କୋଦଳା,୨୪/୦୯(ପିପିଟି): ଗଞ୍ଜାମ ଜିଲ୍ଲା କୋଦଳା ଏନ୍ଏସି ଅନ୍ତର୍ଗତ ରେଞ୍ଜର ବଙ୍ଗଳା ସାହିରେ ରହୁଥିବା ସମସ୍ତ ଏରେଗୁଲା ପରିବାର ପି ଇଶ୍ଵରୀ ଏବଂ ପି ବିଜୟାଙ୍କ ନେତୃତ୍ୱରେ ଦେଶୀ ମହୁଲି ମଦ ପୋଚ ପାଣି ସେମାନଙ୍କ ସାହି ବାଡ଼ି ପଟକୁ ନ ଛାଡିବା ଦାବି ନେଇ ଏକ ଶୋଭାଯାତ୍ରାରେ ବାହାରି ମଦରନ୍ଧା ପୋଚ ବିରୋଧୀ ବିଭିନ୍ନ ସ୍ଲୋଗାନ ଦେଇ କୋଦଳା ଥାନା ଅଧିକାରୀ ଦେବାଶିଷ ମହାନ୍ତି ଓ କୋଦଳା ତହସିଲଦାର ଏବଂ ଅତିରିକ୍ତ ତହସିଲଦାରଙ୍କ ଅନୁପସ୍ଥିତିରେ ସେସନ୍ସ ଅଫିସର ରାଧାମାଧବ ପାତ୍ରଙ୍କୁ ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଲିଖିତ ଦାବୀ ପତ୍ର ପ୍ରଦାନ କରିଛନ୍ତି । ଏଥିସହିତ ଏହାର ନକଲ ମଧ୍ଯ ଅନ୍ୟାନ୍ୟ ଅଧିକାରୀ ଓ କବିସୂର୍ଯ୍ୟନଗର ବିଧାୟିକାଙ୍କୁ ପ୍ରେରଣ କରିବେ ବୋଲି ପ୍ରକାଶ କରିଛନ୍ତି । ମଦପୋଚ ନିର୍ଦ୍ଦିଷ୍ଟ ଜଣେ ରାଜନେତାଙ୍କ ମଦ ଭାଟିରୁ ବାହାରୁଥିବା ବେଳେ ଉକ୍ତ ଭାଟି ବୁଝୁଥିବା ବ୍ୟକ୍ତିଙ୍କୁ ଗୁହାରିକଲେ ଓଲଟି ଧମକ ମିଳୁଥିବା ନେଇ ଦାବିପତ୍ର ରେ ଉଲ୍ଲେଖ ଅଛି । ଏହି ମଦ ପୋଚ ପାଣି ସେମାନଙ୍କ ବାଡ଼ି ପଟେ ରହିବା ଦ୍ଵାରା ସେମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେଉଥିବା କଥା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି । ଏଥିସହିତ ଏକ ଚାରିଜଣିଆ ପ୍ରତିନିଧି ଦଳ ମଧ୍ୟ ଥାନା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ ସହ ସେମାନଙ୍କ ଅସୁବିଧା ସମ୍ପର୍କରେ ଜଣାଇଛନ୍ତି । ଏ ନେଇ ଥାନା ଅଧିକାରୀ ଶ୍ରୀ ମହାନ୍ତି ଏହାର ତଦନ୍ତ କରି ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିବେ ବୋଲି ପ୍ରକାଶ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ଏରେଗୁଲା ବସ୍ତିର ୩୦ ରୁ ଊର୍ଦ୍ଧ୍ଵ ମହିଳା ପୁରୁଷ ସମେତ କିଛି ସାମାଜିକ କର୍ମୀ ମଧ୍ଯ ସାମିଲ ଥିଲେ ।
(ରିପୋର୍ଟ – ସୂର୍ଯ୍ଯ ନାରାୟଣ ବଡୁ। )