ଅଧିକରୁ ଅଧିକ ଲୋକ ମତଦାନ ପ୍ରକ୍ରିୟାରେ ଭାଗ ନେବା ପାଇଁ ଜିଲ୍ଲାପାଳଙ୍କ ଆହ୍ବାନ ।

0 242

ମାଲକାନଗିରି, ୦୫/୦୧(ପିପିଟି): ଆଜି ସ୍ଥାନୀୟ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଫାଇନାଲ ଇଲେକ୍ଟରାଲ ରୋଲକୁ ପ୍ରକାଶ କରାଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଏବଂ ଅତିରିକ୍ତ ଜିଲ୍ଲାପାଳ ତଥା ଅତିରିକ୍ତ ନିର୍ବାଚନ ଅଧିକାରୀ, ବେଦବର ପ୍ରଧାନ ଓ ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀ, ଡଃ ଅକ୍ଷୟ କୁମାର ଖେମୁଣ୍ଡଙ୍କ ଉପସ୍ଥିତିରେ ସମସ୍ତ ରାଜନୈତିକ ଦଳଙ୍କୁ ଏହି ପୁସ୍ତିକାକୁ ପ୍ରଦାନ କରଯାଇଛି । ଜିଲ୍ଲପାଳ କହିଛନ୍ତି ଯେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମରେ ପାଖାପାଖି ୧୫ ହଜାର ନୂତନ ଭୋଟରଙ୍କୁ ସାମିଲ କରାଯାଇଛି ଯେଉଁଥିରେ ପ୍ରାୟ ୮ ହଜାର ମହିଳା ଥିବା ବେଳେ ୭ ହଜାର ପୁରୁଷ ରହିଛନ୍ତି । ସମଗ୍ର ରାଜ୍ୟରେ ୧୮ ରୁ ୧୯ ବର୍ଷ ବୟସର ଯୁବ ଭୋଟରଙ୍କୁ ପଞ୍ଜିକରଣ କରିବାରେ ମାଲକାନଗିରି ଜିଲ୍ଲା ସବୁଠାରୁ ଆଗରେ ରହିଛି। ଆଗାମୀ ନିର୍ବାଚନ ପ୍ରକ୍ରିୟାରେ ଅଧିକରୁ ଅଧିକ ଲୋକ ଭାଗ ନେଇ ମତଦାନ ହାରକୁ ସୁଦୃଢ଼ କରିବା ପାଇଁ ସମସ୍ତଙ୍କୁ ଜିଲ୍ଲାପାଳ ଆହ୍ବାନ କରିଛନ୍ତି । ସେହିପରି ଜିଲ୍ଲା ନିର୍ବାଚନ ପଞ୍ଜିକରଣ ଅଧିକାରୀ କହିଛନ୍ତି ଯେ ୨୦୨୩ ମସିହାରେ ପ୍ରାୟ ୨୯ ହଜାର ନୂତନ ଭୋଟରଙ୍କୁ ସାମିଲ କରାଯାଇଛି । ମହିଳାଙ୍କ ସମେତ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକଙ୍କ ସଂଖ୍ୟା ମଧ୍ୟ ବଢ଼ିଛି। ବିଶେଷ ଭାବେ ଭିନ୍ନକ୍ଷମ ଓ ବରିଷ୍ଠଙ୍କ ନିମନ୍ତେ ରାମ୍ପ ଓ ୱିଲ ଚେୟାର ଇତ୍ୟାଦିର ବ୍ୟବସ୍ଥାକୁ ଧ୍ୟାନ ଦିଆଯାଇଛି । ଆଗାମୀ ୮ ଜାନୁଆରୀରୁ ୨୯ ଫେବୃଆରୀ ପର୍ଯ୍ୟନ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳ ଏବଂ ଜିଲ୍ଲାର ପ୍ରତ୍ୟେକ ମତଦାନ କେନ୍ଦ୍ରରେ ଭୋଟଦାନ ମେସିନ ତଥା ଇଭିଏମ ବ୍ୟବହାର ସଂପର୍କରେ ପ୍ରଶିକ୍ଷଣ ପ୍ରଦାନ କରାଯିବ।
ସୂଚନା ଥାଉ କି ଜିଲ୍ଲାରେ ବର୍ତ୍ତମାନ ୪ ଲକ୍ଷ ୪୯ ହଜାର ୨୨୯ ଜଣ ଭୋଟର ରହିଛନ୍ତି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୧୭ ହଜାର ପୁରୁଷ ଥିବା ବେଳେ ୨ ଲକ୍ଷ ୩୧ ହଜାର ୪୪୫ ଜଣ ମହିଳାଙ୍କ ସମେତ ୪୪ ଜଣ ଅନ୍ୟ ବର୍ଗର ରହିଛନ୍ତି । ଇଲେକ୍ଟରାଲ ରୋଲ ପୁସ୍ତିକାକୁ ସ୍ୱଚ୍ଛ ରଖିବା ନିମନ୍ତେ ବହୁତ ସତର୍କତା ଅବଲମ୍ବନ କରି ବିଯୋଗ କରାଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ଅଗଷ୍ଟ ୨୦୨୩ ରେ ଘରକୁ ଘର ବୁଲି ଏହି ପ୍ରକ୍ରିୟା ସମ୍ପାଦନ କରାଯାଇଛି। ଅନ୍ୟ ମାନଙ୍କ ମଧ୍ୟରେ କଂଗ୍ରେସ ପକ୍ଷରୁ ସରୋଜ କୁମାର ପାତ୍ର, ବିଜେପି ପକ୍ଷରୁ ମାଣିକ ଲାଲ ଚକ୍ରବର୍ତ୍ତୀ, ବିଜେଡି ପକ୍ଷରୁ ଧନୁର୍ଜୟ ମାଡ଼କାମୀ, ସିପିଆଇ (ଏମ୍) ପକ୍ଷରୁ ବ୍ରଜ ମାଝୀ, ବିଏସପି ପକ୍ଷରୁ ଜାରାଶବର ମାଢୀ ଏବଂ ଆପ୍ ପକ୍ଷରୁ କେ ଦେଶୀ ରାଜୁ ଆଚାରୀ ଉପସ୍ଥିତ ଥିଲେ।

(ରିପୋର୍ଟ: ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.