ଭଞ୍ଜନଗର,୧୩/୦୮(ପିପିଟି);ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ ହାତୀ ଓ ବାରହା ଆକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଶୁକ୍ରବାର ତାରସିଙ୍ଗି ଥାନା ଅନ୍ତର୍ଗତ ତିନିଛକିଆ ଠାରେ ହାତୀ ଆକ୍ରମଣରେ ବାପ ପୁଅ ଗୁରୁତର ଆହତ ହୋଇ ଭଞ୍ଜନଗର ମେଡ଼ିକାଲ ରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ। ହେଲେ ସୁରେନ୍ଦ୍ର ରାଉତ(୫୦) ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲ କୁ ସ୍ଥାନାନ୍ତର କରା ଯାଇଛି। ଆଜି ସକାଳେ ଦଲକ ଗ୍ରାମର ସୁରେନ୍ଦ୍ର ଓ ତାଙ୍କ ପୁଅ ଶୁଭମ ରାଉତ(୧୪) ଗ୍ରାମ ନିକଟରେ ଥିବା ଜଙ୍ଗଲରୁ ଶୁଖିଲା କାଠ ସଂଗ୍ରହ କରୁଥିବା ସମୟରେ ତିନି ଛକିଆ ପୁରୁଣା ମହାବିଦ୍ୟାଳୟ ଠାରେ ଏକାକି ବୁଲୁଥିବା ଗୋଟିଏ ଦନ୍ତା ହାତି ହାଠାତ୍ ଆସି ସୁରେନ୍ଦ୍ରକୁ ଆକ୍ରମଣ କରିବା ସହ ପୁଅ ଶୁଭମକୁ ଶୁଣ୍ଡରେ ଟେକି କିଛି ଦୂରକୁ ଫିଙ୍ଗି ଦେଇଥିଲା। ଉଭୟ ବାପା ଓ ପୁଅ ସେଠାରେ ଆହତ ଅବସ୍ଥାରେ ପଡ଼ି ରହିଥିବା ବେଳେ ଖବର ପାଇ ସ୍ଥାନୀୟ ଲୋକମାନେ ଓ ବନ ବିଭାଗ କର୍ମଚାରୀ ସେଠାରେ ପହଞ୍ଚି ଦୁହିଁଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ।ଏହି ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହିଛନ୍ତି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )