ସିପିଆଇ ପକ୍ଷରୁ ୧୨ ଦଫା ଦାବି ନେଇ ସାନଖେମୁଣ୍ଡି ବ୍ଳକ୍ ସମ୍ମୁଖରେ ବିକ୍ଷୋଭ ।

0 1,363

ସାନଖେମୁଣ୍ଡି ,(ପିପିଟି ନ୍ଯୁଜ୍)୦୪/୦୬,ଭାରତୀୟ କମ୍ୟୁନିଷ୍ଟ ପାର୍ଟି ସାନଖେମୁଣ୍ଡି  ଆଞ୍ଚଳିକ ପରିଷଦ ପକ୍ଷରୁ ଗୁରୁବାର ପୂର୍ବାହ୍ନରେ କରୋନାରେ ପ୍ରଭାବିତ ଜନସାଧାରଣଙ୍କୁ ସହାୟତା ପ୍ରଦାନ ନିମନ୍ତେ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଗଣ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସିପିଆଇ ସାନଖେମୁଣ୍ଡି  ଆଞ୍ଚଳିକ ସମ୍ପାଦକ କୈଳାସ ପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ବିକ୍ଷୋଭ ପ୍ରଦର୍ଶନରେ ସିପିଆଇ ଜାତୀୟ କାର୍ଯ୍ୟକାରୀ କମିଟି ସଦସ୍ୟ  ରାମକୃଷ୍ଣ ପଣ୍ଡା, ସିପିଆଇ ଗଞ୍ଜାମ ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର , ଅଖିଳ ଭାରତ ଯୁବସଙ୍ଘ ରାଜ୍ୟ ସଭାପତି ପ୍ରଦୀପ କୁମାର ସେଠୀ , ଏଆଇୱାଇଏଫ ଜିଲ୍ଲା ସଭାପତି ସୁଶାନ୍ତ ସ୍ବାଇଁ ,ସିପିଆଇ ନେତା ଅନନ୍ତ ମହାଙ୍କୁଡ, ଭଗବାନ ରାଉତ,ବିନାୟକ ଦାଶ,ରବିନ୍ଦ୍ର କୁମାର ବିଷୋୟୀ, ଜି.ସନ୍ତୋଷ କୁମାର ପାତ୍ର  ସମେତ ବହୁ ସଂଖ୍ୟକ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ରହି ରାଜ୍ୟରେ ଗତ ଅମ୍ପାନ ବାତ୍ୟା କ୍ଷତିଗ୍ରସ୍ତ ଓ କରୋନା ପ୍ରଭାବିତ ଅସହାୟ ଗରିବ ଓ ସାଧାରଣ ଜନ ସାଧାରଣଙ୍କୁ  ସରକାରୀ ସହାୟତା ଓ କ୍ଷତିପୂରଣ ପ୍ରଦାନ ନିମନ୍ତେ ଆଜି ଏହି ବିକ୍ଷୋଭ କରିଥିବା ସୂଚନା ମିଳିଛି । ଖବରନୁଯାୟୀ , ବର୍ତ୍ତମାନ ସମଗ୍ର ଦେଶରେ ମହାମାରୀ କରୋନା ସଂକ୍ରମଣ ଭୂତାଣୁ ନିଜର ଆଧିପତ୍ୟ ଜାରି ରଖିଛି । ଏହାର ପ୍ରଭାବରେ ଲୋକମାନଙ୍କୁ ସୁରକ୍ଷା ପ୍ରଦାନ ଲାଗି ସାରା ଦେଶ ତଥା ରାଜ୍ୟର ବିଭିନ୍ନ ଜିଲ୍ଲା ମାନଙ୍କରେ ଲକ୍ ଡାଉନ ଭଳି କଟକଣା ଲାଗିରହିଛି । ଯାହା ଫଳରେ ସାଧାରଣ ଲୋକେ ନିଜର ବୃତ୍ତି ହରାଇବା ସହ ପରିବାର ଚଳାଇବା ପାଇଁ ସେମାନଙ୍କ ପାଖରେ ଖାଦ୍ୟାଭାବ ଭଳି ପରିସ୍ଥିତି ଦେଖାଦେଇଛି । ଗୋଟିଏ ପଟେ କରୋନା ଦାଉ ସାଜିଥିବା ବେଳେ ଅନ୍ୟପଟେ ରାଜ୍ୟର କେତେକ ଜିଲ୍ଲାରେ ମହାବାତ୍ୟା ଅମ୍ଫାନ ପ୍ରଭାବରେ ବହୁ କ୍ଷୟକ୍ଷତି ହୋଇଥିବା ଜଣାପଡିଛି । ଏନେଇ ସିପିଆଇ କର୍ମୀ ମାନେ ବିଭିନ୍ନ ଦାବି ନେଇ ସାନଖେମୁଣ୍ଡି ବ୍ଳକ୍ କାର୍ଯ୍ୟାଳୟ ପରିସରରେ ପହଞ୍ଚି ବିଡ଼ିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରି ଫେରିଥିବା ଜଣାପଡିଛି । ସେମାନଙ୍କ ଦାବି ଗୁଡ଼ିକ ହେଲା ମନରେଗା ଯୋଜନାରେ  ଶ୍ରମିକ ମାନଙ୍କୁ ପର୍ଯ୍ୟାପ୍ତ ପରିମାଣରେ କାମ ଯୋଗାଇଦେବା।ସମସ୍ତ ପ୍ରବାସୀ ଶ୍ରମିକ ପରିବାରଙ୍କୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ। ସମସ୍ତ ପରିବାରଙ୍କୁ ରାସନ୍ ସାମଗ୍ରୀ ଯୋଗାଇ ଦେବା । କରୋନା ମହାମାରୀ ଆଳରେ ଶ୍ରମ ଆଇନକୁ ଭଣ୍ଡୁର ଉଦ୍ୟମକୁ ବନ୍ଦ କରିବା । ସମସ୍ତ ଶ୍ରମିକଙ୍କୁ ୧୫ ଶହ ଟଙ୍କା ବଦଳରେ ୫ ହଜାର ଟଙ୍କା ପ୍ରଦାନ କରିବା । କୃଷି ଋଣ ଛାଡ଼ କରାଯିବା ସହ ବିନା ସୁଧରେ କୃଷି ଋଣ ପ୍ରଦାନ କରାଯିବା । ବାଦ୍ ପଡ଼ିଥିବା ସମସ୍ତ ଗରିବ ଅସହାୟଙ୍କୁ ରାସନ୍ କାର୍ଡ , ବାର୍ଦ୍ଧକ୍ୟ , ବିଧବା ଭତ୍ତା ପ୍ରଦାନ। ସମସ୍ତ ନିର୍ମାଣ ଶ୍ରମିକଙ୍କୁ ଚିହ୍ନଟ କାର୍ଡ ପ୍ରଦାନ। ସମସ୍ତ ଗ୍ରାମାଞ୍ଚଳକୁ ପକ୍କା ରାସ୍ତା ନିର୍ମାଣ, ଗ୍ରାମାଞ୍ଚଳର ସମସ୍ତ କୃଷକଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରି ସହାୟତା ରାଶି ପ୍ରଦାନ କରାଯିବା ଆଦି ସମସ୍ଯା ନେଇ ଦାବି ପ୍ରଦାନ କରିଛନ୍ତି ।
ରିପୋର୍ଟ – ଆରତ କୁମାର ହୋତା ।

Leave A Reply

Your email address will not be published.