ଆଜି ଅବସର ଗ୍ରହଣ କଲେ ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ ।

0 145

ମାଲକାନଗିରି,୨୯/୦୨(ପିପିଟି):ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାରେ କାର୍ଯ୍ଯରତ ଥିବା ଜିଲ୍ଲା ଶ୍ରମ ଅଧିକାରୀ ଶରତ କୁମାର ପାଣିଗ୍ରାହୀ ଆଜି ଅବସର ଗ୍ରହଣ କରିଛନ୍ତି।ସେ ମାଲକାନଗିରି ଜିଲ୍ଲାରେ ଜାନୁଆରୀ ୨୫,୨୦୨୨ରେ ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଯୋଗଦାନ ଦେଇ ଥିଲେ। ତାଙ୍କର କାର୍ଯ୍ୟ କାଳ ମଧ୍ୟରେ ୨୦ ହଜାର ନିର୍ମାଣ ଶ୍ରମିକ ଓ ୩,୫୦୦ ଅଣ ସଂଗଠିତ ଶ୍ରମିକଙ୍କ ନାମ ପଞ୍ଜୀକରଣ ହୋଇଥିବା ବେଳେ ଶ୍ରମିକମାନଙ୍କୁ ସମସ୍ତ ପ୍ରକାର ସରକାରୀ ସୁବିଧା ସୁଯୋଗ ଯୋଗାଇବାରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିଲେ। ବର୍ତ୍ତମାନ ମାଲକାନଗିରି ଜିଲ୍ଲାରେ ସର୍ବମୋଟ ସଂଗଠିତ ଶ୍ରମିକ ୬୫ ହଜାର ଓ ଅଣ ଗଠିତ ଶ୍ରମିକ ୧୪ ହଜାର ପଞ୍ଜୀକୃତ ରହିଛନ୍ତି। ଏହା ପୂର୍ବରୁ ଅର୍ଥାତ୍ ୨୦୧୭ ରେ ସେ ନୂଆପଡ଼ା ଜିଲ୍ଲାରେ ଜିଲ୍ଲା ଶ୍ରମ ଅଧିକାରୀ ଭାବେ ଦାୟିତ୍ବ ନିଷ୍ଠାପର ଭାବେ ନିର୍ବାହ  କରିଥିଲେ। ସେଠାରେ ଦାଦନ ଶ୍ରମିକ ରୋକିବାରେ ପ୍ରମୁଖ ଭୂମିକା ଗ୍ରହଣ କରି ରେକର୍ଡ ସୃଷ୍ଟି କରିବା ସହ ନିର୍ମାଣ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଦେବାରେ ସଫଳତା ଅର୍ଜନ କରିଥିଲେ।ଏହା ବ୍ୟତୀତ ୨୦୧୯ ମସିହାରେ ଯେଉଁ ସମୟରେ ଭୟାବହ କୋଭିଡ ମହାମାରୀ ଆତଙ୍କ ସୃଷ୍ଟି ହୋଇଥିଲା, ସେହି ସମୟରେ ନୂଆ ପଡ଼ା ଜିଲ୍ଲା ରୁ ବାହାର ରାଜ୍ୟକୁ ଯାଇଥିବା ଶ୍ରମିକମାନଙ୍କୁ ନିଜ ଜନ୍ମ ମାଟିକୁ ବିନା ବାଧାରେ ଫେରାଇ ଆଣିବା ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସଂପାଦନ କରି ପ୍ରଶଂସା ଭାଜନ ହୋଇଥିଲେ। ମାଲକାନଗିରି ଜିଲ୍ଲାରେ ତାଙ୍କର କାର୍ଯ୍ୟକାଳ ସମୟରେ ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳ, ଖଇରପୁଟ, ମାଥିଲି ଆଦି ଆଦିବାସୀ ଗ୍ରାମାଞ୍ଚଳକୁ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ପାଣିଗ୍ରାହୀ ଯାଇ ଜନସଚେତନତା କରାଯିବା ସହ ସଂଗଠିତ ଓ ଅଣ ସଂଗଠିତ ଶ୍ରମିକମାନଙ୍କୁ ସାମାଜିକ ସ୍ରୋତରେ ସାମିଲ୍ କରିବା ପ୍ରମୁଖ କାର୍ଯ୍ୟ ନିର୍ବାହ କରିଥିଲେ।
ସେ ଜଣେ ମିଷ୍ଟଭାଷୀ, ପରୋପକାରୀ ବ୍ୟକ୍ତି ଭାବେ ମାଲକାନଗିରି ଜିଲ୍ଲା ସମସ୍ତଙ୍କ ପ୍ରିୟପାତ୍ର ଥିଲେ । ଆଜି ତାଙ୍କ
ଅବସର ଶୁଣି ବହୁ ଶୁଭେଚ୍ଛୁ ସାକ୍ଷାତ କରିବା ପାଇଁ କାର୍ଯ୍ୟାଳୟ ରେ ରୁଣ୍ଡ ହୋଇଥିବା ଜଣାପଡ଼ିଛି। ତାଙ୍କର ୩୮ ବର୍ଷ କାର୍ଯ୍ଯ କାଳ ମଧ୍ୟରେ ୧୬ ବର୍ଷ ପଶ୍ଚିମ ଓଡ଼ଶାରେ ଏବଂ ୮ ବର୍ଷ ଦକ୍ଷିଣ ଓଡ଼ିଶାରେ ଅତିବାହିତ ହୋଇଥିଲା।ସେ ୧୯୮୬ ରେ ସରକାରୀ ଚାକିରୀରେ ଯୋଗ ଦେଇଥିଲେ। ଆଜି ଅର୍ଥାତ ୨୯ ୨.୨୦୨୪ ରେ ଅବସର ଗ୍ରହଣ କରିଛନ୍ତି।ଶ୍ରୀ ପାଣିଗ୍ରାହୀଙ୍କ ନିଜ ଘର ବାଲେଶ୍ବର ଜିଲ୍ଳା ବାହାନଗା ବ୍ଳକ ଅନ୍ତର୍ଗତ ବିଷ୍ଣୁ ପୁର ଗ୍ରାମରେ ବୋଲି ଜଣାପଡିଛି।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.