ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ସଂଘ ସହ ଆଲୋଚନା ଅନୁଷ୍ଠିତ ।

0 64

ଭୁବନେଶ୍ୱର,୦୭/୦୪(ପିପିଟି):ରାଜ୍ୟରେ ସବୁ ସମୟରେ ଖାଉଟିମାନଙ୍କ ପାଇଁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀ ଉପଲବ୍ଧ କରାଇବା ଓ ଯୋଗାଣ ଶୃଙ୍ଖଳକୁ ଅବ୍ୟାହତ ରଖିବା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଵ୍ୟବସାୟୀ ସଂଘର ପ୍ରତିନିଧି ମାନଙ୍କ ସହ ଏକ ବୈଠକ ଅନୁଷ୍ଠିତ ହୋଇଛି । ମାନ୍ୟବର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଯୋଗାଣ ନିଗମ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ବିଭିନ୍ନ ଜିଲ୍ଲାର ଵ୍ୟବସାୟୀ ସଂଘର ପ୍ରତିନିଧି ମାନେ ଯୋଗ ଦେଇଥିଲେ ।

ବିଭିନ୍ନ ସମୟରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟବୃଦ୍ଧି ନିୟନ୍ତ୍ରଣ,ଖାଦ୍ୟ ସାମଗ୍ରୀର ବଜାର ଉପଲବ୍ଧତା, ସାମଗ୍ରୀର ଅନାବଶ୍ୟକ ମହଜୁଦ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଉପରେ ବିସ୍ତୃତ ଭାବେ ଆଲୋଚନା ହୋଇଛି । ଏଥିନିମନ୍ତେ ସମସ୍ତ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିନିଧି ମାନେ ପ୍ରତିଶ୍ରୁତି ଦେଇଥିଲେ । ଏଥିସହ ବ୍ୟବସାୟୀ ଓ ଖାଉଟି ମାନଙ୍କ ସ୍ୱାର୍ଥ ରକ୍ଷା ଦିଗରେ ସରକାରଙ୍କ ସହ ସମନ୍ୱୟ ରଖିବା ଉପରେ ମଧ୍ୟ ବୈଠକରେ ଆଲୋଚନା ହୋଇଛି । ଏତଦବ୍ୟତୀତ ପ୍ରତି ଜିଲ୍ଲାରେ ପରିବା ମଣ୍ଡି ପ୍ରତିଷ୍ଠା, ସ୍ୱତନ୍ତ୍ର ବ୍ୟବସାୟିକ ପେଣ୍ଠସ୍ଥଳୀ ନିର୍ମାଣ ଉପରେ ପ୍ରତିନିଧି ମାନଙ୍କ ଦାବିକୁ ଗୁରୁତର ଭାବେ ଗ୍ରହଣ କରି ପଦକ୍ଷେପ ନେବା ପାଇଁ ମନ୍ତ୍ରୀ ପାତ୍ର ପ୍ରତିଶ୍ରୁତି ଦେଇଥିଲେ । ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳ ମାନଙ୍କ ସହ ଏ ଦିଗରେ ଆଲୋଚନା କରାଯିବ ବୋଲି ମନ୍ତ୍ରୀ କହିଥିଲେ ।

ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ସ୍ୱତନ୍ତ୍ର ଶାସନ ସଚିବ ପୁରନ୍ଦର ଧରୁଆ,ବିପ୍ପଣୀ ଗୁପ୍ତବାର୍ତ୍ତା ଉପନିର୍ଦ୍ଦେଶକ ଦୀପକ ଶତପଥୀ,ରାଜ୍ୟର ବିଭିନ୍ନ ଵ୍ୟବସାୟୀ ସଂଘର ପ୍ରତିନିଧି  ସୁଧାକର ପଣ୍ଡା,  ଶକ୍ତି ଶଙ୍କର ମିଶ୍ର , କବିରାଜ ସ୍ୱାଇଁଙ୍କ ସମେତ କଟକ, ବାଲେଶ୍ଵର, ଗଞ୍ଜାମ ତଥା ବଲାଙ୍ଗୀର ଆଦି ଜିଲ୍ଲାର ବ୍ୟବସାୟୀ ପ୍ରତିନିଧି ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.