ଭୁବନେଶ୍ୱର,୨୪/୧୨- ମାର୍ଗଶୀର ମାସ ଶେଷ ଗୁରୁବାରରେ ଓଡ଼ିଆ ଘରର ମହିଳାମାନେ ମାଣ ବସେଇ ଲକ୍ଷ୍ମୀପୂଜା କରିବା ବଦଳରେ ସକାଳ ୯ଟା ଠାରୁ ଦିନତମାମ ବସ୍ତି ନିକଟ ରାଜରାସ୍ତା କଡ଼ରେ ବସି ଘରଭଙ୍ଗାର ପ୍ରତିବାଦ କରିବାକୁ ଧାରଣାରେ ବସି ରହିଲେ। ଏପରିକି ଘର ଭଙ୍ଗାଳୀ ଦଳଙ୍କୁ ପ୍ରତିରୋଧ କରିବାକୁ ପ୍ରସ୍ତୁତ ହୋଇ ସ୍ଲୋଗାନ ଦେଇ ଚାଲିଥିଲେ। ମା ତାରିଣୀ ଓ ଅରବିନ୍ଦ ନଗର ବସ୍ତି ଭାଙ୍ଗିବାକୁ ଗତ ତା ୨୩ ଡିସେମ୍ବର ୨୦୨୦ ଅପରାହ୍ନ ସାଢେ ୪ ଘଟିକା ସମୟରେ ବିଡିଏ, ବିଏମସି ପକ୍ଷରୁ ବୋଲେରୋ ଗାଡ଼ିରେ ମାଇକ ପ୍ରଚାର କରାଯାଇଥିଲା। ପ୍ରବଳ ଶୀତ କାକର ସମୟରେ ଏହିଘର ଭଙ୍ଗା ପ୍ରଚାରରେ ଭୟଭୀତ ହୋଇ ମା ତାରିଣୀ – ଅରବିନ୍ଦ ନଗର ମିଳିତ ବସ୍ତି କମିଟି ପକ୍ଷରୁ ଘରଭଙ୍ଗା ଅଭିଯାନ ପାଇଁ ପୋଲିସ ସହାୟତା ନଦେବା ପାଇଁ ସେମାନେ ଭୁବନେଶ୍ୱର ଡିସିପି ଉମାଶାଙ୍କର ଦାଶଙ୍କୁ ଚିଠି ଦେଇ ଅନୁରୋଧ କରିବା ସହିତ ଭଙ୍ଗାଳୀ ଦଳ ଆସିଲେ ପ୍ରତିରୋଧ କରି କଡା ଜବାବ ଦେବାକୁ ବସ୍ତିର ସମସ୍ତ ମହିଳା, ପୁରୁଷ, ଛୋଟ ଛୋଟ ଛୁଆ ଓ ବୃଦ୍ଧ ବୃଦ୍ଧା ସମସ୍ତେ ଏକାଠି ହୋଇ ଜୀବନକୁ ବାଜି ଲଗେଇ ଲଢ଼ିବାକୁ ପ୍ରସ୍ତୁତ ଥିଲେ ବୋଲି ମିଳିତ ବସ୍ତି କମିଟିର ସଭାପତି ଦୀନବନ୍ଧୁ ସାହୁ ଗଣମାଧ୍ୟମ ସମ୍ମୁଖରେ ଜଣାଇଛନ୍ତି। ପ୍ରକାଶଯୋଗ୍ୟ ଏହି ଉଭୟ ବସ୍ତିର ମାତ୍ର କିଛି ପରିବାରଙ୍କୁ ବିଏସୟୁପି ଯୋଜନାରେ କୋଠାଘର ଦେଇ ବାକି ସବୁ ପରିବାରଙ୍କ ଘରକୁ ବଳପୂର୍ବକ ଭାଙ୍ଗିଦେବାକୁ ଲଗାତର ଉଦ୍ୟମ ଚାଲିଛି। ଯେଉଁମାନେ ଘର ପାଇଛନ୍ତି କେବଳ ସେମାନଙ୍କ ଘର ଭାଙ୍ଗିବା ବାହାନାରେ ଘର ପାଇନଥିବା ଲୋକଙ୍କ ଘର ଭାଙ୍ଗି ଦେଉଛନ୍ତି। ବସ୍ତିର ସବୁଠାରୁ ପୁରୁଣା ଓ ଅତି ଗରିବ ବୁଦ୍ଧି ପ୍ରଧାନକୁ ପ୍ରଥମ ପର୍ଯ୍ୟାୟରେ କୋଠାଘର ନଦେଇ ୪ ନଭେମ୍ବରରେ ତା