ପୋଲସରା ,୨୬/୧୨(ପିପିଟି):ପୋଲସରା ବ୍ଲକ୍ ରୁମାଗଡ଼ ପଞ୍ଚାୟତ ସ୍ଥିତ ଶ୍ରୀଶ୍ରୀ ଦଣ୍ଡେଶ୍ୱର ସରକାରୀ ଉଚ୍ଚ ବିଦ୍ୟାଳୟ ରୁମାଗଡର ପ୍ରଧାନ ଶିକ୍ଷକ ଜୟନ୍ତ କୁମାର ମହାନ୍ତିଙ୍କୁ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ଜେନାଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଶିଷ୍ଟ ସମାଜସେବୀ ପ୍ରଭାକର ପଣ୍ଡା, ମୁଖ୍ୟବକ୍ତା ଭାବେ ଚିକିଟି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବାସୁଦେବ ମହାନ୍ତି ଏଵଂ ସମ୍ମାନୀତ ଅତିଥିଭାବେ ସରପଞ୍ଚ ଜିତୁ ବିଷୋୟୀ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଜଗନ୍ନାଥ ବେହେରା, ହାତିଓଟ
ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମାଶଙ୍କର ଦାସ,ମା ଭରାଣ୍ଡି ସରକାରୀ ଉଚ୍ଚ ବିଦ୍ୟାଳୟ ମନ୍ଦାରର
ପ୍ରଧାନ ଶିକ୍ଷକ ଅଭିରାମ ବେହେରା,ଭାଟଖାଲି ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୁଦ୍ଧନାଥ ବେହେରା, ଗୋପୀନାଥ ଉଚ୍ଚ ବିଦ୍ୟାଳୟ ବର୍ତ୍ତିନୀର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ସାହୁ, ରୁମାଗଡ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସତ୍ୟବାଦୀ ପାତ୍ର ପ୍ରମୁଖ ଯୋଗଦେଇଥିଲେ। ପ୍ରାରମ୍ଭରେ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ବିଦ୍ୟାଳୟର ଶିକ୍ଷକ, ସ୍କାଉଟ ଛାତ୍ର ଏବଂ ଅନ୍ୟ ଛାତ୍ରଛାତ୍ରୀଗଣ ନିଜର ପ୍ରୀୟ ଗୁରୁଜୀଙ୍କୁ ସ୍ଥାନୀୟ ଆରାଧ୍ୟ ଦେବୀ ଦଣ୍ଡକାଳୀଙ୍କ ପୀଠକୁ ନେଇ ଠାକୁର ଓ ଠାକୁରାଣୀଙ୍କ ଆଶିର୍ବାଦ ଲାଭ କରାଇବା ସହିତ ସମସ୍ତ ଗ୍ରାମ ପରିକ୍ରମା କରାଇଥିଲେ। ପରେ ବିଦ୍ୟାଳୟରେ ଆୟୋଜିତ ସମ୍ବର୍ଦ୍ଧନା ସଭାରେ ସମସ୍ତ ଅତିଥିବୃନ୍ଦ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନେ ଶ୍ରୀଯୁକ୍ତ ମହାନ୍ତିଙ୍କ ବିଦ୍ୟାଳୟରେ ୨୦୨୦ ସାଲରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେବା ଠାରୁ ଚଳିତ ୨୦୨୫ ନଭେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଦୀର୍ଘ ପାଞ୍ଚ ବର୍ଷ କାଳ ପର୍ଯ୍ୟନ୍ତ ନିଜର ମିଷ୍ଟଭାଷୀ ଉତ୍ତମ ଆଚାର ବ୍ୟବହାର, ଶିକ୍ଷାଦାନ,ପରିଚାଳନା ବିଦ୍ୟାଳୟର ରୂପାନ୍ତରଣରେ ଅବଦାନ,କାର୍ଯ୍ୟଦକ୍ଷତା ଦ୍ବାରା ସମସ୍ତଙ୍କ ନିକଟରେ ପ୍ରୀୟ ହୋଇପାରିଥିଲେ। ଏଣୁ ତାଙ୍କର ଅବସର ପରବର୍ତ୍ତୀ ଜୀବନ ନିରାମୟ,ସୁସ୍ଥ ଓ ସୁଖ ଓ ଶାନ୍ତିରେ ଅତିବାହିତ ହେବାପାଇଁ ପ୍ରଭୂଙ୍କ ନିକଟରେ ପ୍ରାର୍ଥନା କରିଥିବାବେଳେ ଛାତ୍ରଛାତ୍ରୀମାନେ ମଧ୍ୟ ପ୍ରଶ°ସା କରିଥିଲେ। ଏହି ଅବସରରେ ସମସ୍ତ ଅତିଥିବୃନ୍ଦ,ଛାତ୍ରଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟତ୍ରୀମାନେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସ୍ୱରୂପ ପ୍ରଧାନ ଶିକ୍ଷକ ଜୟନ୍ତ ମହାନ୍ତିଙ୍କୁ ଅଙ୍ଗବସ୍ତ୍ର, ପୁଷ୍ପଗୁଚ୍ଛ,ପୁଷ୍ପମାଲ୍ୟାର୍ପଣ ସହିତ ମାନପତ୍ର ପ୍ରଦାନ କରି ସମ୍ବର୍ଦ୍ଧନା ଦେଇଥିଲେ। ପରେ ସମ୍ବର୍ଦ୍ଧିତ ଶ୍ରୀଯୁକ୍ତ ମହାନ୍ତି ଆଜ୍ଞା ସମସ୍ତ ଅତିଥି,ଶିକ୍ଷକ ଶିକ୍ଷୟତ୍ରୀ, ପ୍ରୀୟ ଛାତ୍ରଛାତ୍ରୀ, କର୍ମଚାରି ଏବଂ ଗ୍ରାମବାସୀଙ୍କୁ ତାଙ୍କର କର୍ମମୟ ସମୟ ମଧ୍ୟରେ ମିଳିଥିବା ସହଯୋଗ ସକାଶେ ଆନ୍ତରିକ ଶୁଭେଚ୍ଛା ଏବଂ କୃତଜ୍ଞତା ଜଣାଇଥିବାର ଭାବବିହ୍ୱଳ
ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି ସମୟରେ ଗାୟତ୍ରୀ ପରିବାରରୁ ଆସିଥିବା ଯୋଗ ଶିକ୍ଷକ ଶିବରାମ ସାହୁ ସମସ୍ତ ଅତିଥିଙ୍କ ସମେତ ସମ୍ବର୍ଦ୍ଧିତ ପ୍ରଧାନ ଶିକ୍ଷକଙ୍କୁ ଉପାସନା
ପୁସ୍ତକ ବଣ୍ଟନ କରିଥିଲେ। ମଂଚ ପରିଚାଳନା ପୂର୍ବତନ ସିଆରସିସି ଜଗନ୍ନାଥ ପଣ୍ଡା କରିଥିଲେ। ଶେଷରେ ଶିକ୍ଷୟତ୍ରୀ ରେଶ୍ମାରାଣୀ ରଥ ଅନୁଷ୍ଠାନ ତରଫରୁ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।
ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା