ମାଲକାନଗିରି ,୨୩/୧୨(ପିପିଟି):ଆଜି ମାଲକାନଗିରି ଜିଲ୍ଲା ପୋଲିସ୍ ନିକଟରେ ଅସ୍ତ୍ରଶସ୍ତ୍ର ସହିତ ୨୨ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ୯ଟି ବନ୍ଧୁକ, ୧୪ଟି ଟିଫିନ ବୋମା, ଗୁଳି, ବିସ୍ଫୋରକ ସାମଗ୍ରୀ ଓ ଅନ୍ୟ ମାଓ ସାମଗ୍ରୀ ସହ ମାଓବାଦୀମାନେ ପୋଲିସ୍ ଡିଜି ୱାଇ ବି ଖୁରାନିଆଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ଆତ୍ମ ସମର୍ପଣ କାର୍ଯ୍ୟକ୍ରମରେ ପୋଲିସ୍ ଡିଜି, ଡ଼ିଆଇଜି କନୱର ଵିଶାଲ ସିଂ, ମାଲକାନଗିରି ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟ, ମାଲକାନଗିରି ଏସପି ବିନୋଦ ପାଟିଲ ଏଚ ଓ ଅନ୍ୟ ପୋଲିସ୍ ଅଧିକାରୀମାନେ ଉପସ୍ଥିତ ଥିଲେ। ହିଂସାର ପଥ ଛାଡି ଆତ୍ମସମର୍ପଣ କଲେ ସରକାରୀ ସ୍ତରରେ ସେମାନଙ୍କୁ ବିଭିନ୍ନ ସହାୟତା ପ୍ରଦାନ କରିବା ସହ ଥଇଥାନ କରାଯିବ ବୋଲି ପୋଲିସ୍ ଡିଜି ପ୍ରକାଶ କରିଛନ୍ତି।
ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ନାଁରେ ୨କୋଟି ୨୫ ଲକ୍ଷ ରୁ ଅଧିକ ଟଙ୍କାର ପୁରସ୍କାର ରାଶି ଥିଲା। ଆତ୍ମସମର୍ପଣ ପରେ ସମସ୍ତଙ୍କୁ ସରକାରୀ ନିୟମ ଅନୁଯାୟୀ ଥଇଥାନ କରାଯିବ ବୋଲି ପୋଲିସ୍ ପ୍ରକାଶ କରିଛି। ଦୁଇ ଜଣ ଆନ୍ଧ୍ର ଓଡିଶା ବୋର୍ଡ ଜୋନାଲ କମିଟି ର ସଦସ୍ୟ ହୋଇଥିବାବେଳେ ୨୦ଜଣ ଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ର ସଦସ୍ୟ ଥିଲେ। ଏମାନଙ୍କ ମଧ୍ୟରେ କୁଖ୍ୟାତ ମାଓ ନେତା ଡିସିଏମ ଲିଙ୍ଗେ ମଧ୍ୟ ସାମିଲ ଅଛି। ବହୁ ବଡ଼ ବଡ଼ ମାଓ ହିଂସାକାଣ୍ଡରେ ଏମାନେ ସଂପୃକ୍ତ ରହିଥିଲେ।
(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)