ଆର୍ନ୍ତଜାତୀୟ ମହିଳା ଦିବସ ଅବସରେ ଗ୍ରାମୀଣ ଶ୍ରମଜୀବୀ ମହିଳାଙ୍କ ସମାବେଶ ।

0 82

କାଶୀନଗର,୦୮/୦୩(ପିପିଟି):ଆର୍ନ୍ତଜାତୀୟ ମହିଳା ଦିବସ ଅବସରରେ ପ୍ରଗତିଶୀଳ ମହିଳା ସଂଗଠନ ପକ୍ଷରୁ ଶ୍ରମଜୀବୀ ମହିଳାଙ୍କ ଏକ ସମାବେଶ କାଶୀନଗର ବ୍ଳକର ଅରମଡା ଠାରେ ଅନୁଷ୍ଠିତ ହୋଇଯାଇଛି । ମହିଳା ନେତ୍ରୀ ସୂର୍ଯ୍ୟା ଶବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ବିଶିଷ୍ଟ ପ୍ରଗତିଶୀଳ ଲେଖିକା ଡଃ ବିଧୂପ୍ରଭା ରଥ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବର୍ତ୍ତମାନର ସମାଜକୁ ପୁରୁଷତାନ୍ତ୍ରିକ ବୋଲି କହିବା ସହ ସମସ୍ତ ପ୍ରକାରର ଲିଙ୍ଗଗତ ଭେଦଭାବ ଓ ହିଂସାର ବିରୋଧ କରିବାକୁ ଡାକରା ଦେଇଥିଲେ ।

ଆଜିକୁ ୧୧୫ ବର୍ଷ ତଳେ ଜର୍ମାନୀର ବିଶିଷ୍ଟ ସମାଜବାଦୀ ମହିଳା ନେତ୍ରୀ କ୍ଳାରା ଜେଟକିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାଜବାଦୀ ମହିଳାଙ୍କ ଦ୍ଵିତୀୟ ଆନ୍ତର୍ଜାତୀୟ ସମ୍ମିଳନୀରେ ମହିଳାମାନଙ୍କ ସଂଘର୍ଷ ଓ ଏକତାର ପ୍ରତୀକ ଭାବେ ପ୍ରତିବର୍ଷ ମାର୍ଚ୍ଚ ଆଠ ତାରିଖକୁ ଆର୍ନ୍ତଜାତୀୟମହିଳା ଦିବସ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ବୋଲି ସେ କହିଥିଲେ ।

ସରକାରଙ୍କ ମହିଳା ବିରୋଧୀ ନୀତି ଓ କାର୍ଯ୍ୟକ୍ରମ ଯୋଗୁଁ ସମାଜରେ ମହିଳାମାନେ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ସେ ତାର ଉଦାହରଣ ଦେଇ ବର୍ଣ୍ଣନା କରିଥିଲେ । ଯୁଦ୍ଧ ନାଁରେ ରନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ଷାଠିଏ ଟଙ୍କା ବୣଦ୍ଧିର ଉଲ୍ଲେଖ କରି ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀର ଦରବୣଦ୍ଧିର ସଵୁଠାରୁ ବଡ ଶିକାର ମହିଳାମାନେ ବୋଲି କହିଥିଲେ । ପୂର୍ବରୁ ଦେଶର ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ପାଇଁ ବର୍ଷକୁ ଶହେ ଦିନ କାମ ଯୋଗାଇବାକୁ ରହିଥିବା ସବୁଠାରୁ ବଡ ସରକାରୀ କାର୍ଯ୍ୟକ୍ରମ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମାଞ୍ଚଳ ନିଶ୍ଚିତ ରୋଜଗାର ଆଇନ ବା ‘ମନରେଗା’ରେ ବହୁ ପରିମାଣରେ ଗ୍ରାମୀଣ ମହିଳା କାମ ପାଉଥିଲେ । କିନ୍ତୁ ନିକଟରେ ସରକାର ତାକୁ ଉଚ୍ଛେଦ କରି ତା’ରି ସ୍ଥାନରେ ଯେଉଁ ବିଭି ଜି ରାମଜୀ ଆଇନ ଆଇନ ଆଣିଛନ୍ତି, ତା’ରି ଫଳରେ ଗ୍ରାମୀଣ ମହିଳାମାନେ ସବୁଠାରୁ ବେଶୀ କାମ ହରାଇବାକୁ ଯାଉଛନ୍ତି ବୋଲି କହିଥିଲେ । ସେହିପରି ସରକାର ଚାରି ଶ୍ରମକୋଡ ନାଁରେ ପୂର୍ବରୁ ରହିଥିବା ଶ୍ରମ ଅଧିକାର ସବୁ ଉଚ୍ଛେଦ କରିବା ଫଳରେ ମହିଳା ଶ୍ରମିକମାନଙ୍କ ଅଧିକାର ସଙ୍କୁଚିତ ହେବାକୁ ଯାଉଛି । ନିକଟରେ ସରକାର ପୁଞ୍ଜିପତି ଓ ବଡ ବ୍ୟବସାୟୀଙ୍କ ସ୍ଵାର୍ଥରେ ବିନା କୌଣସି ସୁରକ୍ଷା ବ୍ୟବସ୍ଥାରେ ମହିଳା କର୍ମଚାରୀଙ୍କୁ ରାତ୍ରୀକାଳୀନ ସିଫ୍ଟରେ ନିୟୋଜିତ କରିବାକୁ ନିଷ୍ପତି ନେଇଛନ୍ତି, ତାହା ସେମାନଙ୍କ ସୁରକ୍ଷାକୁ ବିପନ୍ନ କରିବ ବୋଲି ସେ ଚେତାବନୀ ଦେଇଥିଲେ ।

ଅନ୍ୟତମ ଅତିଥି ଭାବେ ଯୋଗଦେଇ ବରିଷ୍ଠ ବାମପନ୍ଥୀ ନେତା ଭାଲଚନ୍ଦ୍ର ଷଡ଼ଙ୍ଗୀ ସମାଜରେ ରହିଥିବା ଲିଙ୍ଗଗତ ଭେଦଭାବ ଓ ହିଂସାର ଉଲ୍ଲେଖ କରି ନିଜର ଅଧିକାର ଓ ଆତ୍ମସମ୍ମାନ ପାଇଁ ସଂଘର୍ଷ କରିବାକୁ ଆହ୍ୱାନ ଦେଇଥିଲେ । ଉଭୟ ଘରେ, ବାହାରେ ଏବଂ କାର୍ଯ୍ୟସ୍ଥଳରେ ହେଉଥିବା ସମସ୍ତ ପ୍ରକାର ଲିଙ୍ଗଗତ ଭେଦଭାବ ଓ ହିଂସାର ବିରୋଧ କରିବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା ନେତ୍ରୀ ଗଣେଶ୍ବରୀ ଶବର,ବାଲେଶ୍ଵରୀ ଶବର,ମାଥିନି ଗମାଙ୍ଗ,ଅନିମା ଗମାଙ୍ଗ, ତୁଳସୀ ଶବର,ପାର୍ବତୀ ଶବର ଓ ଅଖିଳ ଭାରତ କିଶାନ୍ ମଜଦୁର୍ ସଭାର ଜିଲ୍ଲା ସଭାପତି କେଦାର ଶବର ନିଜ ନିଜର ବକ୍ତବ୍ୟ ରଖି ମହିଳାଙ୍କ ଅଧିକାର ପାଇଁ ସଂଗ୍ରାମ କରିବାକୁ ଆହ୍ୱାନ ଦେଇଥିଲେ । ସଭା ପୂର୍ବରୁ ମହିଳାମାନଙ୍କ ଏକ ପଟୁଆର ଗ୍ରାମ ପରିକ୍ରମା କରି ମହିଳାଙ୍କ ଏକତା ଓ ଅଧିକାର ଉପରେ ସ୍ଲୋଗାନ ଦେଇଥିଲେ ।

Leave A Reply

Your email address will not be published.