ମାହାଙ୍ଗା ସରପଞ୍ଚଙ୍କ ଦଳିତ ବ୍ୟକ୍ତିଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ଧମକକୁ ବିଭିନ୍ନ ମହଲରେ ନିନ୍ଦା ।

0 374

ଭୁବନେଶ୍ୱର, ତା୨୮/୦୮/୨୦: ଦଳିତ ମାନଙ୍କ ଉପରେ ନିର୍ଯ୍ୟାତନା, ଜାତିଗତ ଆକ୍ଷେପ ଦିନକୁ ଦିନ ବଢ଼ିଚାଲିଥିବା ବେଳେ ବିଚ୍ ରାସ୍ତାରେ ଜଣେ ଦଳିତ ବର୍ଗର ଯୁବକଙ୍କୁ ମାହାଙ୍ଗା ଗ୍ରାମ ପଞ୍ଚାୟତର ଶାସକ ଦଳର ସରପଞ୍ଚ ଜାତିଗତ ଆକ୍ଷେପ ସହ ମରଣାନ୍ତକ ଆକ୍ରମଣ ଘଟଣା ଏବେ ଭାଇରାଲ୍ ହେବାରେ ଲାଗିଛି । ଅବିଳମ୍ବେ ଅଭିଯୁକ୍ତ ମାନଙ୍କୁ ଗିରଫ୍ କରି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ପରିବାରବର୍ଗ ରାଜ୍ୟ ମାନବାଧିକାର କମିଶନ ଓ ଜାତୀୟ ଅନୁସୂଚିତ ଜାତି କମିଶନଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି ପ୍ରକାଶ କରିଛନ୍ତି । ଏ ସଂପର୍କିତ ବିବରଣୀରୁ ପ୍ରକାଶ ଯେ, କଟକ ଜିଲ୍ଲାର ମାହାଙ୍ଗା ଗ୍ରାମ ପଞ୍ଚାୟତ ଅଧିନସ୍ଥ ଯଶୁଆପୁର ଗ୍ରାମର ଧରଣୀଧର ଭୋଇ ନାମକ ଜଣେ ଅନୁସୂଚିତ ଜାତିର ଯୁବକଙ୍କୁ ସେମାନଙ୍କ ପଡିଆ ଜମିରେ ପାୱାର ଟିଲର୍ ନେବା ଅଭିଯୋଗରେ ଗତ ୨୩ ଅଗଷ୍ଟ ଅପରାହ୍ନରେ ମାହାଙ୍ଗା ସରପଞ୍ଚ ପ୍ରଦୀପ୍ତ ସିଂହ(ନଣ୍ଡା) ଓ ତାଙ୍କର ଅନ୍ୟ ଦୁଇଭାଇ ପ୍ରସନ୍ନ(ଡୁନିଆ) ଓ ପ୍ରଦ୍ୟୁମ୍ନ (ଟୁକୁନା) ଜାତିଗତ ଆକ୍ଷେପ କରିବା ସହ ମରଣାନ୍ତକ ଆକ୍ରମଣ କରିଥିଲେ। ସେମାନଙ୍କ ପାଟିଗୋଳ ଶୁଣି ଧରଣୀଧର ଓରଫ୍ ଟୁକୁନିର ପରିବାରବର୍ଗ ଘଟଣା ସ୍ଥଳରେ ପହଞ୍ଚି ଯିବାରୁ ସେମାନଙ୍କୁ ମଧ୍ୟ ଅଭିଯୁକ୍ତ ମାନେ ଜାତିଗତ ଆକ୍ଷେପ କରି ଅଶାଳୀନ ଭାଷାରେ ଗାଳି ଗୁଲଜ କରିବା ସହିତ ଥାନାକୁ ଗଲେ ତାଙ୍କ ଘର ପୋଡ଼ିଦେବେ ବୋଲି ଧମକ ଦେଇ ସେ ସ୍ଥାନରୁ ପଳାଇଥିଲେ । ଆହତ ଅବସ୍ଥାରେ ଧରଣୀଧରଙ୍କୁ ତାଙ୍କ ପୁତୁରା ମାହାଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇ ଚିକିତ୍ସା କରାଇବା ପରେ ମାହାଙ୍ଗା ଥାନାକୁ ଅଭିଯୋଗ କରିବାକୁ ଯାଇଥିଲେ । କିନ୍ତୁ ମାହାଙ୍ଗା ଥାନା ଅଧିକାରୀ ଘଟଣାର ଆପୋଷ ସମାଧାନ କରିବାକୁ କହି ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବେଳେ ଅଭିଯୁକ୍ତ ସରପଞ୍ଚ ଥାନାରେ ପହଞ୍ଚି ଆହତ ଧରଣୀଧରର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ ଓ କ୍ଷତିପୁରଣ ଦେବାକୁ ପ୍ରତିଶ୍ରୁତି ଦେଇ ଦୁଇଦିନ ମହଲତ ମାଗିଥିଲେ । କିନ୍ତୁ ଦୁଇଦିନ ବିତିଯିବାପରେ ମଧ୍ୟ ସେ ଘଟଣାର ସମାଧାନ କରିବା ପରିବର୍ତ୍ତେ ଧରଣୀଧରର ବଡ଼ଭାଇ ଯିଏ ପାରାଦ୍ୱୀପରେ ଶିକ୍ଷକତା କରନ୍ତି, ତାଙ୍କୁ “ଆମର କ୍ଷମତା ଅଛି, ପଇସା ଅଛି, ଆମେ ଯାହା ଚାହିଁବୁ, ତାହା କରିବୁ” ବୋଲି ଓଲଟା ଧମକ ଦେଇଥିଲେ । ଫଳରେ ବାଧ୍ୟ ହୋଇ ଧରଣୀଧର ୪/୫ ଥର ଥାନାକୁ ଦୌଡିବା ପରେ ମାହାଙ୍ଗା ଥାନାରେ ଏତଲା ପଞ୍ଜିକୃତ ହୋଇଛି । ଏତଲା ସଂଖ୍ୟା ୦୧୭୮/୨୦୨୦ ଅନୁଯାୟୀ ଅଭିଯୁକ୍ତ ମାନଙ୍କ ନାମରେ ଭାରତୀୟ ଅପରାଧୀକ ଦଣ୍ଡବିଧି ଆଇନ୍ ର ଧାରା ୩୪୧, ୩୨୩, ୫୦୬,୨୯୪ ଓ ୩୪ ସହ ଅନୁସୂଚିତ ଜାତି ଓ ଜନଜାତି ସୁରକ୍ଷା ତଥା ନିରାକରଣ ଆଇନ୍ ୧୯୧୫ ର ଉପଧାରା 3(1)(r), 3(1)(s) ଓ 3(2)(va) ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଛି। କିନ୍ତୁ ଘଟଣାର ୪ଦିନ ବିତିଯିବାପରେ ମଧ୍ୟ ଅଦ୍ୟାବଧି ଅଭିଯୁକ୍ତ ମାନଙ୍କୁ ଗିରଫ୍ କରାଯାଇନାହିଁ । ଅବିଳମ୍ବେ ଅପରାଧୀ ମାନଙ୍କୁ ଗିରଫ୍ କରିବା ପାଇଁ ମୂଳନିବାସୀ ସମତା ପରିଷଦର ଅଧ୍ୟକ୍ଷ ଅଭିରାମ ମଲ୍ଲିକ, ଦଳିତ ମୁକ୍ତି ଆନ୍ଦୋଳନର ଯୁଗଳ ରଣଜିତ, ଆମ୍ବେଦକର ଲୋହିଆ ବିଚାର ମଞ୍ଚର ସଂଗ୍ରାମ ମଲ୍ଲିକ, ଇନସାଫ୍ ର ରାଜ୍ୟ ଆବାହକ ନରେନ୍ଦ୍ର ମହାନ୍ତି, କ୍ରାନ୍ତିକାରୀ କୃଷକ ସଭା (AIKKS)ର ରାଜ୍ୟ ସମ୍ପାଦକ ଶଙ୍କର ସାହୁ, ଜନଜାଗରଣ ମଞ୍ଚର ମଧୁସୂଦନ ସେଠୀ, ଗାଁରୁ ଆନ୍ଦୋଳନ ଅଭିଯାନ ପକ୍ଷରୁ ଗୌତମ ପାତ୍ର, ସଞ୍ଜୟ ନାୟକ, ସମ୍ବିଧାନ ବଞ୍ଚାଅ- ଦେଶ ବଞ୍ଚାଅ ସଂଗଠନର ଶେଖ୍ ଅବଦୁଲ ୱାଲି, ଆଇନଜୀବୀ ନିରଞ୍ଜନ ମହାନ୍ତି ଓ ମାନବାଧିକାର କର୍ମୀ ବିଶ୍ୱନାଥ ପାତ୍ର ପ୍ରମୁଖ ଦାବି କରିଛନ୍ତି ।

Leave A Reply

Your email address will not be published.