ବ୍ରହ୍ମପୁର,୧୯/୦୯(ପିପିଟି):ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ତଥା ଲେଖକ ସୀତାରାମ ଷଡ଼ଙ୍ଗୀ ଆଜି ଅପରାହ୍ନରେ ୮୩ ବର୍ଷ ବୟସରେ ମୃତ୍ୟୁ ବରଣ କରିଛନ୍ତି । ଗତ ପ୍ରାୟ ୧୫ ଦିନ ଧରି ଭୁବନେଶ୍ବରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହୋଇ ଆଜି ଘରକୁ ଫେରିବା ପରେ ବ୍ରହ୍ମପୁରରେ ହୃଦଘାତରେ ମୃତ୍ୟୁ ହୋଇଯାଇଛି । ମୃତ୍ୟୁ ପରେ ତାଙ୍କର ଦୁଇ ଚକ୍ଷୁକୁ ଏମକେସିଜି ମେଡିକାଲ କଲେଜକୁ ଦାନ କରାଯାଇଥିଲା । ମେଡିକାଲ କଲେଜ ଚକ୍ଷୁ ବିଭାଗ ପକ୍ଷରୁ ଡାଃ ସୌମ୍ୟାଶ୍ରୀ ପ୍ରିୟଦର୍ଶିନୀ ଓ ଡାଃ ରାଜଲକ୍ଷ୍ମୀ ସାହୁ ସୀତାରାମ ଷଡ଼ଙ୍ଗୀଙ୍କ ଚକ୍ଷୁ ସଂଗ୍ରହ କରିଥିଲେ । ସେ ତାଙ୍କର ଚାକିରି ଜୀବନରେ ଜାମୁନୀ, କଙ୍କୋରଡା,ମାଧବନ୍ଧ,ବ୍ରହ୍ମପୁର ସ୍ଥିତ କୁଇନ ଅଫ୍ ଦି ମିସନ ହାଇସ୍କୁଲରେ ଶିକ୍ଷକତା କରିବା ସହ ଚିକିଟି ରାଜଲକ୍ଷ୍ମୀ ବାଳିକା ବିଦ୍ୟାଳୟରୁ ଅବସର ଗ୍ରହଣ କରିଥିଲେ । ଜଣେ ଆଦର୍ଶ ଶିକ୍ଷକ ଭାବେ ସେ ହଜାର ହଜାର ଛାତ୍ରଛାତ୍ରୀଙ୍କ ପ୍ରିୟଭାଜନ ହୋଇପାରିଥିଲେ । ସେ ଅନେକ ଗୁଡ଼ିଏ ପୁସ୍ତକ ରଚନା କରିଥିଲେ । ତାଙ୍କର ଦୁଇ ପୁଅ ଓ ଗୋଟିଏ ଝିଅ ରହିଛନ୍ତି । ବାମପନ୍ଥୀ ନେତା ତଥା ସ୍ତମ୍ଭକାର ଭାଲଚନ୍ଦ୍ର ଷଡ଼ଙ୍ଗୀ ତାଙ୍କର ବଡ ପୁଅ ଅଟନ୍ତି । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଦୁଇ ପୁଅ ଭାଲଚନ୍ଦ୍ର ଷଡ଼ଙ୍ଗୀ, ହୟଗ୍ରୀବ ଷଡ଼ଙ୍ଗୀ, ଦୁଇଭାଇ ଉମାଚରଣ ଷଡ଼ଙ୍ଗୀ, ନୃସିଂହାନନ୍ଦ ଷଡ଼ଙ୍ଗୀ, ନାତି ଆଶୁତୋଷ,ଦେବଦର୍ଶୀ, ଦେବାଶିଷ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ସହରର ଅନେକ ବୁଦ୍ଧିଜୀବୀ, ସାମାଜିକ କର୍ମୀ ଓ ରାଜନୈତିକ କର୍ମୀ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।