ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ: ପାରମ୍ପାରିକ ଓଡ଼ିଆ ଖାଦ୍ୟର ପ୍ରଦର୍ଶନ ।

0 64

ମାଲକାନଗିରି, ୧୩/୦୪(ପିପିଟି):ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଏହି ଅବସରରେ ସ୍ଵୟଂ ସହାୟକ ଗୋଷ୍ଠୀର ମା’ମାନେ ବିଭିନ୍ନ ପ୍ରକାରର ପାରମ୍ପାରିକ ଓଡ଼ିଆ ଖାଦ୍ୟ ପ୍ରସ୍ତୁତ କରି ଏହାର ପ୍ରଦର୍ଶନ କରିଥିଲେ। ସେମାନଙ୍କ ମଧ୍ୟରେ ଏକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଏବଂ ସର୍ବଶ୍ରେଷ୍ଠ ଦଳଙ୍କୁ ପୁରସ୍କୃତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ସୋମନାଥ ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଏହାକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ କହିଥିଲେ ଯେ ପାରମ୍ପାରିକ ଓଡ଼ିଆ ଖାଦ୍ୟ କେବଳ ଆମର ସ୍ୱାଦ ନୁହେଁ, ବରଂ ଏହା ଆମ ସଂସ୍କୃତିର ପରିଚୟ। ଆଜିର ଆଧୁନିକ ଯୁଗରେ ଆମର ପୁରାତନ ଖାଦ୍ୟଶୈଳୀକୁ ବଞ୍ଚାଇ ରଖିବା ସହ ଏହାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଏହିଭଳି ପ୍ରୟାସ ନିଶ୍ଚିତ ଭାବେ ପ୍ରଶଂସନୀୟ। ମାଆମାନଙ୍କର ଏହି କଳା ଆଗାମୀ ଦିନରେ ସେମାନଙ୍କୁ ସ୍ୱାବଲମ୍ବୀ କରିବାରେ ବହୁତ ସହାୟକ ହେବ।ବିଚାରକ ଭାବେ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ପ୍ରଭାସ ସେଠୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ନିର୍ମଳ ଧାରୁଆ ଓ ପ୍ରୋଗ୍ରାମ ଅଫିସର ଇନ୍ଦିରା ପ୍ରଧାନ ଯୋଗ ଦେଇଥିଲେ।
ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ପ୍ରମିଳା ମାଝୀ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିବା ବେଳେ ମିଶନ ଶକ୍ତି ଡିପିସି ହର୍ଷାନନ୍ଦ ପ୍ରଧାନ ଆୟୋଜନରେ ପ୍ରମୁଖ ସହଯୋଗ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡେପୁଟି ସିଇଓ ସ୍ୱସ୍ତିକା ପ୍ରଧାନ ଏବଂ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ରାଜୀବ ପୂଜାରୀ ଉପସ୍ଥିତ ଥିଲେ। ଅତିଥି ମାନେ ମତବ୍ୟକ୍ତ କରିଥିଲେ ଯେ ଖାଦ୍ୟ ପ୍ରସ୍ତୁତିରେ ସ୍ୱାଦ ସହିତ ସ୍ୱଚ୍ଛତା ଓ ପୁଷ୍ଟିକର ଗୁଣ ଉପରେ ଧ୍ୟାନ ଦେବା ଅତ୍ୟନ୍ତ ଜରୁରୀ । ସ୍ୱୟଂ ସହାୟକ ଗୋଷ୍ଠୀର ମା’ମାନେ ଯେଉଁଭଳି ଭାବେ ସ୍ୱଦେଶୀ ଜ୍ଞାନକୌଶଳରେ ସୁସ୍ଥକର ଖାଦ୍ୟ ପ୍ରସ୍ତୁତ କରିଛନ୍ତି, ତାହା ପ୍ରଶଂସାଯୋଗ୍ୟ। ଡିପିସି ମିଶନ ଶକ୍ତି କହିଥିଲେ ଯେ ମିଶନ ଶକ୍ତି ମାଆମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ସହ ସେମାନଙ୍କ ଭିତରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଆମର ମୁଖ୍ୟ ଉଦ୍ଦେଶ୍ୟ। ଏହି ଆମ ରୁଚି ଆମ ଖାଦ୍ୟ କାର୍ଯ୍ୟକ୍ରମ ସେମାନଙ୍କ ଆତ୍ମବିଶ୍ୱାସ ବୃଦ୍ଧି କରିବାରେ ଏକ ବଡ଼ ମାଧ୍ୟମ ସାଜିବ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟର କର୍ମଚାରୀ ଦେବାଶିଷ ବିଶ୍ୱାଳ, ସନ୍ତୋଷ ବିଶ୍ୱାସ, ଦୂତୀକୃଷ୍ଣ ପାଢ଼ୀ ଏବଂ ଜିଲ୍ଲା ସମାଜ ମଙ୍ଗଳ ବିଭାଗର କର୍ମଚାରୀମାନେ ସକ୍ରିୟ ସହାୟତା କରିଥିଲେ ।

(ରିପୋର୍ଟ: ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.