ବେଲଗୁଣ୍ଠା ୮ ପଜିଟିଭ ଚିହ୍ନଟ ପରେ ନିଷିଦ୍ଧ ଅଞ୍ଚଳ ଓ ବଫର୍ ଜୋନ ଘୋଷଣା ।

0 41

ବେଲଗୁଣ୍ଠI, ୧୭/୦୬(ପିପିଟି), ବେଲଗୁଣ୍ଠା ବ୍ଲକ୍ ରୁ ସୋମବାର ଦିନ ଆଉ ଚାରି ପଜିଟିଭ  ଚିହ୍ନଟ ହୋଇଛନ୍ତି। ପୂର୍ବରୁ ଚାରି ଜଣ ବ୍ୟବସାୟୀ ଚିହ୍ନଟ ହୋଇଥିବା ବେଳେ ସୋମବାର ଚିହ୍ନଟ ହୋଇଥିବା ଆଉ ଚାରି ମଧ୍ୟ କ୍ଷୁଦ୍ର ବ୍ୟବସାୟୀ । ଏମାନଙ୍କ ପଜିଟିଭ  ଜଣା ପଡ଼ିବା ପରେ ବେଲଗୁଣ୍ଠା ବ୍ଲକ  ବଙ୍କା ପଞ୍ଚାୟତରେ ପଜିଟିଭ  ସଂଖ୍ୟା ୮ ରେ ପହଞ୍ଚିଛି।ଏଥି ମଧ୍ୟରେ ବଙ୍କା ପଞ୍ଚାୟତ ଗିରିସୋଲ  ଗ୍ରାମର ୬ ଜଣ ଓ ଜିରୋଳି  ଗ୍ରାମର ୨ ଜଣ ଅନ୍ତର୍ଭୁକ୍ତ।ଗତ ଶୁକ୍ରବାର ଓ ଶନି ବାର ମଧ୍ୟରେ ବଙ୍କା ପଞ୍ଚାୟତ ଓ ଆମ୍ବପୂଆ  ପଞ୍ଚାୟତର ୧୨ ଜଣ ବ୍ୟକ୍ତିଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ନିଆଯାଇଥିଲା । ସେମାନଙ୍କ ମଧ୍ୟରୁ ରବିବାର ଓ ସୋମବାର ଦୁଇ ଦିନ ମଧ୍ୟରେ ୮ ଜଣଙ୍କ ପଜିଟିଭ  ବାହାରିଥିବା ସ୍ପଷ୍ଟ ହେବା ପରେ ସୋମବାର ସକାଳେ ବେଲଗୁଣ୍ଠା ଅଗ୍ନିଶମ ବିଭାଗ ତରଫରୁ ଗିରି ସୋଲା ଓ ଜିରୋଳି ଗ୍ରାମକୁ ସାନିଟାଇଜ  କରାଯାଇଥିବା ବେଳେ ଆଜି କୀରାପୋଲୀ   ଗ୍ରାମକୁ ମଧ୍ୟ ସାନିଟାଇଜ  କରାଯାଇଛି । ଏହା ସହ ଗିରିସୋଲା  ଗ୍ରାମକୁ କଣ୍ଟେନମେଣ୍ଟ  ଜୋନ,  ଜିରୋଳି ଓ  କୀରାପୋଲୀ  ଗ୍ରାମକୁ ବଫର୍ ଜୋନ ପରିସର ଭୁକ୍ତ କରାଯାଇଛି । ଅତିରିକ୍ତ ତହସିଲଦାର ରମେଶ ଚନ୍ଦ୍ର ବେହେରାଙ୍କୁ ନିର୍ବାହୀ ମାଜିଷ୍ଟ୍ରେଟ୍ ଦାୟିତ୍ଵ ପ୍ରଦାନ କରାଯାଇଛି । ବେଲଗୁଣ୍ଠା ବିଡିଓ ଶଶୀ ଭୂଷଣ ମହାପାତ୍ର ଓ ତହସିଲଦାର ସରୋଜ କୁମାର ବେହେରା ମିଳିତଭାବେ ଉପସ୍ଥିତ ରହି ଏହି ତିନୋଟି ଗ୍ରାମକୁ ବାଉଁଶ ବେରିକେଟ କରି ସଂପୂର୍ଣ୍ଣ ସିଲ୍ କରିଛନ୍ତି । କୌଣସି ବାହାର ବ୍ୟକ୍ତି ଏହି ଗ୍ରାମକୁ ପ୍ରବେଶ କରିବା କିମ୍ବା ଗ୍ରାମବାସୀ ମାନେ ଗାଁ ବାହାରକୁ ଯିବାକୁ ନିଷିଦ୍ଧ କରାଯାଇଛି । ଅତି ଆବଶ୍ୟକୀୟ ଜିନିଷ ପ୍ରଶାସନ ଯୋଗାଇ ଦେବା ସହ କୌଣସି ଗୁରୁତର ସ୍ଵାସ୍ଥ୍ୟ ସମସ୍ୟା ପାଇଁ ଆବଶ୍ୟକୀୟ ସ୍ଥଳେ ଡାକ୍ତରୀ ଟିମ୍  ଗ୍ରାମକୁ ଯାଇ ଚିକିତ୍ସା ଯୋଗାଇ ଦିଆଯିବ ବୋଲି ପ୍ରଶାସନ ପ୍ରକାଶ କରିଛି।  