ଘର ଭାଙ୍ଗି ଦେଇଛନ୍ତି। ଏହି ଦୁଇ ବସ୍ତିରେ ୫ ଶହ ପରିବାର ରହୁଥିବା ବେଳେ ମାତ୍ର ୧୭୯ ପରିବାରଙ୍କୁ ବହୁତଳ ପ୍ରସାଦ ଭିତରେ ଗୋଟିଏ ଗୋଟିଏ ଅତି ନିମ୍ନ ମାନର ଛୋଟିଆ କୋଠରୀଟିଏ ଦେଇ ବାକି ସମସ୍ତ ପରିବାରଙ୍କୁ ଉଛେଦ ଉଦ୍ୟମ ବିରୁଦ୍ଧରେ ଉଭୟ ବସ୍ତି ଲୋକଙ୍କ ପକ୍ଷରୁ ପ୍ରତିବାଦ ଲଢେଇ ଜାରୀ ରହିଛି। ଏହି ପରିପ୍ରେକ୍ଷୀରେ ୨ୟ ପର୍ଯ୍ୟାୟ ଥଇଥାନ ପାଇଁ ପ୍ରତି ପରିବାର ୧ ଲକ୍ଷ ୨୦ ହଜାର ଟଙ୍କା ଡିପୋଜିଟ ଗତ ଏକ ସପ୍ତାହ ତଳେ ଆରମ୍ଭ ହୋଇଛି। କିନ୍ତୁ ଦଶନ୍ଧି ଦଶନ୍ଧି ଧରି ବସ୍ତିରେ ରହୁଥିବା ଅନେକ ଶ୍ରମଜୀବୀ ପରିବାରଙ୍କୁ ଏହି ତାଲିକାରୁ ବାଦ ଦିଆଯାଇଛି। ଯେଉଁମାନେ ବସ୍ତିରେ କେବେ ରହି ନାହାନ୍ତି, ଆଦୌ ବସ୍ତି ଲୋକ ନୁହଁନ୍ତି ଅବା ବସ୍ତି ଲୋକଙ୍କ ସମ୍ପର୍କୀୟ ଯେଉଁମାନେ କି କେବେ ମଧ୍ୟ ବସ୍ତିରେ ନଥିଲେ, ଗାଁରେ ରହୁଥିଲେ ଅବା ଅନ୍ୟ ସହରରେ ରହୁଥିଲେ ସେଭଳି ବେଆଇନ ଲୋକଙ୍କ ନାମରେ ଏହି ଘର ଆଲଟମେଂଟ ଉଦ୍ୟମ ଚାଲିଛି। ୧୭୯ ଘର ଆଲଟମେଂଟ ସମୟରେ ମଧ୍ୟ ଏଭଳି ଚଞ୍ଚକତା କରି ବେଶକିଛି ଘରକୁ ଅଣବସ୍ତି ଲୋକଙ୍କୁ ବିକ୍ରୀ କରିବାରେ ସଫଳ ହେବା ପରେ ବିଏମସି-ବିଡିଏ ଅଧିକାରୀ, ସ୍ଥାନୀୟ ନେତା ଓ ବସ୍ତିର କିଛି ଦଲାଲଙ୍କ ମଧ୍ୟରେ ଅସାଧୁ ମେଣ୍ଟ କରି ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଗୁଡିକୁ ବିକ୍ରି ଉଦ୍ୟମ ଆରମ୍ଭ ହୋଇଛି। ଯେଉଁମାନେ ହଜାର ହଜାର ଟଙ୍କା ଲାଞ୍ଚ ଦେଇ ପାରୁଛନ୍ତି ସେମାନଙ୍କ ନାଁ ତାଲିକାରେ ଆସୁଛି। ପୁଣି ବସ୍ତି ଦଲାଲଙ୍କ ଜରିଆରେ ସେମାନଙ୍କ ସହ ଚୁକ୍ତି କରୁଛନ୍ତି, ୨୦ ଲକ୍ଷ ଟଙ୍କାର ଘର ପାଇବେ ଆଗୁଆ ସର୍ବନିମ୍ନ ଦେଢ଼ ଲକ୍ଷରୁ ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦାବି କରୁଛନ୍ତି। ଯେହେତୁ ପ୍ରଥମ ପର୍ଯ୍ୟାୟରେ ୫୫ ଘରକୁ ଏଭଳି ବିକ୍ରି କରିବାରେ ସଫଳ ହୋଇଛନ୍ତି, ସବୁ ସରକାରୀ ଦପ୍ତରରେ ପ୍ରତିବାଦ ପରେ ମଧ୍ୟ କୌଣସି ଫଳ ହେଲାନି, ତେଣୁ ଏହି ଅସାଧୁ ମେଣ୍ଟ ଜରିଆରେ ଘର ବିକ୍ରି ଅଭିଯାନ ଜୋରଦାର ହୋଇଛି। ବସ୍ତି ଆଇନର ସଂଜ୍ଞା ଅନୁସାରେ ବସ୍ତିର ସବୁ ପରିବାରକୁ ଘର ନଦେଇ ଗୋଟିଏ ଟାଇଟଲର ୪-୫ ପରିବାରକୁ ଗୋଟିଏ ଘର କହି ବାକି ଘରକୁ ହଡପ ଉଦ୍ୟମ ଚାଲିଛି। ଫଳରେ ବସ୍ତିରେ ଜନ୍ମ ହୋଇଥିବା ଏବଂ ୩୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ରହିଥିବା ଅନେକ ପରିବାର ଏଥିରୁ ବଂଚିତ ହୋଇଛନ୍ତି। ବସ୍ତି ଆଇନର ପରିବାର ସଂଜ୍ଞା ଅନୁସାରେ ପ୍ରକୃତରେ ବସ୍ତିରେ ରହୁଥିବା ସବୁ ପରିବାରଙ୍କୁ ଥଇଥାନ ଅନ୍ତର୍ଭୁକ୍ତ କରି କୋଠାଘର ଯୋଗାଇ ଦେବା ଦାବିରେ ମା ତାରିଣୀ ଓ ଅରବିନ୍ଦ ନଗର ମିଳିତ ବସ୍ତି କମିଟି ନେତୃତ୍ୱରେ ସେମାନେ ନ୍ୟାୟ ପାଇବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରୀ ରଖିବେ ବୋଲି ମିଳିତ କମିଟିର ନେତା ପର୍ଶୁରାମ ମହଲା, ଜୟ ଶର୍ମା, ପ୍ରଶାନ୍ତ ବେହେରା, ଜଗବନ୍ଧୁ ସାହୁ, ପ୍ରଶାନ୍ତ ରଣା, ଶୈଳବାଳା, ରୀନାରାଣୀ ଆଦି ଜଣାଇଛନ୍ତି। ବସ୍ତି ଥଇଥାନ ପାଇଁ ଉଦ୍ଦିଷ୍ଟ କୋଠାଘର ଆଲଟମେଂଟରେ ହୋଇଥିବା ଜାଲିଆତିର ସିବିଆଇ ତଦନ୍ତ କରିବାକୁ ଏବଂ ବେଆଇନ ଘର ବିକ୍ରି କାରବାରରେ ଲିପ୍ତ ଅଧିକାରୀ ଓ କର୍ମଚାରୀଙ୍କୁ ଗିରଫ କରିବା ଏବଂ ସେମାନଙ୍କ ସମ୍ପତ୍ତି ବ୍ୟାଜ୍ୟାପ୍ତ କରିବାକୁ ମହିଳା ଆନ୍ଦୋଳନକାରୀମାନେ ସ୍ଲୋଗାନ ଜରିଆରେ ଦାବି କରିଥିଲେ।
ଏହା ସମ୍ପର୍କରେ ମା ତାରିଣୀ ଓ ଅରବିନ୍ଦ ନଗର ମିଳିତ ବସ୍ତି କମିଟି ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଏବଂ 5ଟି ସଚିବଙ୍କ ଅବଗତ କରାଯାଇଛି ବୋଲି ଆନ୍ଦୋଳନକାରୀମାନେ ସୂଚନା ଦେଇଛନ୍ତି।