ବୈପାରିଗୁଡ଼ା,୦୯/୦୩(ପିପିଟି):ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆଦର୍ଶରେ କାର୍ଯ୍ୟ କରୁଥିବା ସର୍ବଭାରତୀୟ ମହିଳା ସଂଗଠନ “ଅଲ ଇଣ୍ଡିଆ ଅଗ୍ରଗାମୀ ମହିଳା ସମିତି” ର ତୃତୀୟ ରାଜ୍ୟ ସମ୍ମିଳନୀ ଆଜି କୋରାପୁଟ ଜିଲ୍ଲାର ବୈପାରିଗୁଡ଼ା ଠାରେ ଅନୁଷ୍ଠିତ ହୋଇଯାଇଅଛି । ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ବୈପାରିଗୁଡ଼ାସ୍ଥ କୁନ୍ଦୁରା ଛକ ଠାରୁ ଅଗ୍ରଗାମୀ ମହିଳା ସମିତିର ଏକ ବିଶାଳ ପଟୁଆର ବାହାରି ସହର ପରିକ୍ରମା କରିବା ପରେ ପଶ୍ଚିମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ପହଂଚିଥିଲା । ସେଠାରେ ଅଗ୍ରଗାମୀ ମହିଳା ସମିତିର ଜାତୀୟ ସମ୍ପାଦିକା କମ୍ରେଡ଼ ପୂଣ୍ଣିମା ବିଶ୍ୱାସ ସଂଗଠନର ପତାକାକୁ ଉତ୍ତୋଳନ କରି ସମ୍ମିଳନୀକୁ ଆନୁଷ୍ଠାନିକ ଭାବରେ ଶୁଭାରମ୍ଭ କରିଥିଲେ । ମହିଳା ନେତ୍ରୀ ବିଦ୍ୟୁତ୍ପ୍ରଭା ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ମହିଳା ସମ୍ମିଳନୀରେ ଫରୱାର୍ଡ଼ ବ୍ଲକ୍ର ରାଜ୍ୟ ସାଧାରଣ ସମ୍ପାଦକ ତଥା ଜାତୀୟ ସମ୍ପାଦକ ସାଥି ଜ୍ୟୋତି ରଞ୍ଜନ ମହାପାତ୍ର, ଅଗ୍ରଗାମୀ ମହିଳା ସମିତିର ଜାତୀୟ ସାଧାରଣ ସମ୍ପାଦିକା ସାଥି ପୂଣ୍ଣିମା ବିଶ୍ୱାସ, ରାଜ୍ୟ ସଭାପତି ପୂର୍ଣ୍ଣଚନ୍ଦ୍ର ପାଢ଼ୀ, ଫରୱାର୍ଡ଼ ବ୍ଲକ୍ର କୋରାପୁଟ ଜିଲ୍ଲା ସମ୍ପାଦକ ସାଥି ସମ୍ଭୁପ୍ରସାଦ ମହାନ୍ତି, ନବରଙ୍ଗପୁର ଜିଲ୍ଲା ସମ୍ପାଦକ ସାଥି ସୁଶାନ୍ତ ସୁନା, ଅଗ୍ରଗାମୀ ମହିଳା ସମିତିର ସାଧାରଣ ସମ୍ପାଦିକା ସାଥି ଲକ୍ଷ୍ମୀ ଦୋରା, ଆଜାଦ୍ ହିନ୍ଦ୍ ବାହିନୀର ରାଜ୍ୟ ସମ୍ପାଦିକା ସାଥି ସୁବତୀ ଦଳେଇ ପ୍ରମୁଖ ବକ୍ତବ୍ୟ ରଖି କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମହିଳା ବିରୋଧି ନୀତିର ତୀବ୍ର ସମାଲୋଚନା କରିଥିଲେ । ସଂସଦରେ ପାରିତ ହୋଇଥିବା ଉଭୟ ବିଧାନସଭା ଓ ଲୋକସଭାରେ ମହିଳାମାନଙ୍କ ପାଇଁ ୩୩ ଭାଗ ସ୍ଥାନ ସଂରକ୍ଷଣ ବିଲ୍ ପାସ୍ ହୋଇଥିଲେ ମଧ୍ୟ କେନ୍ଦ୍ରର ମୋଦି ସରକାର ତହାକୁ କାର୍ଯ୍ୟକାରୀ ନକରି ମହିଳାମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରୁଛନ୍ତି ବୋଲି ନିଜ ବକ୍ତବ୍ୟରେ ଅଭିଯୋଗ କରିଥିଲେ । ମହିଳାମାନଙ୍କ ପାଇଁ ଆବଶ୍ୟକ ଥିବା ସର୍ବନିମ୍ନ ଖାଦ୍ୟ, ବସ୍ତ୍ର, ବାସଗୃହ,ଶିକ୍ଷା ଓ ସ୍ୱସ୍ଥ୍ୟର ସୁଯୋଗ ଆଜି ମଧ୍ୟ ସେମାନଙ୍କ ଅପହଞ୍ଚ ହୋଇ ରହିଛି ବୋଲି ଅଭିଯୋଗ କରିବା ସହ ମହିଳାମାନଙ୍କୁ ଶୋଷଣ ମୁକ୍ତ କରିବା ପାଇଁ ଆହ୍ୱାନ କରଥିଲେ । ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ଅଗ୍ରଗାମୀ ମହିଳା ସମିତି ମହିଳାମାନଙ୍କୁ ଏକାଠି କରି ବ୍ୟାପକ ମହିଳା ଆନ୍ଦୋଳନ ଗଢ଼ି ତୋଳିବାକୁ ନିଜ ବକ୍ତବ୍ୟରେ ଆହ୍ୱାନ କରିଥିଲେ । ଏହି ସମ୍ମିଳନୀରେ ଏକ ୧୫ ଜଣିଆ ରାଜ୍ୟ କାର୍ଯ୍ୟକାରୀ କମିଟି ଏବଂ ସାତ ଜଣିଆ ରାଜ୍ୟ ସମ୍ପାଦକ ମଣ୍ଡଳି ନିର୍ବାଚିତ ହୋଇଥିଲେ । ଏହି କମିଟିର ରାଜ୍ୟ ସଭାନେତ୍ରୀ ଭାବେ ସାଥି କମଳା ସାହୁ ଏବଂ ସାଧାରଣ ସମ୍ପାଦିକା ରୂପେ ସାଥି ଲକ୍ଷ୍ମୀ ଦୋରା ସର୍ବସମତି କ୍ରମେ ନିର୍ବାଚିତ ହୋଇଥିଲେ । ଏହି କମିଟିର ଉପସଭାନେତ୍ରୀ ରୂପେ ସାଥି ବିଦ୍ୟୁତ୍ପ୍ରଭା ସାହୁ, ଶାନ୍ତିଲତା ହରିଜନ, ସମ୍ପାଦିକା ରୂପେ ହାରାବତୀ ଦଳେଇ, ସାଥି କମଳା ଖମାର, ସାଥି ଚଞ୍ଚଳା ଦୋରା ଏବଂ କୋଷାଧକ୍ଷା ଭାବେ ସାଥି କୁନି ଗୁରୁଡ଼ି ନିର୍ବାଚିତ ହୋଇଥିଲେ । ଶେଷରେ ସାଥି ଦିଶା ଆଜାଦ୍ ସମସ୍ତଙ୍କୁ ଧନ୍ୟବାଦ ଦେବା ପରେ ମହିଳା ସମିତି ଉଦ୍ଯାପିତ ହୋଇଥିଲା ।