ବେକାର ଯୁବପିଢୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ତୁଷାର ।

0 298

ଯାଜପୁର,୦୮/୦୮(ପିପିଟି); ମହାମାରୀ କରୋନା ମାନବ ସମାଜକୁ ଦୋହଲାଇ ଦେଇଛି । ଏହାର କାୟା ଆଜି ସବୁ କ୍ଷେତ୍ରକୁ ପ୍ରଭାବିତ କରିଛି । ଏହାଦ୍ୱାରା ଗରିବ, ଆଦିବାସୀ, ଦଳିତ,ପଛୁଆ ବର୍ଗ, ଦିନମଜୁରିଆ ଓ ଅସହାୟମାନେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି । ସେହିପରି ବେକାର ଯୁବକ ଯୁବତୀମାନେ ଏହାର ପ୍ରଭାବରେ ଉପାୟ ଶୂନ୍ୟ ହୋଇପଡିଛନ୍ତି । ରାଜ୍ୟ ସରକାର ବେକାରୀମାନଙ୍କୁ କର୍ମ ସଂସ୍ଥାନ ଯୋଗଇ ଦେବାରେ ଅସମର୍ଥ ହୋଇଥିବାରୁ ସେମାନେ ପରିବାର ପ୍ରତିପୋଷଣ ପାଇଁ ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି । ବର୍ତ୍ତମାନ କରୋନା ସେ ରାସ୍ତାରେ ଏକ ପୁର୍ଣ୍ଣଛେଦ ଟାଣି ଦେଇଛି । ସେଥିପାଇଁ ବେକାର ଯୁବକଯୁବତୀମାନେ ଘରେ ହାତ ବାନ୍ଧି ବସିରହିଛନ୍ତି । ଏପରିସ୍ଥଳେ ଧର୍ମଶାଳା ବ୍ଲକ କୁମାରୀ ପଂଚାୟତ ଦେଉଳିପାଳ (ଭାଲିଆପଟ) ଗ୍ରାମର ବ୍ରଜ କିଶୋର ଖୁଂଟିଆଙ୍କ ପୁଅ ତୁଷାର ଖୁଂଟିଆ (୩୫) ଯୁବପିଢୀଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଚାରିମାସ ହେବ କରୋନା ତାର କାୟା ବିସ୍ତାର କରି ଚାଲିଥିବା ବେଳେ ଏହାକୁ ମୁକାବିଲା କରିବା ଯାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକଡାଉନ ଜାରି କରିଛନ୍ତି । ଏହି ଚାରିମାସ ମଧ୍ୟରେ ତୁଷାର ଘରେ ବସି ନରହି ଆଧୂନିକ ପ୍ରଣାଳୀରେ ଚାଷ କାର୍ଯ୍ୟକୁ ଆପଣାଇଛନ୍ତି । ନିଜେ ସ୍ୱାବଲମ୍ବୀ ହେବା ସହିତ ପରିବାର ପ୍ରତିପୋଷଣ କରିବା ଲକ୍ଷ୍ୟ ନେଇ ବିଭିନ୍ନ ପ୍ରକାର ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ଖୁବ କମ ଦିନ ମଧ୍ୟରେ ସେ ମାଛ ଚାଷ, କୁକୁଡା ଚାଷ, ଛେଳିଚାଷ, ଗୋପାଳନ ଓ ବିଲରେ ପନିପରିବା ଚାଷ କରୁଛନ୍ତି । ଏହାକୁ ନଦେଖିଲେ ବିଶ୍ୱାସ କରିହେବ ନାହିଁ । କଥାରେ ଅଛି ଇଛା ଥିଲେ ଉପାୟ ଆପେ ଆପେ ଆସେ । ସେହିକ୍ରମରେ ତୁଷାର ତାଙ୍କ ସ୍ତ୍ରୀ ସସ୍ମିତାଙ୍କ ସହଯୋଗକୁ ପାଥେୟ କରି ନୂତନ ଶୈଳୀରେ ଚାଷ କାର୍ଯ୍ୟ ଆରମ୍ଭ କରିଛନ୍ତି । ବାୟୋପ୍ଲକ୍ ଜରିଆରେ ମାଗୁର, ଜଳଙ୍ଗ ଓ କଉ ମାଛ ଚାଷ କରିବାକୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ବାୟୋପ୍ଲକ ଏକ କୂଅ ସଦୃଶ । ସେଠାକୁ ମଟର ଯୋଗେ ପାଣି ଯୋଗାଇବା ପାଇଁ ବ୍ୟବସ୍ଥା କରାଯାଇଛି । ସେହି ମାଛ ମାନଙ୍କ ପାଇଁ ଖାଦ୍ୟ ଯୋଗାଇବା ସହିତ ଅମ୍ଳଜାନ ପାଇଁ ପାଇପ ଲଗାଯାଇଛି । ସେହିପରି ନୂତନ କିସମର ଏକ କଡକନାଥ କଳାରଙ୍ଗର