ଜିରୋଳିରୁ ଚିହ୍ନଟ ହୋଇଥିବା ଦୁଇ ଜଣ  ଜାକ ପୁରୁଷ ହୋଇଥିବା ବେଳେ ଜଣେ ୪୮ ବର୍ଷୀୟ ରାସନ ଦୋକାନୀ ଓ ଆଉ ଜଣେ ୫୦ ବର୍ଷୀୟ ବରା ପକୁଡି  ବିକ୍ରି କରୁଥିବା  କ୍ଷୁଦ୍ର ବ୍ୟବସାୟୀ ବୋଲି ଜଣା ପଡ଼ିଛି।ଗିରିସୋଲାରୁ ଚିହ୍ନଟ ହୋଇଥିବା ୬ ଜଣଙ୍କ ମଧ୍ୟରେ ୩ ଜଣ ରାସନ  ଦୋକାନୀ ଯଥାକ୍ରମେ ୪୦,୫୦ ଓ ୫୧ ବର୍ଷୀୟ ବୟସ୍କ ହୋଇଥିବା ବେଳେ ୬୦ ଓ ୫୪ ବର୍ଷୀୟ ଦୁଇ ଜଣ ଜଳଖିଆ ଦୋକାନୀ ଓ ୨୩ ବର୍ଷୀୟ ଜଣେ ପାଣି ପୁରୀ ଦୋକାନୀ ଅନ୍ତର୍ଭୂକ୍ତ। ସମସ୍ତ ୮ ଜଣଙ୍କୁ କୋଭିଡ ହସ୍ପିଟାଲକୁ ପଠାଇ ଦିଆଯାଇଥିବା ଜଣା ପଡ଼ିଛି।ସଂକ୍ରମିତଙ୍କ ପରିବାର ବର୍ଗ ଓ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଗ୍ରାମ ବାସୀଙ୍କୁ ସଙ୍ଗରୋଧ ରେ ରଖାଯାଇଛି।ପର୍ଯ୍ୟାୟ କ୍ରମେ ସମସ୍ତଙ୍କ ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ବିଡିଓ ଶ୍ରୀ ମହାପାତ୍ର ପ୍ରକାଶ କରିଛନ୍ତି।ଚିହ୍ନଟ ହୋଇଥିବା ସମସ୍ତ ୮ ଜଣ ବ୍ୟବସାୟୀ ହୋଇଥିବାରୁ ୨୦୦ ରୁ ଊର୍ଦ୍ଧ୍ଵ ବ୍ୟକ୍ତି ଏମାନଙ୍କ ସଂସ୍ପର୍ଶରେ ଆସିଥିବା ଜଣା ପଡ଼ିଛି।ସମସ୍ତ ବ୍ୟବସାୟୀ ବେଲଗୁଣ୍ଠାରୁ ଜିନିଷ କିଣି ଗ୍ରାମରେ ବିକ୍ରି କରୁଥିବାରୁ ବେଲଗୁଣ୍ଠା ବ୍ୟବସାୟୀ ମହଲରେ ଆତଙ୍କ ଖେଳି ଯାଇଛି । ଗିରିସୋଲା,ଜିରୋଳି,  କୀରାପୋଲୀ, ବଙ୍କା, କାଳପଙ୍କାଳ,ପଥରାପୋଲି,  ଅମ୍ବପୂଆ ,ଚଢିଆପୋଲି  ସମେତ ବେଲଗୁଣ୍ଠା ଏବଂ ଏହାର ଆଖପାଖ ଅଞ୍ଚଳରେ କୋକୁଆ ଭୟ ଦେଖା ଦେଇଛି।ଭୟଭୀତ ନ ହୋଇ ସମସ୍ତ ନୀତି ନିୟମ ମାନି ଏହାର ମୁକାବିଲା କରିବାକୁ ଲୋକଙ୍କ ମନରେ ପ୍ରଶାସନ ସାହସ ଦେଉଥିବା ଦେଖିବାକୁ ମିଳିଛି ।
ରିପୋର୍ଟ – ଶିବରାମ ଚୌଧୁରୀ ।

Leave A Reply

Your email address will not be published.