ବ୍ରହ୍ମପୁର,୧୪/୦୬(ପିପିଟି): ଗଞ୍ଜାମ ବାଗେଶ୍ୱର ଧାମ ଶିଷ୍ୟ ମଣ୍ଡଳୀ, ବ୍ରହ୍ମପୁର (ଓଡିଶା) ତରଫରୁ ସନାତନ ହିନ୍ଦୁ ଏକତା ସାଂଘଠନିକ ବୈଠକ ଶୁକ୍ରବାର ଦିନ ଅଙ୍କୁଲି ଗ୍ରାମରେ ଆୟୋଜିତ ହହଇଥିଲା। ଏହି ବୈଠକ ପ୍ରଭାରୀ ଜିତେନ୍ଦ୍ରିୟ ନାହାକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।
ଓଡ଼ିଶା ରାଜ୍ୟ ମଣ୍ଡଳୀର ଶୁଭାଶିଷ ଭାଇ ମୁଖ୍ୟ ଅତିଥି ଭାବେ ଏବଂ ସୌମ୍ୟ ଭାଇ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ହୋଇ ବାଗେଶ୍ୱର ଧାମର ଗୁରୁଜୀଙ୍କ ଆଦର୍ଶ ଓ ଦିଗଦର୍ଶନ ଉପରେ ଆଲୋକପାତ କରିଥିଲେ।
ଅନ୍ୟତମ ଅତିଥି ଆଇନଜୀବୀ ଅଭୟ କୁମାର ପଣ୍ଡା ସନାତନ ଧର୍ମର ମୂଲ୍ୟବୋଧ ଓ ଗୁରୁତ୍ୱ ବିଷୟରେ ପ୍ରାଞ୍ଜଳ ଭାଷାରେ ଅଭିଭାଷଣ ଦେଇଥିଲେ। ତେବେ ଶ୍ରୀରାମ ଓ ଶିବଙ୍କୁ ପାଇବାକୁ ହେଲେ ହନୁମାନଙ୍କ ଆଶ୍ରୟ ଅତ୍ୟାବଶ୍ୟକ ବୋଲି ଉଲ୍ଲେଖ କରିଥିଲେ।
ବରିଷ୍ଠ ସାମ୍ବାଦିକ ଓ ପଶୁପ୍ରେମୀ ଲଲାଟେନ୍ଦୁ ଚୌଧୁରୀ ଗୋମାତା ସେବାକୁ ଆବଶ୍ୟକ ବୋଲି କହି ଜଣାଇଥିଲେ “ମାନବ ଜୀବନରେ ଗୋମାତା ଦ୍ୱାରା ଦିଆଯାଉଥିବା ଦୁଗ୍ଧ ଏକ ଦିବ୍ୟ ଦାନ, ଯାହା ଆମର ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଉପକୃତ କରେ।”
ସହପ୍ରଭାରୀ କମେଶ୍ୱର ମହାନ୍ତି ହିନ୍ଦୁ ସମାଜର ସଚେତନତା ଓ ଏକତା ଉପରେ ଜୋର ଦେଇ କହିଥିଲେ ଯେ, “ଯଦି ହିନ୍ଦୁ ମାନେ ଏଭଳି ସୁପ୍ତ ଅବସ୍ଥାରେ ରହିବେ, ତେବେ ପରବର୍ତ୍ତୀ ପୀଡ଼ି କଷ୍ଟ ଭୋଗିବ। ଗୋମାତା ଓ ଭାରତମାତାଙ୍କ ସୁରକ୍ଷା ପାଇଁ ଏକତା ଆବଶ୍ୟକ।”
ଯୁବ ନେତା ସ୍ବାଗତ ତ୍ରିପାଠୀ ଆଜିର ଯୁବପିଢି ମଧ୍ୟରେ ବଢୁଥିବା ନିଶାସେବନ ପ୍ରତି ଚିନ୍ତା ବ୍ୟକ୍ତ କରି, ଗାଁ ଗାଁରେ ଭାଗବତ ଟୁଙ୍ଗି, ଆଖଡ଼ା ଶାଳ ଓ ଗୁରୁକୁଳ ସ୍ଥାପନର ଆବଶ୍ୟକତା ଉପରେ ଜୋର ଦେଇଥିଲେ।
ଆଜି ବୈଠକରେ ଆସନ୍ତା ୨୨ ତାରିଖରେ ଭୁବନେଶ୍ୱରରେ ହେବାକୁ ଯାଉଥିବା ବାଗେଶ୍ୱର ଧାମ ଦ୍ୱାରା ଆୟୋଜିତ “ସନାତନ ହିନ୍ଦୁ ଏକତା ପଦଯାତ୍ରା” ରେ ଅଧିକ ସଂଖ୍ୟାରେ ଯୋଗ ଦେବାକୁ ଆହ୍ୱାନ ଦିଆଯାଇଥିଲା।
ଅନ୍ୟମାନଙ୍କ ମଧ୍ୟରେ ଶିବଶଙ୍କର ନାୟକ, ଅରବିନ୍ଦ ମଣ୍ଡଳ, ପ୍ରଦୀପ ଚର୍ଚ୍ଚି, ଅମ୍ବିକା ପ୍ରସାଦ ଦାସ, ସୂର୍ଯ୍ୟନାରାୟଣ ପ୍ରଧାନ, ଏ.ଟି. ପାତ୍ର, ରାମକୃଷ୍ଣ ଲେଙ୍କା, ଅର୍ଜୁନ ଗୌଡ଼ ଓ ଗଞ୍ଜାମ ଜିଲ୍ଲାର ୮ଟି ବ୍ଲକର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।