ଯୁଦ୍ଧ ଉନ୍ମାଦନା ପରିବର୍ତ୍ତେ ଆଲୋଚନା ମାଧ୍ୟମରେ ପଡୋଶୀ ମାନଙ୍କ ସହ ସୁସମ୍ପର୍କ ବୃଦ୍ଧି କର , ଜନ ଅଧିକାର ମଞ୍ଚ, ଓଡିଶା ।

0 328
ବ୍ରହ୍ମପୁର, ତା ୦୯/୦୭,  ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାମାରୀରେ ଆକ୍ରାନ୍ତ ଏବଂ ଆମ ଦେଶ ସମେତ ଅଧିକାଂଶ ଦେଶ ଓ ବିଶେଷ କରି ଦେଶର ଶ୍ରମଜୀବୀ ଜନଗଣ ଘୋର ଆର୍ଥୀକ ସଂକଟର ସମ୍ମୁଖୀନ, ସେହି ସମୟରେ ବିଶ୍ୱର ଦୁଇ ସର୍ବାଧିକ ଜନବହୁଳ ଦେଶ ଭାରତ ଓ ଚୀନ ସୀମାକୁ ନେଇ ବିବାଦରେ ଲିପ୍ତ ରହିବା ଅତ୍ୟନ୍ତ ପରିତାପର ବିଷୟ ।ଏହି ମୁହାମୁହିଁ ସଂଘର୍ଷରେ ଆମ ଦେଶର ୨୦ଜଣ ସୈନିକଙ୍କର ମୃତ୍ୟୁରେ ଜନ ଅଧିକାର ମଞ୍ଚ, ଓଡ଼ିଶା ଗଭୀର ଶୋକ ବ୍ୟକ୍ତ କରୁଛି ଏବଂ ଯୁଦ୍ଧ ଉନ୍ମାଦନା ବନ୍ଦକରି ତୁରନ୍ତ ରାଜନୈତିକ ସ୍ତରରେ ଆଲୋଚନା କରି ଏହି ବିବାଦର ସମାଧାନ କରିବାକୁ ଆମେ ଉଭୟ ଦେଶର ଶାସକଙ୍କ ନିକଟରେ ଦୃଢ ଦାବି କରୁଛୁ ।ଭାରତ ଓ ଚୀନ ମଧ୍ୟରେ ଅମୀମାଂସିତ ସୀମାକୁ ବ୍ରିଟିଶ ଔପନିବେଶବାଦୀମାନଙ୍କ ଠାରୁ ଆମେ ଉତ୍ତରାଧିକାର ସୁତ୍ରରେ ପାଇଛୁ । ଭାରତ-ଚୀନର ଦୀର୍ଘ ସୀମା ମଧ୍ୟରୁ ଅନେକ ସ୍ଥାନର କିଛି କିଛି ଅଞ୍ଚଳକୁ ନେଇ ଉଭୟ ପକ୍ଷ ଦାବି କରି ଆସୁଛନ୍ତି । କିନ୍ତୁ କ୍ରମାଗତ ଆଲୋଚନା ମାଧ୍ୟମରେ ଏହାର ସ୍ଥାୟୀ ସମାଧାନ କରିବା ପରିବର୍ତ୍ତେ ବିବାଦୀୟ ଅଞ୍ଚଳ ଓ ଏହାର ପାଖାପାଖି ଅଞ୍ଚଳରେ ଉଭୟ ପକ୍ଷ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟ କରିବା ଅପର ପକ୍ଷ ମଧ୍ୟରେ ଆଶଂକା ସୃଷ୍ଟି କରିବା ସହ ବିବାଦର କାରଣ ହୋଇଛି । ସୀମା ବିବାଦର ପୂର୍ଣ୍ଣ ସମାଧାନ ନ କରି ଏଭଳି ନିର୍ମାଣ କାର୍ଯ୍ୟକୁ ଆମେ ନାପସନ୍ଦ କରୁଛୁ ଏବଂ ହିମାଳୟ ପରି ପରିବେଶ ସମ୍ବେଦନଶୀଳ ଅଞ୍ଚଳରେ ବାଣିଜ୍ୟିକ ତଥା ପ୍ରତିରକ୍ଷା କାର୍ଯ୍ୟକଳାପକୁ ବୃଦ୍ଧି କରିବା ପାଇଁ ଉଭୟ ରାଷ୍ଟ୍ର ଦ୍ୱାରା କରାଯାଉଥିବା ବ୍ୟାପକ ଭିତ୍ତିଭୂମି ନିର୍ମାଣକୁ ଆମେ ବିରୋଧ କରୁଛୁ । ଏହି ନିର୍ମାଣ ଉଭୟ ରାଷ୍ଟ୍ର ସହ ପାକିସ୍ତାନ, ନେପାଳ, ଭୁଟାନ ଆଦି ଦେଶପାଇଁ  ଭୟଙ୍କର ପରିବେଶଗତ ବିପଦ ଡାକି ଆଣିବ। ଆମେ ବିଶ୍ୱାସ କରୁ ଯେ ଯୁଦ୍ଧ ହେଉଛି ରାଜନୈତିକ ପରିଣାମର ଭିନ୍ନ ଏକ ସ୍ୱରୂପ । ସେଥିପାଇଁ ଆନ୍ତର୍ଜାତିକ ଅର୍ଥନୀତି ଓ ରାଜନୀତି ଠାରୁ ବିଚ୍ଛିର୍ଣ୍ଣ ଭାବେ ଏହି ସୀମା-ବିବାଦକୁ ଦେଖିବା ଠିକ୍ ହେବ ନାହିଁ । ବର୍ତ୍ତମାନ ଚୀନ ବିଶ୍ୱ ଅର୍ଥନୀତିକୁ କବଳିତ କରିବା ପାଇଁ ଅତି ବ୍ୟଗ୍ର । ଏହି ଦୃଷ୍ଟିରୁ ବିଶ୍ୱ ଉପରେ ଆଧିପତ୍ୟକୁ ନେଇ ଚୀନର ଆମେରିକା ଓ ଅନ୍ୟ କେତେକ ସାମ୍ରାଜ୍ୟବାଦୀ ଦେଶ ସହ ତୀବ୍ର ବାଣିଜ୍ୟ ଯୁଦ୍ଧ ଚାଲିଛି । ଏହି ପୃଷ୍ଠଭୂମିରେ ବିଶ୍ୱ ଆଧିପତ୍ୟ ପାଇଁ ଚୀନର ଉଚ୍ଚାଭିଳାଷ ପ୍ରତି ଆମେ ସତର୍କ ଦୃଷ୍ଟି ରଖିବା ସହ ଏସିଆରେ ଚୀନକୁ ପ୍ରତିହତ କରିବା ପାଇଁ ଆମେରିକା ଭଳି ରାଷ୍ଟ୍ର ଆମକୁ ବ୍ୟବହାର କରିବାର ସମ୍ଭାବନା ପ୍ରତି ମଧ୍ୟ ଆମକୁ ସତର୍କ ରହିବାକୁ ହେବ । ଚୀନ୍ ବିରୁଦ୍ଧରେ ଭାରତ ମାଟିରେ ଆମେରିକାର ସୈନ୍ୟ ଵାହିନୀର ମୁତୟନ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ପରରାଷ୍ଟ୍ର ସଚିବ ପୋମିଆଙ୍କ ଘୋଷଣାକୁ ଆମେ ଦୃଢ଼ ବିରୋଧ କରୁଛୁ। ଆମେରିକାର ଏହି ଘୋଷଣାନାମାକୁ ଯଦି ମୋଦି ସରକାର ମଥାପାତି ମାନି ନିଅନ୍ତି, ତେବେ ଆମେରିକା ସାମ୍ରାଜ୍ୟବାଦର ଏସିଆ-ପ୍ରଶାନ୍ତ ମହାସାଗର ଅଞ୍ଚଳରେ ଆଧିପତ୍ୟବାଦୀ-ରଣନୀତିଗତ ବ୍ୟବସ୍ଥାର ଅଂଶ ଭାବେ ଭାରତର ଜନଗଣଙ୍କୁ ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ବହୁମୂଲ୍ୟ ଦେବାକୁ ପଡିବ ବୋଲି ଆମେ ଆଶଙ୍କା ପ୍ରକାଶ କରୁଛୁ।