ସମୟ ତୁ ଅଟକି ଯାଆ
ସମୟର ସ୍ରୋତରେ ଭାସି ଭାସି
ଯେବେ କରାଳ ସାଗରରେ ଜୀବାତ୍ମା
ମିଶି ଯିବ/ବିଲୟ ହୋଇଯିବ ଜୀବନ ସରିତ…!!
ସାଗର ମଥା ପିଟେ କାହା ପାଇଁ
ଦିନରାତି/ପ୍ରତି ମୁହୂର୍ତ୍ତରେ
ବେଳା ଭୂଇଁରେ ଧକ୍କା ଖାଇ ଖାଇ
ବୁଝେନା ତା ମନ….
ଅବୁଝା ଯେମିତି ସେ
ଗର୍ଜନରେ ଫାଟି ପଡେ ସିନ୍ଧୁ ତଟ
ସେମିତି ମଣିଷର ଶେଷ ଯାତ୍ରା…!!
ଜୀବନ ଟା ସର୍ବଦା ଧାଉଁଛି
ମୃତ୍ୟୁ ପଛେ ପଛେ ଅବିଶ୍ରାନ୍ତ
ସୁଖ ଯେତେ/ସ୍ବପ୍ନ ଯେତେ
ପଛରେ ପକେଇ…..
ଯେତେ ସବୁ ସାଉଁଟି ଥିବା ଧନ ରତ୍ନ
ସିନ୍ଧୁକରେ ଥୁଆ/କାହାର ଲୋଲୁପ ଦୃଷ୍ଟିରେ
ଲୁଣ୍ଠିତ ହେବାକୁ
ଆଖି ବୁଜୁ ବୁଝୁ….!!
ସମୟ କାହାର ଆୟତ୍ତରେ ନାହିଁ
ମୃତ୍ୟୁ ବି…..
ଏ ଆଖିରେ ଲୋତକ ଦେଇ
ଛଡାଇ ନିଏ ଆପଣ ଜନକୁ
ନିଜ ପାଶୁ /ଗୁଡ଼ାଏ ମାୟା ମମତା
ବନ୍ଧନ ଫିଟାଇ ଯମ ନେଇ ଯାଏ ପ୍ରାଣ
ଅଦୃଶ୍ୟରେ /ନିସ୍ତେଜ ହୋଇ ପଡେ
ମାଟି ଘଟ
ମୃତ୍ୟୁ କୁ ଉଦଘୋଷଣା କରି….!!
ଚାହୁଁ ଚାହୁଁ ଏ ବାଟରେ ଗଲେଣି
ସେପାରିକୁ…. ଅନେକ ଯାତ୍ରୀ
କିଏ ଆଉ ଫେରିନି – ଅଫେରା ରାଜ୍ୟରୁ
ବୃଥା ଅପେକ୍ଷାରେ ଯେଉଁମାନେ
ଆର୍ତ୍ତନାଦ କରୁଥିଲେ : ସେମାନେ ବି ନିରବି
ଗଲେଣି ନିର୍ବିକାର ପରି ନୈରାଶ୍ୟ ରେ
ସେମାନଙ୍କ କଣ୍ଠ ନିରବି ଗଲାଣି
ଶୁଷ୍କ ନିର୍ଝର ପରି…!!
ସମୟ ବଡ଼ ବଳବାନ
ଆଜି ଯିଏ ଗଲା: ଗଲା
ଏବେ ମୋ ପାଳି
ମୁଁ ବି ସମୟକୁ ଅପେକ୍ଷାରେ ଅଛି
ଆଜି ଅବା କାଲି ଯିବାକୁ ହେବ
ହୁଏ ତ ମୁଁ ଗଲା ପରେ
ନୂଆ ନକ୍ଷତ୍ର ଟିଏ ଜନ୍ମ ନେବ
ବିଶାଳ ଗଗନରେ…..
ମୋ ନିତି ନାତୁଣୀ ଖୋଲା ଆକାଶ କୁ ଚାହିଁ
କହୁଥିବେ :ସେଇଟା ମୋ ଜେଜେ
ସେଇ ତାରାଟା :ମୋ ଅଜା….!!
(କବି କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