ଆନନ୍ଦ ଉଲ୍ଲାସର ସହିତ ଘୁମୁସର ଦିବସ ପାଳିତ; ସ୍ଵାଧୀନତା ସଂଗ୍ରାମ ଆନ୍ଦୋଳନର ମୂକ ସାକ୍ଷୀ ଭଞ୍ଜମାଟି ।

0 334

ଭଞ୍ଜନଗର, ୧୧/୦୯(ପିପିଟି ):ଭଞ୍ଜମାଟି ନିଜର ସ୍ୱତନ୍ତ୍ରତା ଲାଗି ଆଜି ସାରା ବିଶ୍ୱରେ ଏକ ନିଆରା ପରିଚୟ ସୃଷ୍ଟି କରିପାରିଛି।ଏହି ପରିପ୍ରେକ୍ଷୀରେ ଘୁମୁସର ଅଞ୍ଚଳ ପ୍ରଥମ ସ୍ୱାଧୀନତା ସଂଗ୍ରାମର ସମସ୍ତ ଶ୍ରେୟ ବହନ କରୁଛି। ଆଜି ଏସବୁ ସ୍ମୃତିକୁ ମନ ପକାଇ ଭଞ୍ଜନଗର ନିୟନ୍ତ୍ରିତ ବଜାର କମିଟି କାର୍ଯ୍ୟାଳୟ ପରିସରରେ ଘୁମୁସର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଆୟୋଜିତ ଉତ୍ସବରେ ବକ୍ତାମାନେ ଯୋଗଦେଇ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପ୍ରଥମ ସ୍ବର ଭଞ୍ଜଭୂମି ଘୁମୁସରରୁ ଆରମ୍ଭ ହୋଇଥିଲା ବୋଲି କହିଥିଲେ। ୧୮୭୦ ମସିହା ସେପ୍ଟେମ୍ବର ମାସ ୧୧ତାରିଖରେ ତତ୍କାଳୀନ ରସଲକୋଣ୍ଡା ବର୍ତ୍ତମାନର ଭଞ୍ଜନଗର ଠାକୁରାଣୀ ପଡ଼ିଆରେ ଘୁମୁସରର ଭାଷା ପ୍ରେମୀ, ନେତୃସ୍ଥାନୀୟ ବ୍ୟକ୍ତିଗଣ ଓଡିଆ ଭାଷା ଉପରେ ତେଲୁଗୁ ଭାଷାର ପ୍ରଚଳନକୁ ବିରୋଧ କରି ପ୍ରତିବାଦ ସଭା କରିଥିଲେ। ଯାହା ପରବର୍ତ୍ତୀ ସମୟରେ ଉତ୍କଳ ସମ୍ମିଳନୀର ରୂପ ନେଇ ଏକ ବିରାଟ ଜନଆନ୍ଦୋଳନର ରୂପ ନେଇଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନ ହୋଇଥିଲା।
ଉକ୍ତ ଐତିହାସିକ ପ୍ରଥମ ଦିନର ଘଟଣା ଏବଂ ଦିବସକୁ ସ୍ମରଣ କରି ଘୁମୁସର ବିକାଶ ପରିଷଦ ତରଫରୁ ଆଜି ହିଁ ଘୁମୁସର ଦିବସ ପାଳନ ହୋଇଥିଲା ବୋଲି ବକ୍ତାମାନେ କହିଥିଲେ। ଆଉ କିଛି ବକ୍ତା ଓଡ଼ିଶାର ବିଭିନ୍ନ କ୍ଷେତ୍ରକୁ ଘୁମୁସରର ଅବଦାନ ଦୃଷ୍ଟିରୁ ଏହା ଜିଲା ମାନ୍ୟତା ପାଇବାର ସମସ୍ତ ଯୋଗ୍ୟତା ରଖିଥିବାରୁ ତୁରନ୍ତ ସରକାର ଏହାକୁ ଜିଲା ଘୋଷଣା ପାଇଁ ଦାବି ମଧ୍ୟ କରିଥିଲେ। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚକରା ବିଷୋୟୀ, ଉପେନ୍ଦ୍ର ଭଞ୍ଜଙ୍କ ସମେତ ଘୁମୁସର ଇତିହାସ ଓ ଏହାର ସାଂସ୍କୃତିକ ସମ୍ପଦର ସୁରକ୍ଷା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଉଛି ବୋଲି କହିଥିଲେ। ଘୁମୁସରର ବିକାଶ ପାଇଁ ଯାହା ସହଯୋଗ ଲୋଡ଼ା ଯୋଗାଇ ଦିଆଯିବ। ପାଠ୍ୟକ୍ରମରେ ମଧ୍ୟ ଘୁମୁସର ଇତିହାସ ଉପରେ ଅଧିକ ପାଠ କିଭଳି ସ୍ଥାନିତ କରାଯିବ ସେନେଇ ପଦକ୍ଷେପ ନିଆଯିବ ବୋଲି ବିଧାୟକ ନାୟକ କହିଥିଲେ। ଘୁମୁସର ବିକାଶ ପରିଷଦର ସଭାପତି ସୋମନାଥ ନାୟକ ଉତ୍ସବରେ ସଭାପତିତ୍ୱ କରିଥିଲେ।
ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ, ଓଡ଼ିଶା କୃଷି ବିଶବିଦ୍ୟାଳୟର ପୂର୍ବତନ କୁଳପତି ଡ. ସୁରେନ୍ଦ୍ର ନାଥ ପଶୁପାଳକ, ବାଲେଶ୍ୱର ଫକୀର ମୋହନ ବିଶ୍ବବିଦ୍ୟାଳୟର ପୂର୍ବତନ କୁଳପତି ଶିବ ପ୍ରସାଦ ଅଧିକାରୀ , ଆକାଶବାଣୀ ଭୁବନେଶ୍ୱର କେନ୍ଦ୍ରର ପୂର୍ବତନ ନିର୍ଦ୍ଦେଶକ ଡ. ଶାନ୍ତନୁ କୁମାର ରଥ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଘୁମୁସର ଇତିହାସ ଉପରେ କହିଥିଲେ। କବି ପ୍ରଶାନ୍ତ କୁମାର ମହାନ୍ତି, ଇ. ଯାମିନୀକାନ୍ତ ଦାସଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ରବି ଦାସଙ୍କ ନିର୍ଦ୍ଦେଶନାରେ ରୀତି ସ୍ନିଗ୍ଧା ପ୍ରଧାନ ଓ ଉଦିତ ଦାସଙ୍କ କଣ୍ଠରେ ରେକର୍ଡ ହୋଇଥିବା ଘୁମୁସର ବନ୍ଦନା ସଙ୍ଗୀତ ଏହି ଅବସରରେ ଉନ୍ମୋଚିତ ହୋଇଥିଲା।
ଅପରାହ୍ନ ଅଧିବେଶନରେ ବରିଷ୍ଠ ଐତିହାସିକ ଡ ଶ୍ୟାମା ପ୍ରସାଦ ମିଶ୍ର, ବ୍ରଜ କିଶୋର ତ୍ରିପାଠୀ, ଡ ବାଲ୍ମିକୀ ପଟ୍ଟନାୟକ, ବାୟାମନୁ ଚର୍ଚ୍ଚି, ଡ ଅନତ ରାମ କର କୌଣ୍ଡିନ୍ୟ, ବ୍ରଜକିଶୋର ପାଢ଼ୀ, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ପୂର୍ବତନ ସଚିବ ମନ୍ମଥ ଶତପଥୀ, ଡ. ସ୍ଥିତଧି ରଥ ପ୍ରମୁଖ ଅତିଥି ଭାବେ ଯୋଗଦେଇ ନିଜର ମତ ରଖିଥିଲେ। କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ପ୍ରକାଶ ଚନ୍ଦ୍ର ସାହୁ, ଗୋପାଳ ଚନ୍ଦ୍ର ଲେଙ୍କା, ସୁରେନ୍ଦ୍ର ନାଥ ବେହେରା, ରବି ନାରାୟଣ ସାମନ୍ତ ପ୍ରମୁଖ ସହଯୋଗ କରିଥିଲେ।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.