ବ୍ରହ୍ମପୁର,୨୨/୧୦: ପୀତବାସ ପଣ୍ଡା ହତ୍ୟା ଘଟଣାରେ ଆଜି ପୁଲିସ ୧୨ ଜଣଙ୍କୁ ଗିରଫ କରିଛି। ବ୍ରହ୍ମପୁରର ଜଣାଶୁଣା ଓକିଲ ତଥା ବିଜେପି ନେତା ପୀତବାସ ପଣ୍ଡାଙ୍କୁ ପ୍ରଥମେ ଗତ ସେପ୍ଟେମ୍ବର ମାସ ୧୪ ତାରିଖରେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଥିଲା। କିନ୍ତୁ ତାହା ସଫଳ ନହେବାରୁ ପୁଣି ଯୋଜନା ପ୍ରସ୍ତୁତ କରାଯାଇଥିଲା ଓ ଅକ୍ଟୋବର ୬ ତାରିଖରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଆଜି ଏକ ସାମ୍ବାଦିକ ସମ୍ମିଳନୀ ଏହି ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସ୍ପି । ସେ କହିଛନ୍ତି ଯେ ପୀତବାସ ପଣ୍ଡାଙ୍କୁ ହତ୍ୟା କରିବା ପାଇଁ ଏକ ଟିମ୍ ଆସି ଗତ ସେପ୍ଟେମ୍ବର ୧୦ରୁ ୧୪ ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁରରେ ଡେରା ପକାଇଥିଲା। ଏହି ଟିମ୍ରେ ୨ ଜଣ ବିହାରୀ ସୁଟର ଥିଲେ। ଉମା ବିଷୋୟୀ ସେମାନଙ୍କୁ ଆଣିଥିଲା। ଉମା ବିଷୋୟୀ ଜଣେ ଆଣ୍ଟି ସୋଶିଆଲ। ତା’ର ସହଯୋଗୀ ଯୋଗୀ ଓରଫ ଯୋଗେନ୍ଦ୍ର ରାଉତ ପଶ୍ଚିମବଙ୍ଗରେ ରହୁଥିବା ହିଞ୍ଜିଳି ଅଞ୍ଚଳର ବିପିନ ସ୍ୱାଇଁଙ୍କୁ ଡାକିଥିଲା। ବିପିନ ସ୍ୱାଇଁ କିଛି ଶୁଟରଙ୍କୁ ଜାଣିଥିଲା। ସୀମାଞ୍ଚଳ ନାୟକ ନାମକ ଜଣେ ବ୍ୟକ୍ତିଙ୍କୁ ସେମାନେ ଲିଆସିନିଂ ପାଇଁ ଡାକିଥିଲେ।
ଯୋଗେନ୍ଦ୍ର ରାଉତ, ବିପିନ ସ୍ୱାଇଁ ଓ ୨ ଶୁଟର ଅଲକାପୁରୀରେ ଏକ ଭଡ଼ା ଘରେ ରହିଥିଲେ ୧୦ ରୁ ୧୪ ତାରିଖ ପର୍ଯ୍ୟନ୍ତ। ଶୂନ୍ୟଚନ୍ଦ୍ର ଦାସଙ୍କ ଘରେ ସେମାନେ ଭଡ଼ାରେ ରହିଥିଲେ। ମଳୟ ବିଷୋୟୀଙ୍କ ନିର୍ଦ୍ଦେଶରେ ସେ ଏହି ୪ ଜଣଙ୍କୁ ଘରେ ରଖିଥିଲେ ବୋଲି କହିଛନ୍ତି। ଶୂନ୍ୟଚନ୍ଦ୍ର ଦାସଙ୍କର ଏହି ମାମଲାରେ କିଛି ସଂପୃକ୍ତି ନାହିଁ। ଏହି ୪ ଜଣ ମେଡିକାଲ କାମରେ ଆସିଥିଲେ ବୋଲି ତାଙ୍କୁ କୁହାଯାଇଥିଲା। ତେବେ ଦୁଇ ଜଣ ବିହାରର ହୋଇଥିବାରୁ ତାଙ୍କର ସନ୍ଦେହ ହୋଇଥିଲା। ତେଣୁ ଶୂନ୍ୟଚନ୍ଦ୍ର ଦାସ ପୁଣି ଥରେ ମଳୟ ବିଷୋୟୀଙ୍କୁ ଏ ବିଷୟରେ ପଚାରିଥିଲେ। ଏମ୍କେସିଜିରେ ସେମାନେ ଦେଖାଇବାକୁ ଆସିଛନ୍ତି ବୋଲି ମଳୟ କହିଥିଲେ। କିନ୍ତୁ ଶୂନ୍ୟଚନ୍ଦ୍ର ଦାସ ଯେତେବେଳେ ଭଡ଼ାଟିଆଙ୍କୁ ପଚାରିଲେ ସେମାନେ କହିଥିଲେ ଯେ ଏକ ଘରୋଇ ହସ୍ପିଟାଲରେ ଦେଖାଇବାକୁ ଆସିଛନ୍ତି। ତେଣୁ ତାଙ୍କର ସନ୍ଦେହ ହୋଇଥିଲା। ତେବେ ମଳୟ ବିଷୋୟୀ କହିଥିବାରୁ ସେ ଆଉ କିଛି କହି ନଥିଲେ।
ସୁଟରଙ୍କ ଖାଇବା ପିଇବା ଓ ସେମାନଙ୍କୁ ଗାଡ଼ି ଯୋଗାଇବା ବ୍ୟବସ୍ଥା କରିଥିଲେ ଯୋଗେନ୍ଦ୍ର ରାଉତ ଓ ଉମା ବିଷୋୟୀ। ବିହାରୀ ସୁଟର ଦ୍ୱୟ ପୀତବାସ ପଣ୍ଡାଙ୍କ ଚାମ୍ବର ଦେଖିଥିଲେ। କେଉଁ ରାସ୍ତାରେ ସେ ଯା’ଆସ କରନ୍ତି,ତାହା ଦେଖିଥିଲେ। ମାରିସାରିବା ପରେ କେଉଁ ରାସ୍ତାରେ ଖସିଯିବେ, ତା’ର ବି ପ୍ଲାନ୍ କରିଥିଲେ। ପୀତବାସଙ୍କୁ ମାରିବା ପାଇଁ ସୁଟର ଦ୍ୱୟ ୧୦ ଲକ୍ଷ ଟଙ୍କାର ଡିଲ୍ କରିଥିଲେ। ସେମାନେ କିଛି ଟଙ୍କା ଅଗ୍ରୀମ ନେଇଥିଲେ।
ଏହା ପରେ ଉମା ବିଷୋୟୀ ଏକ ନୂଆ ଟିମ୍ ଗଠନ କରିଥିଲା। ଏଥର ବିହାରୀ ଶୁଟର ବଦଳରେ ଲୋକାଲ ସୁଟରଙ୍କୁ କାମରେ ଲଗାଯାଇଥିଲା। ଯୋଜନା ମୁତାବକ ଅକ୍ଟୋବର ୬ ତାରିଖ ରାତିରେ ପୀତବାସ ପଣ୍ଡାଙ୍କୁ ହତ୍ୟା କରାଯାଇଥିଲା। ହତ୍ଯାକାଣ୍ଡ ପାଇଁ ୫୦ ଲକ୍ଷ ଟଙ୍କାର ସୁପାରି ଡିଲ୍ ହୋଇଥିବା ବେଳେ ୧୦ ଲକ୍ଷ ଟଙ୍କା ଅଗ୍ରୀମ ଦିଆଯାଇଥିବା ଏସପି ସୂଚନା ଦେଇଛନ୍ତି ।
ପୀତବାସ ପଣ୍ଡା ହତ୍ଯାକାଣ୍ଡ ଘଟଣାରେ ପୂର୍ବତନ ବିଧାୟକ ବିକ୍ରମ କୁମାର ପଣ୍ଡା,ପୂର୍ବତନ ମେୟର ଶିବଶଙ୍କର ଦାଶ,କର୍ପୋରେଟର ମଳୟ କୁମାର ବିଷୋୟୀ,ପୂର୍ବତନ ଛାତ୍ର ନେତା ମଦନ ଦଳାଇ,ଚିଣ୍ଟୁ ପ୍ରଧାନ,ବିପିନ ସ୍ବାଇଁ, ସୀମାଞ୍ଚଳ ନାୟକ,ଯୋଗେନ୍ଦ୍ର ରାଉତ, ରାଜେନ୍ଦ୍ର ସାହୁ,କାଳୁଚରଣ ଭୂୟାଁ, ସିଶୁପାଳ ପାଶୱାନ,କୁନ୍ଦନ କୁମାରକୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛି। କେଶ ନମ୍ବର ୫୧୮/୨୫,u/s 103(1)/3(5)BNS rw 25/27 Arms act ରେ ମମଲା ରୁଜୁ ହୋଇଛି।