ଅବିଶ୍ରାନ୍ତ ବର୍ଷା-ପବନରେ ଭାଙ୍ଗିଲା ନୀଳଗିରିର ଶତାଧିକ ଘର;ରିଲିଫ ବାଣ୍ଟୁଛନ୍ତି ନେତା-ପ୍ରଶାସକ ।

0 239

ନୀଳଗିରି,୨୫/୧୦: ବାତ୍ୟା ‘ଦାନା’ ପାଇଁ ବାଲେଶ୍ୱର ଜିଲା ନୀଳଗିରିରେ ଅବିଶ୍ରାନ୍ତ ବର୍ଷା ଓ ପବନ ଲାଗି ରହିଛି । ଦିନ ୨ଟା ସୁଧା ନୀଳଗିରି ଅଞ୍ଚଳରେ ୯୪ ମିଲିମିଟିର ବର୍ଷା ରେକର୍ଡ଼ କରାଯାଇଥିଲା । ଯାହା ପାଇଁ ନୀଳଗିରିରେ ବନ୍ୟା ଆଶଙ୍କା ଦୃଢ଼ୀଭୂତ ହେବାରେ ଲାଗିଛି । ବିଲବାଡ଼ି ପାଣିରେ ଭର୍ତ୍ତି ହୋଇ ଯାଇଥିବା ବେଳେ ସୋନନଦୀ ସମେତ ଅନ୍ୟ ନଦୀଗୁଡ଼ିକ ଫୁଲି ଉଠିଛି । ନୀଳଗିରି ଅଞ୍ଚଳଟି ପାହାଡ଼ ଜଙ୍ଗଲ ଘେରା ହୋଇଥିବା ଯୋଗୁ ବିଭିନ୍ନ ଅଞ୍ଚଳରେ ସହସ୍ରାଧିକ ଗଛ ଗଡ଼ି ଯାଇଛି । କେଉଁଠି ଗଛ ଗଡ଼ି ରାସ୍ତା ଅବରୋଧ ହୋଇଛି ତ ପୁଣି କେଉଁଠି ଗଛ ପଡ଼ି ଘର ଭାଙ୍ଗି ଯାଇଛି । ବହୁ ସ୍ଥାନରେ ବିଦ୍ୟୁତ ଖୁଣ୍ଟ ଉପାଡ଼ି ହୋଇଯାଇଛି । ସେପଟେ ପ୍ରଶାସନ ପକ୍ଷରୁ ୯୭ଟି ବାତ୍ୟା ଆଶ୍ରୟ ସ୍ଥଳୀ ଖୋଲା ଯାଇଥିବା ବେଳେ ଆଜି ସନ୍ଧ୍ୟା ସୁଧା ୧୨ହଜାରରୁ ଊର୍ଦ୍ଧ୍ୱ ଲୋକ ସେଠାରେ ଥଇଥାନ ହୋଇଛନ୍ତି । ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ, ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସମେତ ବହୁ ନେତା, ଜନପ୍ରତିନିଧି, ସ୍ୱେଛାସେବୀ ସଂଗଠନ, ଏପରିକି ପ୍ରଶାସକମାନେ ମଧ୍ୟ ବିପନ୍ନଙ୍କୁ ନିଜ ହାତରେ ଖାଦ୍ୟ ବାଣ୍ଟୁଥିବା ଦେଖିବାକୁ ମିଳିଛି । ନୀଳଗିରି ଉପଜିଲାପାଳ ଶୁଭଶ୍ରୀ ରଥ, ତହସିଲଦାର ଦୀପ୍ତିମୟୀ ବେହେରା,ଯୋଗାଣ ଅଧିକାରିଣୀ ରାଜଲକ୍ଷ୍ମୀ ପଣ୍ଡାଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ବିପନ୍ନଙ୍କ ପାଇଁ ଯତ୍ନବାନ ହୋଇ ଉଠିଛନ୍ତି ।

Leave A Reply

Your email address will not be published.