ବର୍ଷା ଅବିଶ୍ରାନ୍ତ ଗତିରେ ଚାଲିଛି।ମାଲ୍ଯବନ୍ତ ପାହାଡରୁ ଜଳ ସ୍ରୋତ ପ୍ରଖର ଗତିରେ ପ୍ରବାହିତ ହେଉଛି। ପାହାଡରୁ ଶୁଖିଲା କାଠ ପତ୍ର ଭାସି ଆସୁଛି । ଏହି ସମୟରେ ଜଗା ହାତରେ ଛତା ଧରି ମାଲ୍ଯବନ୍ତ ପାହାଡ ପାଦ ଦେଶରେ ପହଞ୍ଚି ଦେଖଛି ପାହାଡି ପାଣି ର ଖର ସ୍ରୋତ। ଏହି ପାଣି ମାଡି ଆସି ମାଲକାନଗିରି ସହରର କିଛି ଅଂଶକୁ ବନ୍ଯା ପ୍ଳାବିତ କଲାଣି।ପୌରପରିଷଦ ତରଫରୁ ବସଣ୍ଡାଡ ସାହିର ବାଲିସାଗର ଜଳ ମଗ୍ନ ହେବା ରୁ ଲୋକମାନଙ୍କୁ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର କରାଗଲାଣି। ଏମିତି ଲଗାଣ ବର୍ଷା ହେଲେ ମାଲକାନଗିରି ଜିଲ୍ଲାରେ ସପ୍ତ ଧାରା,ପାଙ୍ଗାମ,ପଟେରୁ , ସାବେରୀ, ସିଲେରୁ ଓ ମୋଟୁର ଚିନାଗୋଦାରୀ ନଦୀରେ ପ୍ରବଳ ଜଳ ପ୍ରବାହିତ ହୋଇ
ବନ୍ଯା ହୁଏ। କିଛି ଦିନ ପାଇଁ ଗମନାଗମନ ବିଛିନ୍ନ ହୁଏ। ବହୁ ମାଟି ଘର ଭୁଶୁଡ଼ି ଯାଏ। ଏମିତି ବର୍ଷା ଋତୁରେ ମାଲକାନଗିରି ଜିଲ୍ଲାର ଅବସ୍ଥା ଅସମ୍ଭାଳ ହୋଇ ପଡେ।
ସେ ଦିନ ମାଲ୍ଯବନ୍ତ ପାହାଡରୁ ଛୋଟିଆ ବରାହ ଛୁଆଟି ଭାସି ଜଳ ସ୍ରୋତରେ ଯାଉଥାଏ । ଜଗା ସେହି ଜଳ ସ୍ରୋତରୁ ବରାହ ଛୁଆଟିକୁ ଉଦ୍ଧାର କରି ପାଳିଲା । ପ୍ରତିଦିନ ଗାଈ କ୍ଷୀର ଆଣି ବୋତଲରେ ଭରି ପ୍ଲାଷ୍ଟିକ ନିପଲ୍ ଲଗାଇ ପିଆଲା। ଧୀରେ ଧୀରେ ବରାହ ଛୁଆଟି ବଡ ହେଲା । ଏବେ ଭାତ ତର୍କାରୀ ବିସ୍କୁଟ ସବୁ ଖାଉଛି।ଜଗା ପଛେ ପଛେ ଗୋଡାଉଛି।ଯାହା କହିଲେ କଥା ମାନୁଛି।ପଶୁ ହେଲେ କ’ଣ ହେଲା,ପାଟି ସିନା ଫିଟୁଛି ନି , ହେଲେ କଥା ସବୁ ବୁଝୁଛି । ଆ ଆ ବୋଲି ଡାକିଲେ
ପାଖକୁ ଆସୁଛି। ଖା କହିଲେ ଖାଉଛି।
ମାଲକାନଗିରି ଜିଲ୍ଲାରେ ଆଗ ଘନ ଜଙ୍ଗଲ ଥିଲା। ବହୁ ବନ୍ୟ ପ୍ରାଣୀମାନେ ଗାଁ ଗହଳରେ ପ୍ରବେଶ କରୁଥିଲେ। ଖରା ଦିନେ ବେଶି ଜଙ୍ଗଲ ପୋଡି ହେଲେ ପ୍ରାଣ ବିକଳରେ ଗାଁ ଗଣ୍ଡାରେ ପଶୁ ମାନେ ମାଡି ଆସନ୍ତି। ହିଂସ୍ର ଜନ୍ତୁ ହାବୁଡ଼ରେ ପଡ଼ିଲେ ମଣିଷକୁ କ୍ଷତ ବିକ୍ଷତ କରି ଥାଏ ।ପୂର୍ବେ ମାଲକାନଗିରି ପାହାଡରେ ବେଶି ଭାଲ୍ଲୁ ନିବାସ କରୁଥିଲେ। ଆଦିବାସୀ ଲୋକମାନେ ଜଙ୍ଗଲକୁ ବନ୍ଯଜାତ ସାମଗ୍ରୀ ସଂଗ୍ରହ କରିବାକୁ
ଗଲା ସମୟରେ ଭାଲ୍ଲୁର ସମ୍ମୁଖିନ ହୋଇ ଆକ୍ରମଣ ର ଶିକାର ହୋଉଥିଲେ। ଆଗ ଭଳିଆ ଆଉ ଜଙ୍ଗଲରେ ଭାଲ୍ଲୁ ନାହିଁ। କିଛି ବର୍ଷ ତଳେ ମାଲ୍ଯବନ୍ତଗିରିରେ ଦୁଇଟି ଭାଲ୍ଲୁ ସନ୍ଧ୍ୟାରେ ହେଉ ହେଉ ବୈରବ ମନ୍ଦିରକୁ ଆସୁଥିଲେ। ଭକ୍ତ ମାନେ ନଡିଆ ଖାଇବାକୁ ଦେଉଥିଲେ । ନୂଆ ଲୋକମାନେ ଭାଲ୍ଲୁ ମନ୍ଦିରକୁ ଆସିଲେ ଡରୁ ଥିଲେ। ପୂଜାରୀ ଡରୁ ନଥିଲା। ପୂଜାରୀ ସହିତ ଭାଲ୍ଲୁର ନିବିଡ ସମ୍ପର୍କ ଥିଲା। ବନ ବିଭାଗ ଏକଥା ଜାଣି, ସେଠାରେ ସାଇନ୍ ବୋର୍ଡ ଲଗାଇ ଲୋକମାନଙ୍କୁ ସତର୍କତା ଲେଖା ଲେଖି ଅବଗତ କରାଇଲେ – “ଭାଲ୍ଲୁ ପ୍ରତି ସାବଧାନ”।
ଲୋକମାନେ ଅମାନିଆ। ସେମିତି ଭାଲ୍ଲୁକୁ ଦେଖିବା ଭୈରବ ମନ୍ଦିରରେ ଭିଡ଼ ଜମାଉ ଥିଲେ । ଏ ବିଷୟରେ ଗଣ ମାଧ୍ୟମ ରେ ଚର୍ଚ୍ଚା ହେବା ପରେ ବନ ବିଭାଗର କର୍ମଚାରୀମାନେ ଯନ୍ତା ବସାଇ ଭାଲ୍ଲୁକୁ ସୁକୁମା ଜଙ୍ଗଲରେ ଛାଡି ଦେଲେ । ସେଠାରେ ଆଉ ଗହଳ ଚହଳ ରହିଲା ନାହିଁ। ଭାଲ୍ଲୁ ପ୍ରେମି ନିରାଶ।
