ଆଜି ଛୁଇଁଲା ମାଲକାନଗିରି ଆକାଶକୁ ମୌସୁମୀ ବର୍ଷା ।

0 205

ମାଲକାନଗିରି,୨୮/୦୫(ପିପିଟି) :ଆଜି ମାଲକାନଗିରି ଆକାଶକୁ ପ୍ରଥମେ ଛୁଇଁଲା ମୌସୁମୀ ବର୍ଷା । ଫଳରେ ଅପରାହ୍ନ ୫ ଟା ସମୟରେ ଚାରିଆଡେ ଝିପ୍ ଝିପ୍ ବର୍ଷା ଆକାଶରୁ ମନ୍ଥର ଗତିରେ ଝରିପଡିଲା ।କଳା କଳା ବାଦଲ ସାରା ଆକାଶକୁ ଆଛାଦିତ କଲା ପରେ ସୂର୍ଯ୍ୟ ରଶ୍ମି ଭୂପୃଷ୍ଠରେ ପତିତ ହେଲା ନାହିଁ। ଧୀରେ ଧୀରେ ବର୍ଷା ତା’ର ଗତି ପଥ ବଦଳାଇ ପ୍ରସରୀ ଗଲା ଏ ପ୍ରାନ୍ତରରୁ ସେ ପ୍ରାନ୍ତକୁ। ମୃଦୁ ମନ୍ଥର ଗତିରେ ବର୍ଷା ଭିଜାଇ ଦେଲା ସମଗ୍ର ମାଲକାନଗିରିର ତପ୍ତ ବନ ଗିରି ଭୂପୃଷ୍ଠକୁ । ମୌସୁମୀ ବର୍ଷାର ସ୍ପର୍ଶରେ ଶାନ୍ତ ଶୀତଳ ଅନୁଭବରେ ରସାଣିତ କରିଛି ମାଲକାନଗିରି ପରିବେଶକୁ। ବହୁ ଦିନର ଗ୍ରୀଷ୍ମ ତାପରୁ ମୁକ୍ତିଲାଭ ମିଳିଛି।ଲୋକମାନେ ଆଜି ରିମ୍ ଝିମ୍ ବର୍ଷରେ ନିଜକୁ ଭିଜାଇବାରେ ଅପୂର୍ବ ଆନନ୍ଦ ଅନୁଭବ କରିଛନ୍ତି।ଭାରତୀୟ ପାଣି ପାଗରେ ପୂର୍ବାନୁମାନ ଅନୁସାରେ ଆଜି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶାର ଦକ୍ଷିଣାଞ୍ଚଳରେ ୨୪ ଘଣ୍ଟା ମଧ୍ୟରେ ପ୍ରବେଶ କରିବ । ପାଣିପାଗ ସୂଚନା ଅନୁସାରେ ପୂର୍ବାନୁମାନ ସତ୍ଯରେ ପରିଣତ ହୋଇଛି। ପୂର୍ବରୁ ଏହି ମୌସୁମୀ ବାୟୁ ଓଡ଼ିଶାକୁ ମେ ୨୮,୧୯୯୯ ଏବଂ ମେ ୨୫,୨୦୦୯ ରେ ଛୁଇଁ ଥିଲା। ଦୀର୍ଘ ୧୬ ବର୍ଷ ପରେ ମୌସୁମୀ ବାୟୁ ଓଡ଼ିଶାରେ ସ୍ପର୍ଶ କରିଥିବାରୁ ଚଳିତ ବର୍ଷା ଋତୁରେ ଭଲ ବର୍ଷା ହେବ ବୋଲି ଆକଳନ କରାଯାଉଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.