ଏହା ସହ ବିଶ୍ୱର ଯୁଦ୍ଧାସ୍ତ୍ର ବେପାରୀମାନେ ଆଫଗାନିସ୍ଥାନ, ପାକିସ୍ଥାନ, କାଶ୍ମିର୍ ଏବଂ ଭାରତ-ଚୀନ୍ ସୀମାକୁ ଯୁଦ୍ଧର ଏକ ହଟ୍ ସ୍ପଟ୍ କରିବାକୁ ଚାହୁଁଛନ୍ତି, ଯାହା ପ୍ରତି ସତର୍କ ଦୃଷ୍ଟି ଦେବା ଜରୁରୀ । ଏଥିପାଇଁ ବୈଦେଶିକ ନୀତି କ୍ଷେତ୍ରରେ ଆମକୁ ଦୁଇଟି ବିନ୍ଦୁ ଉପରେ ଗୁରୁତ୍ୱ ଦେବା ଅତି ଜରୁରୀ । ପ୍ରଥମରେ ଆମକୁ ସମସ୍ତ ପଡୋଶୀ ଦେଶମାନଙ୍କ ସହ ସୁସମ୍ପର୍କ ସ୍ଥାପନ ପ୍ରତି ସର୍ବାଧିକ ଗୁରୁତ୍ୱ ଦେବା ଆବଶ୍ୟକ । ଏଥିପାଇଁ ଆମକୁ ଆମର ବଡଭାଈ ମନୋଭାବ ଛାଡି ସମତା ଭିତ୍ତିରେ ବୈଦେଶିକ ସମ୍ପର୍କ ବୃଦ୍ଧି କରିବା ଜରୁରୀ । କେତେକ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ କିପରି ପଡୋଶୀ ମାନଙ୍କ ସହ ସମ୍ପର୍କ ବଢାଯାଇ ପାରିବ, ଏହା ଉପରେ ଆମର କୂଟନୈତିକ ସଫଳତା ନିର୍ଭର କରୁଛି । ଦ୍ୱିତୀୟରେ ଶୀତଳ ଯୁଦ୍ଧ ସମୟରେ ଭାରତ ଯେପରି ବହୁ ଅନ୍ୟ ବିକାଶଶୀଳ ଦେଶମାନଙ୍କ ସହ ମିଶି ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନକୁ ଆଗେଇ ନେଇଥିଲା, ବର୍ତ୍ତମାନ ବିଶ୍ୱ ପରିସ୍ଥିତିରେ ଆତ୍ମନିର୍ଭରଶୀଳତା, ଗଣତନ୍ତ୍ର ଓ ଶାନ୍ତିକୁ ଆଧାର କରି ଯୁଦ୍ଧ ଓ ବିଶ୍ୱ ଆଧିପତ୍ୟ ନୀତିକୁ ଆପଣାଉ ଥିବା ଶକ୍ତିମାନଙ୍କ ବିରୁଦ୍ଧରେ ଏକ ଆନ୍ତର୍ଜାତିକ ଆନ୍ଦୋଳନ ସୃଷ୍ଟି କରିବା କ୍ଷେତ୍ରରେ ଆମ ଦେଶ ଉଦ୍ୟମ ଆରମ୍ଭ କରିବା ଆବଶ୍ୟକ । ତେବେ ଦେଶର ସମସ୍ୟାରୁ ଲୋକଙ୍କ ଦୃଷ୍ଟିକୁ ଅନ୍ୟ ଆଡକୁ ନେଇ ଯିବା ପାଇଁ ଯୁଦ୍ଧ ଉନ୍ମାଦନା ସୃଷ୍ଟି କରା ନଯାଉ । ଗଣମାଧ୍ୟମ ମାନେ ନିଜର ଟିଆରପି ବଢାଇବା ପାଇଁ ଯୁଦ୍ଧ ଉନ୍ମାଦନାରେ ନ ମାତନ୍ତୁ । ସରକାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଲୁଚାଛପା ନଖେଳି ସ୍ପଷ୍ଟ ତଥ୍ୟ ଲୋକଙ୍କ ପାଖରେ ରଖନ୍ତୁ ଏବଂ ନିଜର ନୀତିକୁ ସ୍ବଷ୍ଟ କରନ୍ତୁ । ଯୁଦ୍ଧ ଉନ୍ମାଦନା ସହ ଆତ୍ମନିର୍ଭରଶୀଳତାକୁ ଯୋଡି ଆତ୍ମନିର୍ଭରଶୀଳ ପ୍ରଶ୍ନର ଗୁରୁତ୍ୱକୁ ନଷ୍ଟ କରି ଦିଆ ନଯାଉ । ବରଂ ବୈଦେଶିକ ପୁଞ୍ଜିକୁ ଆକୃଷ୍ଟ କରିବା ବଦଳରେ ଘରୋଇ ପୁଞ୍ଜି ସଂଗ୍ରହର ବିକଳ୍ପ ମାର୍ଗକୁ ଆପଣା ଯାଉ । ବଜାର ସର୍ବସ୍ୱ ବିପୁଳ ପୁଞ୍ଜି ଭିତ୍ତିକ ବର୍ତ୍ତମାନର ଅର୍ଥନୈତିକ ବିକାଶ ଧାରା ବଦଳରେ ଗଣ ଆବଶ୍ୟକତାର ପୂରଣକୁ ଦୃଷ୍ଟିରେ ରଖି ନିଯୁକ୍ତି ଭିତ୍ତିକ ଓ ପରିବେଶ ସନ୍ତୁଳନ ସହ ନିରନ୍ତର ଅର୍ଥନୈତିକ ବିକାଶର ଧାରାକୁ ଆପଣାଯାଉ । ଜନଗଣ ବିଶେଷ କରି ଯୁବ ସମାଜ ମଧ୍ୟରେ ଥିବା ସୃଜନଶୀଳତା, ଶକ୍ତି ଓ କିଛି କରିବାର ମାନସିକତାକୁ ଯୁଦ୍ଧ ଉନ୍ମାଦନା ପରିବର୍ତ୍ତେ ଏକ ଗଣତାନ୍ତ୍ରିକ, ସମତାପୂର୍ଣ୍ଣ, ଆତ୍ମନିର୍ଭରଶୀଳ, ସମୃଦ୍ଧ ଭାରତ ଗଢିବାରେ ବିନିଯୋଗ କରାଯାଉ । ଏଠାରେ ଉଲ୍ଲେଖଯୋଗ୍ୟ ଯେ ମୋଦିଙ୍କ ଛଅ ବର୍ଷର ଶାସନ କାଳରେ ହିଁ ଚୀନ୍ ଆମ ଦେଶରେ ବେପାରୀରୁ ପୁଞ୍ଜିନିବେଶକାରୀରେ ପରିଣତ ହୋଇଛି ।ଭାରତ-ଚୀନ୍ ଭଳି ଦୁଇଟି ପରମାଣୁ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ବୃହତ୍ତ ଜନ ବହୁଳ ଦେଶ ଯୁଦ୍ଧ ମାଧ୍ୟମରେ ନିଜ ମଧ୍ୟରେ ଥିବା ସୀମା ବିବାଦକୁ ସମାଧାନ କରିପାରିବେ ନାହିଁ । ଏହା ମଧ୍ୟ ଏପରି ଏକ ବିଷୟ ନୁହେଁ, ଯାହାକୁ ଆଲୋଚନା ମାଧ୍ୟମରେ ସମାଧାନ କରାଯାଇ ପାରିବ ନାହିଁ । ଏଥିପାଇଁ ମିଛ ଯୁଦ୍ଧ ଉନ୍ମାଦନାରେ ନ ମାତି ତୁରନ୍ତ ଏହାର ସମାଧାନ ପାଇଁ ସାମରିକ ସ୍ତରରେ ଆଲୋଚନା ପରିବର୍ତ୍ତେ ରାଜନୈତିକ ଓ କୂଟନୈତିକ ସ୍ତରରେ ଆଲୋଚନା ଆରମ୍ଭ କରାଯାଉ ଏବଂ ଜନଗଣଙ୍କ ବାସ୍ତବ ସମସ୍ୟାର ମୁକାବିଲା ପ୍ରତି ଉଚିତ୍ ଧ୍ୟାନ ଆବଶ୍ୟକ ରହିଛି ବୋଲି  ଜନ ଅଧିକାର ମଞ୍ଚ, ଓଡିଶା ର ଆବାହକ ବିଶ୍ବପ୍ରିୟ କାନୁନଗୋ ଏବଂ ଅଖିଳ ଭାରତ କିଶାନ ମଜଦୁର ସଭାର ଭାଲଚନ୍ଦ୍ର ଷଡଙ୍ଗୀ, ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭାର ଶଙ୍କର ସାହୁ, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଙ୍ଗଠନ ରାଧାରାଣୀ ମହାରଣା, ଆଦିବାସୀ ଭାରତ ମହାସଭା ଟୁନା ମଲ୍ଲିକ, ଉପକୂଳୀୟ ଜମି ଓ ଜଙ୍ଗଲ ସୁରକ୍ଷା ସମିତିର ବଟକୃଷ୍ଣ ସ୍ଵାଇଁ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଙ୍ଗଠନର ଦେବ ରଞ୍ଜନ, ଚାଷୀ ମୁଲିଆ ସଙ୍ଘ, ଓଡିଶା ର ଶ୍ରୀକାନ୍ତ ମହାନ୍ତି, ଜନବାଦୀ ଲେଖକ ସଙ୍ଘର ଲେନିନ କୁମାର, ବନବାସୀ ସୁରକ୍ଷା ପରିଷଦ, କନ୍ଧମାଳର ବଳଭଦ୍ର ମଲ୍ଲିକ, ବସ୍ତି ସୁରକ୍ଷା ମଞ୍ଚ – ହେନା ବାରିକ ଓ ପ୍ରମିଳା, ମାନବବାଦୀ ହେତୁବାଦୀ ସଙ୍ଗଠନ, ଓଡିଶାର ରାଜା ସୁରେଶ, ମାନବ ଅଧିକାର ସୁରକ୍ଷା ମଞ୍ଚ – ଅବନୀ ଗୟା, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନର ନରେନ୍ଦ୍ର ମହାନ୍ତି, ମାଲକାନଗିରି ଜିଲ୍ଲା ଆଦିବାସୀ ସଙ୍ଘର ବାଲରାଜ ଗେମେଲ ଓ ବିଜୟ ଉପାଧ୍ୟାୟ, ଇଣ୍ଡିଆନ ଫେଡେରେସନ ଅଫ ଟ୍ରେଡ ୟୁନିୟନର ପ୍ରତାପ ପ୍ରଧାନ, ଟ୍ରେଡ ୟୁନିୟନ ସେଣ୍ଟର ଅଫ ଇଣ୍ଡିଆ – ରାଜେନ୍ଦ୍ର ବାରିକ ଓ ଶିବରାମ ଏବଂ ଶ୍ରୀମନ୍ତ ମହାନ୍ତି, ପ୍ରମୋଦିନୀ ପ୍ରଧାନ, ପ୍ରତାପ ଚିନାରା, ପ୍ରଫେସର ବିଜୟ ବହିଦାର, ପ୍ରଫେସର ଗୋଲକ ବିହାରୀ ନାଥ, ନିଗମାନନ୍ଦ ଷଡଙ୍ଗୀ ଓ ଧୀରେନ୍ଦ୍ର ପଣ୍ଡା ଆଦି ଜନ ଅଧିକାର ସଂଘ, ଓଡିଶାର ସଭ୍ୟମାନେ ସରକାରଙ୍କ ନିକଟରେ ଦୃଢ ଦାବୀ ଉପସ୍ଥାପନ କରିଥିବା କ୍ରାନ୍ତିକାରୀ କୃଷକ ସଭାର ରାଜ୍ୟ ସମ୍ପାଦକ ଶଙ୍କର ସାହୁ ସୂଚନା ପ୍ରଦାନ କରିଛନ୍ତି ।
Leave A Reply

Your email address will not be published.