ମହୁଲ ଫୁଲ ପଡିବା ସମୟେ ଭାଲ୍ଲୁମାନେ ମହୁଲ ଫୁଲ ଖାଇବାକୁ ପାହାଡରୁ ଗଡ଼ି ଆସୁଥିଲେ। ସକାଳୁ ସକାଳୁ ଆଦିବାସୀ ନୁନିମାନେ ମହୁଲ ଫୁଲ ବେଟିବାକୁ ଗଲା ସମୟରେ
ଭାଲ୍ଲୁକୁ ଦେଖୁଥିଲେ । ଆଜି କାଲି କାଁ ଭାଁ ଦେଖିବାକୁ ମିଳୁଛି। ଭାଲ୍ଲୁଙ୍କ ବଂଶ ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି। ଆଗେ ଚିତ୍ରକୋଣ୍ଡା ଜଙ୍ଗଲରେ ଗୟଳ ଦେଖିବାକୁ ମିଳୁଥିଲା। ଆଜି ଆଉ ଗୟଳ ନାହିଁ।ଆଗେ ମୋଟୁ ଜଙ୍ଗଲରେ ମୟୂର ପକ୍ଷୀ ଦେଖା ଯାଉଥିଲା । ଆଜି କାଲି ସେ ସବୁ ବିଲୁପ୍ତ। ବାଲିମେଳା ଜଙ୍ଗଲେ ଠେକୁଆ ଦେଖା ଯାଉଥିଲେ । ଆଜି କାଲି ଦେଖିବା ସ୍ବପ୍ନ। ମାଥିଲି ଅଞ୍ଚଳରେ ଶୁଆ ବେଶି ଦେଖା ଯାଉଥିଲା। ଲୋକମାନେ ହାଟରୁ ଛୋଟ ଛୋଟ ଶୁଆ ଶାବକ ଆଣି ଘରେ ଘରେ ପୋଷୁ ଥିଲେ। ଆଜି ଶୁଆ ପକ୍ଷୀ ଧିରେ ଧିରେ ବିଲୁପ୍ତ ଅବସ୍ଥାକୁ ଆସିଲାଣି।
ସେହି ପରି ମାଲକାନଗିରି ଜିଲ୍ଲାର ଯେ କୌଣସି ଜଙ୍ଗଲ କୁ ଗଲେ ବାରାହା ମିଳିବାଟା ସୁନିଶ୍ଚିତ ଥିଲା।ମାତ୍ର ବାରାହା ଏବେ
ଦ୍ରୁତ ଗତିରେ ବିଲୁପ୍ତ କହିଲେ ଚଳେ।କାରଣ ଆଦିବାସୀମାନଙ୍କର ଆମ୍ବ ପରବ ସମୟରେ ଜଙ୍ଗଲକୁ ବେଣ୍ଟକୁ
ଯାଆନ୍ତି। ବେଣ୍ଟକୁ ଗଲେ ଜଙ୍ଗଲରେ ବାରାହାକୁ ଦଳବଦ୍ଧ ଭାବରେ ଶିକାର କରି ଆଣନ୍ତି। ଏବଂ ଗାଁ ଲୋକମାନେ ମିଳିମିଶି
ଭୋଜି ଭାତ କରି ଆନନ୍ଦରେ ପର୍ବପର୍ବାଣୀ ପାଳନ୍ତି। ମହୁଲି ସହିତ ଜଙ୍ଗଲୀ ମାଂସ ମଜ୍ଜା ଭାରି ନିଆରା। ଏମିତି ବେଣ୍ଟ ଶିକାର ଯୋଗୁଁ ବହୁ ବନ୍ୟ ଜନ୍ତୁଙ୍କ ବିନାଶ ଚରମ ସୀମାରେ।
କିଛି ସାପ,ଝିଙ୍କ,ବଜ୍ରକାପ୍ତା,ଚମଡା,ହାଡ, ନଖ ପ୍ରତି ଦିନ ଦେଶ ବିଦେଶକୁ ଚୋରା ଚାଲାଣ ହେଉଛି। ପୂର୍ବ ପରି ବନ୍ୟଜନ୍ତୁ ଆଉ ଅରଣ୍ୟ ମୂଲକରେ ଦେଖିକୁ ମିଳୁନି ।ସେ ଯାହା ହେଉ ଜଗାକୁ ବନ୍ଯା ସମୟେ ପ୍ରାପ୍ତ ହୋଇଥିବା ବରାହଟି କ୍ରମଶଃ ବଡ଼ ହୋଇ
୨୦ ବର୍ଷ ହେଲାଣି।ଏ କଥା ଥରେ ଗଣମାଧ୍ୟମକୁ ସୂଚନା ମିଳିଲା ପରେ ପ୍ରଣ୍ଟି ମିଡିଆ ଏବଂ ଇଲୋକ୍ଟ୍ରୋନିକ୍ ମିଡିଆରେ ବେଶ୍ ଚର୍ଚ୍ଚା ସାଉଣ୍ଟିଲା। ବନ କର୍ମଚାରୀ ମାନେ ଜଗା ଘରକୁ ଗଲେ ।ଦେଖିଲେ – ବରାହଟା ୧୧୦ କିଲୋରୁ ଅଧିକା ହେବ। ବଡ଼ ବଡ ଦାନ୍ତ ବାହାରିଛି। ଖୁବ୍ ହୃଷ୍ଟପୁଷ୍ଟ। ଦେଖିବାକୁ ଭୟଙ୍କର।ହେଲେ ଦୀର୍ଘ ଦିନ ମଧ୍ୟରେ କାହାରିକୁ ଆକ୍ରମଣ କରି ନାହିଁ। ଜଗା ନିଜ ପୁଅ ପରି ସ୍ନେହ କରେ । ଖାଇବାକୁ ଦିଏ । ତା ଖୁସିରେ ବୁଲେ । ପ୍ରତିଦିନ ମାଲ୍ଯବନ୍ତ ପାହାଡରୁ ଯାଏ।ଚରି ବୁଲି ସନ୍ଧ୍ୟା ହେଲେ ଜଗା ଘରକୁ ଫେରେ।ପଶୁ ହେଲେ କ’ଣ ହେବ, କେଡେ ବୁଦ୍ଧିଆଟା ।
ଏବେ ଜଗାକୁ କହିଲେ ବନ କର୍ମଚାରୀମାନେ – ତୁମେ ଜାଣିଛ, ବନ୍ୟପ୍ରାଣୀ ପାଳିବା କେତେ ଅପରାଧ।ତୁମ ନାଁ ରେ ମାମଲା ଋଜୁ ହେବ। ଜଗା ତା’ର ସମସ୍ତ କାହାଣୀ ବଖାଣିଲା। ଶେଷରେ ଜଗା ନାଁ ରେ କେଶ୍ ଋଜୁ ନ ହୋଇ,ତା ‘ ବାରାହାକୁ ତା ଠାରୁ ନେବାକୁ ନିଷ୍ପତ୍ତି ହେଲା।ଜଗା ଆଉ କ’ଣ କରିବ ? ଡରି ଡରି କହିଲା- ତୁମ ଇଛା ଆଜ୍ଞା ! ମୁଁ ତ ବନ୍ଯାରେ ଭାସି ଯାଉଥିଲା ଗୋଟେଇ ଆଣିଲି। କୋଡିଏ ବର୍ଷ ପୁଅ ପରି ପାଳିଲି। ତୁମେ ଯଦି ନବ….ନିଅ…..!
ବନ କର୍ମଚାରୀମାନେ ଗାଡ଼ିରେ ଲୋଡ୍ କରି ଆସନ୍ତା କାଲି ଆସି ନେଇ ଯିବେ ବରାହକୁ । ଜଗା ଠାରୁ ବରାହ ର କୋଡ଼ିଏ ବର୍ଷର ସମ୍ପର୍କରେ ପୂର୍ଣ୍ଣ ଛେଦ ପଡିବ। ଜଗାର ମନ ବଢ ଦୁଃଖ।ସେ ଏ କଥା ଶୁଣି ତା ପାଦ ତଳୁ ମାଟି ଖସି ଗଲା। ମୁଣ୍ଡ ଘୂରିଗଲା।କାରଣ ସେ ବରାହଟି ତା’ର ସବୁ କିଛି।ସେ ରାତିରେ
ଶେଯ ପାରି ଗୋଟିଏ ଘରେ ମିଶି ଖାଆନ୍ତି ଆଉ ଶୁଅନ୍ତି। ଜଗା ଅବିବାହିତ। ତା’ର ବରାହ ଛଡ଼ା ସଂସାରେ କିଏ ନାହିଁ।ତା ସହିତ ସବୁ ବେଳେ ଗପସପ ହୁଏ।ଗେଲ କରେ । ଆଦରରେ ତା ଦେହ ମୁଣ୍ଡ ଆଉଁସି ଦିଏ । ଏମିତି ସ୍ନେହ ମମତା ସବୁ ଓଜାଡି ଦେଇଛି। ଏବେ ବନ କର୍ମଚାରୀମାନେ ଜଗା ଠାରୁ ବରାହ କୁ ସବୁ ଦିନ ପାଇଁ ବିଛେଦ କରି ଦେବେ।ସାରା ରାତି ବରାହକୁ ଧରି କାନ୍ଦିଲା ଜଗା।ଖା ପିଅନ ନାହିଁ।ହେଲେ ଯାହା ଭାତ ତର୍କାରୀ ରାନ୍ଧିଥିଲା ସବୁ ବରାହ ଦେଇ ସେ ଭୋକରେ
ରହିଲା।ତା ଦୁଃଖ,ତା ଅନ୍ତର ବେଦନା ବୁଝିବ କିଏ?
ସକାଳ ହେଲା । ବନ କର୍ମଚାରୀମାନେ ଜଗା ଘରେ ପହଞ୍ଚିଲେ । ଯନ୍ତା ଗାଡିରେ ବରାହକୁ ବସାଇ ବନକର୍ମଚାରୀମାନେ ଆଗକୁ ବଢ଼ିଲେ । ଜଗା ପାଟି ବନ୍ଦ। କ’ଣ କହିବ? ପଶୁଟାକୁ ଏତେ ଭଲ ପାଇ ପାଳିଲା, ଏବେ ପାଟି ଖୋଲିଲେ ହାଜତକୁ ଯିବ।ସେ
ମୂକ ବଧିର ପରି ଚାହିଁ ରହିଲା।କୋହ ସମ୍ବରଣ କରି ନପାରି ଭୋ ଭୋ ହୋଇ କାନ୍ଦିଲା।
ବରାହଟିକୁ ବନକର୍ମଚାରୀମାନେ ସୁକୁମା ଜଙ୍ଗଲରେ ଛାଡି ଦେଇ ଆସିଲେ। ଫଟୋ ସବୁ ମିଡିଆକୁ ଦେଇ ଖବର ପ୍ରସାରଣ ହେଲା। ଜଗା ଘରେ ଏକା।ସବୁ ଦିନ ସେ ସନ୍ଧ୍ୟା ହେଲେ ତା ଆସିବା ପଥକୁ ଚାହିଁ ରହୁଥିଲା।ସେ ଆସିଲେ ଗେଲ କରି ବିସ୍କୁଟ ଖୁଆଉ ଥିଲା। ଏବେ କାହାକୁ ଦେବ। ଦାଣ୍ଡ ଦୁଆରେ ବସି ଜଗା ଦୁଇ ଧାର ଗୁଡାଏ ।ସେ ଭାବେ -କେଡେ ନିଷ୍ଠୁର,ନିର୍ଦ୍ଦୟ ଏ ବନ କର୍ମଚାରୀମାନେ ! ସମ୍ପର୍କିର ଅର୍ଥ ଏ ମାନେ ବୁଝନ୍ତି ନାହିଁ। ଜଗାର ମନରେ ଦୁଃଖ। ପୂର୍ବ ପରି ଆଉ ଆନନ୍ଦ ନାହିଁ। ଏମିତି ଦୁଇ ତିନି ଦିନ ବିତିଗଲା।ବରାହ କୁ ଝୁରି ଝୁରି ସେ କିଛି ଖାଇ ନଥିଲା। ହେଲେ ଯେଉଁ ବରାହକୁ ବନ କର୍ମଚାରୀମାନେ ଜଙ୍ଗଲରେ ଛାଡି ଥିଲେ, ତୃତୀୟ ଦିନ ସଂଧ୍ୟାରେ ବରାହଟି ବହୁ ଦୂରରୁ ଚାଲି ଚାଲି,ପଥ ଖୋଜି ଖୋଜି
ସେହି ଜଗା ଘରେ ପହଞ୍ଚିଲା। ଜଗାର ମନ ଭାରି ଆନନ୍ଦ। ତାକୁ ଧରି କାନ୍ଦି ପକାଇଥିଲା । କେତେ ଆଉଁସା ଅଣ୍ଡଳା କଲା । ଘରକୁ ନେଇ ଖାଇବାକୁ ପେଟେ ଦେଲା। ହେଲେ ମନରେ ଭାବିଲା:ଏ ଖବର ପୁଣି ଜାଣିଲେ ବନ କର୍ମଚାରୀମାନେ ଆସି
ପୁଣି ବରାହକୁ ନେଇ ଯିବେ। ସେ ଚିନ୍ତାରେ ପଡିଲା।ଏ ଖବର ପୁଣି ପ୍ରଘଟ ହେଲା । ହେଲେ ବନ କର୍ମଚାରୀମାନେ ଆଉ ସେ ବରାହକୁ ଜଗା ଠାରୁ ଛଡ଼ାଇ ନେଲେ ନାହିଁ।କାରଣ ଅରଣ୍ୟ ସେ ଆଉ ବଞ୍ଚି ପାରିବ ନାହିଁ। କେହି ଶିକାରୀ ଦେଖିଲେ ଶିକର କରି ମାଂସ ଖାଇ ଯିବ । ଏବେ ଜଣେ ବନରକ୍ଷୀ ଜଗା ପାଖକୁ ଆସି କହିଲା: ତୁ ଏଥର ଏ ବରାହର ଯତ୍ନ ନେବେ । ଆମେ ଆଉ ୟାକୁ ଜଙ୍ଗଲରେ ଛାଡ଼ିବୁ ନାହିଁ । ଏକଥା ଶୁଣି ଜଗା ଖୁସି ରେ ନାଚିଲା। ସେ ବରାହକୁ ଡାକିଲା: ରାମୁ ରାମୁ…. ତୁ ସବୁ ଦିନ ମୋର ଆଉ ମୁଁ ସବୁ ଦିନ ତୋର….। ପ୍ରକୃତରେ ସେ ବରାହର ନାଁ ଥିଲା ରାମୁ । ଜଗା ଓ ରାମୁ ଦୁହେଁ କି ଅପୂର୍ବ ସମ୍ପର୍କରେ ବନ୍ଧନ,ଯାହା ଅବର୍ଣ୍ଣନୀୟ।
(ଗାଳ୍ପିକ କେଶବ ଚନ୍ଦ୍ର ନାୟକ)
(ସଭାପତି, ଉତ୍କଳ ସାହିତ୍ୟ ସଂସଦ, ମାଲକାନଗିରି)
ମୋନ:୯୪୩୭୭୭୯୪୪୭