ସୋନପୁର ଓ ବିନିକା ବ୍ଲକରେ ଶାନ୍ତିପୂର୍ଣ୍ଣ ଭୋଟଗ୍ରହଣ ; ହାରାହାରି ୮୫.୬୭ ପ୍ରତିଶତ ମତଦାନ ।

0 312

ଉଲୁଣ୍ଡା,୧୮/୦୨(ପିପିଟି): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟରେ ଆଜି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ସଦର ଏବଂ ବିନିକା ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହୋଇଥିବା ବେଳେ ସୋନପୁର ବ୍ଲକ ରେ ହାରାହାରି ୮୬.୭୩ ପ୍ରତିଶତ ମତଦାନ ଏବଂ ବିନିକା ବ୍ଲକରେ ୮୪.୬୦ ପ୍ରତିଶତ ସହିତ ଶାନ୍ତିପୂର୍ଣ୍ଣ ଭାବରେ ଭୋଟ ଗ୍ରହଣ ସମାପ୍ତ ହୋଇଥିବା ଜଣାପଡିଛି। ସୋନପୁର ବ୍ଲକ ରେ ୧୮୩ ଟି ମତଦାନ କେନ୍ଦ୍ରରେ ଏବଂ ବିନିକା ବ୍ଲକରେ ୨୦୪ ଟି ମତଦାନ କେନ୍ଦ୍ରରେ ଭୋଟର ମାନେ ସେମାନଙ୍କ ମାନପସନ୍ଦର ପ୍ରତିନିଧି ଚୟନ କରିବା ନିମନ୍ତେ ମତଦାନ କରିଛନ୍ତି । ଏଥିପାଇଁ ଉଭୟ ବ୍ଲକ କୁ ଦୁଇଟି ଲେଖାଏଁ ଜୋନ୍ ରେ ବିଭକ୍ତ କରାଯାଇ ଦାୟିତ୍ୱରେ ଥିବା ଅଧିକାରୀ ମାନେ ନିରୀକ୍ଷଣ କରିଥିଲେ । ଜିଲ୍ଲ୍ଲାପାଳ ଆବୋଲୀ ସୁନୀଲ ନରୱଣେ ଉଭୟ ବ୍ଲକକୁ ଗସ୍ତକରି ସମସ୍ତ ବ୍ୟବସ୍ଥାର ଅନୁଧ୍ୟାନ କରିଥିବାବେଳେ ପ୍ରଶାସନର ବରିଷ୍ଠ ଅଧିକାରୀ ମାନଙ୍କ ନିରୀକ୍ଷଣ ରେ ଉଭୟ ବ୍ଲକ ରେ ଅବାଧ ଏବଂ ଶାନ୍ତିପୂର୍ଣ୍ଣ ନିର୍ବାଚନ ସମ୍ଭବ ହୋଇପାରିଛି । କୌଣସି ସ୍ଥାନରେ କିଛି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବାର ଖବର ହସ୍ତଗତ ହୋଇ ନାହିଁ । ସକାଳ ୭ ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହୋଇଥିବା ବେଳେ ଭୋଟର ମାନେ ନିର୍ଦ୍ଧାରିତ ସମୟରେ ଭୋଟ ଗ୍ରହଣ କେନ୍ଦ୍ରରେ ଧାଡିରେ ରହି ଶେଷ ପର୍ଯ୍ୟନ୍ତ ଉତ୍ସାହଜନକ ଭାବରେ ମତଦାନ କରିଥିବାର ଦେଖିବାକୁ ମିଳିଥିଲା । ଏଥିପାଇଁ ଜିଲ୍ଲା ପଞ୍ଚାୟତ ଅଧିକାରୀ ଅମୂଲ୍ୟ କୁମାର ନନ୍ଦ ନିର୍ବାଚନରେ ନିୟୋଜିତ ସମସ୍ତ ଅଧିକାରୀ ମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

(ରିପୋର୍ଟ-ଶାନ୍ତନୁ କୁମାର କର୍ଣ୍ଣ ।)

Leave A Reply

Your email address will not be published.