କୁକୁଡା ସହିତ ବହୁସଂଖ୍ୟାର ଦେଶୀ କୁକୁଡା ପାଳନ କରାଯାଇଛି । ଏହି କଡକନାଥ କୁକୁଡାଟି ଅନ୍ୟ କୁକୁଡା ମାଂସର ମୂଲ୍ୟଠାରୁ ଅଧିକ ହୋଇଥିବାରୁ ଏହାକୁ ଅଧିକ ପରିମାଣରେ ପାଳନ କରାଯାଇଛି । ଗୋପାଳନ ଓ ଛେଳି ଚାଷ ମଧ୍ୟ କରାଯାଉଛି । ହେଲେ ଅର୍ଥର ଅଭାବ ଥିବାରୁ ନୂତନ ଶୈଳୀର ଚାଷକୁ ଆଗେଇନେବା ପାଇଁ ସମସ୍ୟା ସୃଷ୍ଟି ହେଉଛି । ତୁଷାର ଘର ସନ୍ନିକଟ ଦେଉଳିପାହାଡର ପାଦଦେଶରେ ଏହି ଚାଷ କାର୍ଯ୍ୟ ଆରମ୍ଭ କରିଥିବାରୁ ତାଙ୍କ ପାଇଁ ଭିତିଭୁମି ପ୍ରଶସ୍ତ ରହିଛି । ଅନ୍ୟପଟେ ତାଙ୍କର ବ୍ରାହ୍ମଣୀ ନଦୀ ଅବବାହିକାରେ ଥିବା ଜମି ଉପରେ ୧ଏକର ଜାଗାରେ ଏକ ପୋଖରୀ ଖୋଳାଯାଇଛି । ସେହି ପୋଖରୀରେ ରୋହି, ଭାକୁଡ ମାଛ ଛଡାଯାଇଛି । ସେଥିରୁ ଚଳିତ ମାସରେ ୨କୁଇଂଟାଲରୁ ଅଧିକ ମାଛ ବିକ୍ରୟ କରାଯାଇଥିବା ତୁଷାର କୁହନ୍ତି । ସେହି ପୋଖରୀ ହୁଡାରେ ନଡିଆ, ଅମୃତଭଣ୍ଡା, ଆମ୍ବ ଆଦି ଫଳଜାତୀୟ ଗଛ ଲଗାଇଛନ୍ତି । ଅନ୍ୟବିଲ ଗୁଡିକରେ ବିଭିନ୍ନ କିସମର ପନିପରିବା ଚାଷ କରୁଛନ୍ତି । କରୋନା ପାଇଁ ସ୍ଥିତି ବିଗିଡିବାରେ ଲାଗିଥିବାରୁ ଅନ୍ୟଉପାୟ ନପାଇ ଚାଷ କାର୍ଯ୍ୟକୁ ଆଦରି ନେଇଛନ୍ତି ବୋଲି ସେ କହନ୍ତି । ବର୍ତ୍ତମାନ ସମୟରେ କୃଷିଜାତ ଦ୍ରବ୍ୟର ଚାହିଦା ରହିଥିବାରୁ ଏହି ଚାଷକୁ ଅଧିକରୁ ଅଧିକ ପରିମାଣର କରିବାକୁ ସେ ଲକ୍ଷ ରଖିଛନ୍ତି । ଏହି ଚାଷ କାର୍ଯ୍ୟରେ ବାପା, ସ୍ତ୍ରୀ ଓ ପିଲାଛୁଆ ତୁଷାରଙ୍କୁ ସହଯୋଗ କରୁଛନ୍ତି । ଘରେ ଯାହା ସମ୍ବଳ ଥିଲା ତାକୁ ମୁଁ ଚାଷ କାର୍ଯ୍ୟରେ ବିନିଯୋଗ କରିସାରିଛି । ଅଳ୍ପ ଦିନ ହେବ ଏହି ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବାରୁ ଏଥିରୁ ଲାଭାଂଶ ସେହି ମାତ୍ରାରେ ବାହାରି ପାରିନାହିଁ । ଏହି ଚାଷ କାର୍ଯ୍ୟକୁ ବଢାଇବା ପାଇଁ ଅଧିକ ଅର୍ଥର ଆବଶ୍ୟକ ରହିଛି । କେନ୍ଦ୍ର ଓ ରାଜ୍ୟ ସରକାର ବେକାର ଯୁବକ ଯୁବତୀମାନଙ୍କୁ ନୂତନ କର୍ମସଂସ୍ଥାନ ଯୋଗାଇଦେବା ପାଇଁ ବ୍ୟାଙ୍କ ଜରିଆରେ ଋଣ ପ୍ରଦାନ କରୁଛନ୍ତି । ଧର୍ମଶାଳା ପଶୁ ଚିକିତ୍ସାଳୟ ମାଧ୍ୟମରେ ଏହି ଚାଷକୁ ତ୍ୱରାନ୍ୱିତ କରିବାକୁ ଯାଇ ଅର୍ଥ ପ୍ରଦାନ କରୁଛନ୍ତି । ପ୍ରାଥମିକତା ଭିତିରେ ରାଜ୍ୟ ସରକାର ଯଦି ସହାୟତା ଯୋଗାଇଦିଅନ୍ତେ ତେବେ ସେ ଆତ୍ମନିର୍ଭରଶୀଳ ହୋଇପାରିବା ସହ ଅନ୍ୟମାନଙ୍କୁ କର୍ମସଂସ୍ଥାନ ଯୋଗାଇପାରନ୍ତେ ବୋଲି ତୁଷାର କହିଛନ୍ତି । ସେହିପରି ସରକାରଙ୍କ ଏଦିଗରେ ପ୍ରୋତ୍ସାହନ ରହିଲେ ଏଭଳି ଚାଷ କାର୍ଯ୍ୟ ପାଇଁ ଅଧିକ ଯୁବକ ଯୁବତୀ ମନବଳାଇପାରନ୍ତେ ବୋଲି ସେ କହିଛନ୍ତି ।

Leave A Reply

Your email address will not be published.