ସବୁଠି ଗୋଟିଏ ଚର୍ଚ୍ଚା :ତ୍ରି ସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ କିଏ ଜିତିବ ଆଉ କିଏ ହାରିବ: ଗାଁ ଗାଁ ରେ ଅଙ୍କ କଷା ।

0 233

କନ୍ଧମାଳ,୨୦/୦୨(ପିପିଟି):କନ୍ଧମାଳ ଜିଲ୍ଲା ବାଲିଗୁଡା,କ.ନୂଆଗାଁ, ତୁମୁଡିବନ୍ଧ,କୋଟଗଡ,ଫୁଲବାଣୀ, ଫିରିଙ୍ଗିଆ, ଓ ଖଜୁରୀପଡା ବ୍ଲକରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବହୁ ଉତ୍କଣ୍ଠା ଓ ଛକାପଞ୍ଝା ମଧ୍ୟରେ ସମାପନ ହୋଇଛି। ଉକ୍ତ ନିର୍ବାଚନ ବୈତରଣୀ ପାର ହେବା ପାଇଁ ସବୁଠି ଦେଖା ଦେଇଥିଲା ଚଳ ଚଞ୍ଚଳ ପରିବେଶ ଓ ରାଜନୈତିକ ଉଷ୍ମତା। ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ହୋଇଥିଲା ବେଳେ ସକାଳ ୬ ଘଣ୍ଟା ଠାରୁ ମତଦାନ କେନ୍ଦ୍ର ଗୁଡିକରେ ନିର୍ବାଚନ ନିୟମ ଅନୁଯାୟୀ ଯଥାବିଧି ନିର୍ବାଚନ ପରିଚାଳନା ଆରମ୍ଭ ହୋଇଥିଲା।ସକାଳ ୭ ଘଣ୍ଟା ଠାରୁ ଦିନ ୧ ଘଣ୍ଟା ପର୍ଯ୍ୟନ୍ତ ମତଦାନ କେନ୍ଦ୍ର ଗୁଡିକରେ ଭୋଟ ଗ୍ରହଣ ପ୍ରକ୍ରିୟା ଶେଷ କରିବା ପାଇଁ ସମୟ ନିର୍ଘଣ୍ଟ ନିଶ୍ଚିତ ହୋଇଥିଲା । ମତଦାନ କେନ୍ଦ୍ର ଗୁଡିକ ମଧ୍ୟରେ ଭୋଟରଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା ବେଳେ ନିଜ ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଇଥିଲେ । ପୋଲିସ ପ୍ରଶାସନ ପକ୍ଷରୁ ନିୟମିତ ବ୍ୟବଧାନରେ ପଇଁତରା ମାରିବା ଫଳରେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇ ନଥିଲା । ଆଉ ହାତ ଗଣତି କେଇଟା ଦିନ ପରେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟିବ। ନିର୍ବାଚନ ସରିବା ପରେ ସବୁ ଚା’ଖଟି ରେ ଏବେ ମତଦାନକୁ ନେଇ ଆଲୋଚନା ହେଉଛି । କେଉଁ ଦଳକୁ କେତେ ଭୋଟ ଯାଇଛି, କାହାର ପଲ୍ଲା କେତେ ଭାରି ରହିଛି । ତାକୁ ନେଇ ଅଙ୍କ କଷା ଚାଲିଛି । ବିଶେଷ କରି ଜିଲ୍ଲା ପରିଷଦରେ କେଉଁ ଦଳ ଜିତିବ ତାକୁ ନେଇ ବି ଅଧିକ ଚର୍ଚ୍ଚା ହେଉଛି । ତେଣୁ ଫଳାଫଳ ଘୋଷଣା ଦିବସ ଏବେ ସମସ୍ତଙ୍କ ହୃତ ସ୍ପନ୍ଦନ ବଢ଼ାଇ ଦେଇଛି । ଏବେ ପ୍ରାର୍ଥୀ ଓ ସମର୍ଥକଙ୍କ ମଧ୍ୟରେ ନିଦ ହଜିଯାଇ କେବଳ ମାନସ ମନ୍ଥନ ଜାରି ରହିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.