ପୋଲସରା ୦୧/୦୯(ପିପିଟି):ଅଖିଳ ଭାରତ କୃଷକ ସଭା (AIKS) ପୋଲସରା ଆଞ୍ଚଳିକ କମିଟି ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ୧୬ ଦଫା ସମ୍ବଳିତ ଦାବିପତ୍ର ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି। ଆଜି କୃଷକ ସଭାର ସର୍ବ ଭାରତୀୟ ଦାବି ଦିବସ ଅବସରରେ ଏହି ଦାବି ପତ୍ର ପ୍ରଦାନ କରାଯାଇଛି। ଦାବି ଗୁଡ଼ିକ ମଧ୍ୟରେ ସ୍ବଳ୍ପ ବୃଷ୍ଟି କାରଣରୁ ଦେଖା ଦେଇଥିବା ଆସନ୍ନ ମରୁଡ଼ି ର ମୁକାବିଲା ପାଇଁ ସରକାର ଆଗୁଆ ପଦକ୍ଷେପ ନେବା , ନଦୀ ବନ୍ଧ , ନାଳ , କୂଅ , ପୋଖରୀ ଓ ଉଠା ଜଳସେଚନ ପଏଣ୍ଟ ଗୁଡିକ ଦ୍ୱାରା ଜଳସେଚନ ବ୍ୟବସ୍ଥାର ନିଶ୍ଚିତ କରିବା , ଭାଗଚାଷୀ କୁ ଚାଷୀ ର ମାନ୍ୟତା ଦେବା ସହିତ ସମସ୍ତ ସୁବିଧା ଯୋଗାଇଦେବା , ଧାନ ର ସହାୟକ ମୂଲ୍ୟ କ୍ଵିଣ୍ଟାଲ ପ୍ରତି ୪ ହଜାର ଟଙ୍କା କରିବା , ଚାଷୀ କୁ ୫୫ ବର୍ଷ ବୟସରେ ମାସକୁ ୫ ହଜାର ଟଙ୍କା ପେନସନ ଦେବା , ପ୍ରତି ବ୍ଳକ ରେ ଶୀତଳ ଭଣ୍ଡାର ପ୍ରତିଷ୍ଠା କରିବା , ମରୁଡ଼ି ଜନିତ ପରିସ୍ଥିତିର ମୁକାବିଲା ପାଇଁ ବିହନ ସାର ଓ କୀଟନାଶକ ମହଜୁଦ କରି ରଖିବା ପ୍ରଭୃତି ଦାବି ସହିତ ୧୬ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଦାବି ପତ୍ର ପ୍ରଦାନ ସମୟରେ ବରିଷ୍ଠ କୃଷକ ନେତା ଦଣ୍ଡପାଣି ସାମଲ , ଗଣପତି ସାହୁ , ଦୁର୍ଯୋଧନ ରାଉତ , ଜ୍ୟୋତ୍ସ୍ନା ରାଣୀ ମହାରଣା , ଲକ୍ଷ୍ମୀ ପାତ୍ର , ରୁନୁ ସେଠୀ , ସୁନ୍ଦରୀ ନାହାକ , ସୀମା ପାତ୍ର , ମାଗି ନାହାକ , ଖଜା ନାହାକ , କଂଗ୍ରେସ ନାହାକ , ସଞ୍ଚୟ ପ୍ରଧାନ , ମାମି ସେଠୀ , ଅହଲ୍ୟା ସେଠୀ ଏବଂ ହରି ହର ଗୌଡ଼ ପ୍ରମୁଖ ଉପସ୍ଥିତ ଥିଲେ।
ରିପୋର୍ଟ-ସୁଶାନ୍ତ କୁମାର ପଣ୍ଡା