ବ୍ଯବଧାନରେ ଚାଲାଣଗୁଡା ଶକ୍ତି ପୀଠରେ ଆଦିବାସୀ ପୂଜକମାନଙ୍କ ଦ୍ବାରା ପାଳନ କରାଯାଇଥାଏ ।ମା’ଙ୍କ ଆଶୀର୍ବାଦ ଲାଭ କରିବା ପାଇଁ ଓଡିଶା ଏବଂ ଛତିଶ ଗଡି ରାଜ୍ଯରୁ ବହୁ ଶ୍ରଦ୍ଧାଳୁମାନଙ୍କ ସମାଗମ ହୋଇଥିଲା । ତିନି ଦିନ ବ୍ଯାପୀ ଚାଲିଥିବା ଯାତ୍ରା ସ୍ଥଳଟି ଆଧ୍ଯାତ୍ମିକ ପରିବେଶ ସୃଷ୍ଟି କରିଥିଲା । ଏହି ଯାତ୍ରାକୁ ପରିଚାଳନା ଏବଂ ଶୃଂଖଳିତ କରିବା ପାଇଁ ଆଲୁରୁ ମୁଠା ମାଉଲୀ ମା’ ପୂଜା କମିଟି ଗଠନ କରାଯାଇଥିଲା । ଏହି ଯାତ୍ରା କୁ ଆଲୁରମୁଠା ମା ମାଉଲୀ ପୂଜା କମିଟି ଚାଲାଣ ଗୁଡା,ସଭାପତି ଇର୍ମା ପଡିଆମି, ସଂପାଦକ ଅରକ୍ଷିତ ନାୟକ,ଗଙ୍ଗା ଦୁରୁଆ,ମୁନା ମାଡକାମୀ, ପଦିଆ କବାସୀ, ସନ୍ତୋଷ ଜେନା,ଭୀମ ଦୁରୁଆ, ପୂଜାରୀ ପ୍ରଦୀପ ଧାରୁଆ,ବୁଦ୍ରା ଧାରୁଆ,ମୁଠାଦାର ଦେବା ଧାରୁଆ,ଇର୍ମା କବାସି ପ୍ରମୁଖ ସହଯୋଗ କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଆୟୋଜନ ହୋଇ ଥିଲା।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)