ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ସୁପ୍ରିମକୋର୍ଟର ଦଣ୍ଡବିଧାନ ଆଦେଶକୁ ପ୍ରତ୍ୟାହାର ଦାବିରେ ବୁଦ୍ଧିଜୀବିଙ୍କ ପକ୍ଷରୁ ନାଗରିକ ପ୍ରତିବାଦ ।

0 634

ବ୍ରହ୍ମପୁର, ତା ୧୯/୦୮;ଅଦାଲତ ଅବମାନନା ଅଭିଯୋଗରେ ଗତ ୧୪ ଅଗଷ୍ଟ ୨୦୨୦ ତାରିଖରେ ସୁପ୍ରିମକୋର୍ଟର ତିନି ଜଣିଆ ଖଣ୍ଡପୀଠ ବରିଷ୍ଠ ଆଇନଜୀବୀ ତଥା ଦେଶର ସର୍ବୋଚ୍ଚ ସ୍ତରରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସଂଘର୍ଷ କରି ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସ୍ବାଧୀନ ମତପୋଷଣ କରି ଆସୁଥିବା ପ୍ରଶାନ୍ତ ଭୂଷଣଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଅଗଷ୍ଟ ୨୦ ତାରିଖରେ ଦଣ୍ଡବିଧାନ କରିବାକୁ ଘୋଷଣା କରିଛନ୍ତି । ସୁପ୍ରିମକୋର୍ଟକୁ ଅଧିକ ସ୍ବଛ ଓ ସରଳୀକରଣ କରି ଜନସାଧାରଣଙ୍କ ନିକଟରେ ଅଧିକ ଉତ୍ତରଦାୟୀ ରହିବା ପାଇଁ କାର୍ଯ୍ୟ ସମ୍ପାଦନ କରି ଆସୁଛନ୍ତି । ପ୍ରଶାନ୍ତ ଭୂଷଣ ଦୁଇଟି ଟୁଇଟରେ କରୋନା ମହାମାରୀ ନାଁରେ କୋର୍ଟ ରେ ଅନେକ ମାମଲା ର ଶୁଣାଣି ହୋଇପାରୁନଥିବା ବେଳେ ସୁପ୍ରିମକୋର୍ଟର ମୂଖ୍ୟ ବିଚାରପତି ଏକ ଦାମୀ ମୋଟର ସାଇକେଲରେ ବିନା ମାସ୍କ ଓ ବିନା ହେଲମେଟରେ ଚଢିଥିବାର ଫୋଟକୁ ସମାଲୋଚନା କରି ଟୁଇଟ କରିଥିଲେ । ଜଣେ ବିଚାରପତିଙ୍କ ଆଚରଣକୁ ସମାଲୋଚନା କରିବା ବିଚାର ବ୍ୟବସ୍ଥାର ଅପମାନ ବୋଲି କହି ସୁପ୍ରିମକୋର୍ଟ ପକ୍ଷରୁ ପ୍ରଶାନ୍ତ ଭୂଷଣ ବିରୋଧରେ ଏକପାଖିଆ ଶୁଣାଣୀ କରି ଅଦାଲତର ଅବମାନନା ଦର୍ଶାଇ ଦୋଷୀ ସାବ୍ୟସ୍ତ କରିଛନ୍ତି । ସୁପ୍ରିମକୋର୍ଟ ର ଏହି ରାୟ ଗଣତାନ୍ତ୍ରିକ ମୂଲ୍ୟବୋଧ ଓ ସ୍ବାଧୀନ ମତବ୍ୟକ୍ତ କରିବାର ଅଧିକାରର ହନନ ବୋଲି ବ୍ରହ୍ମପୁରର ପ୍ରଗତିଶୀଳ ସଂଗଠନ, ବୁଦ୍ଧିଜୀବୀ, ବାମପନ୍ଥୀ, ରାଜନୈତିକ ଦଳ, ଗଣତାନ୍ତ୍ରିକ, ସାମାଜିକ ଓ ମାନବାଧିକାର କର୍ମୀମାନଙ୍କ ପକ୍ଷରୁ ଆୟୋଜିତ ନାଗରିକ ପ୍ରତିବାଦରେ ବକ୍ତାମାନେ ମତପ୍ରକାଶ କରିଛନ୍ତି ଏବଂ ତାସହିତ ତୁରନ୍ତ ଏହି ନିର୍ଦ୍ଦେଶ କୁ ପ୍ରତ୍ୟାହାର କରିବା ପାଇଁ ଦୃଢ଼ ଦାବି ଉପସ୍ଥାପନ କରିଛନ୍ତି । ମୋଦି ସରକାରଙ୍କ ଶାସନ କାଳରେ କାର୍ଯ୍ୟପାଳିକା ଭିନ୍ନମତକୁ ଯେଉଁ ସମୟରେ ଅପରାଧ ଭାବେ ବିଚାର କରି ତାକୁ ଦମନ ମୂଳକ ପଦକ୍ଷେପ ନେଉଛି, ସେତେବେଳେ ସୁପ୍ରିମକୋର୍ଟଙ୍କ ଏଭଳି ନିଷ୍ପତ୍ତି ଭୂଲ ସଙ୍କେତ ପ୍ରଦାନ କରୁଛି । ଆମ ଦେଶରେ ଅଦାଲତ ଅବମାନନାକୁ ଅପରାଧ ବୋଲି ଆଇନଟି ବ୍ରିଟିଶ ଔପନିବେଶିକ ଶାସନ କାଳରେ ପ୍ରଣୀତ ହୋଇଥିଲା ଏବଂ ୨୦୧୩ ମସିହାରୁ ବ୍ରିଟିଶ ଶାସକମାନେ ତାଙ୍କ ନିଜ ଦେଶରୁ ଏହାକୁ ଉଚ୍ଛେଦ କରି ସାରିଛନ୍ତି । କିନ୍ତୁ ଦୁଃଖର ସହିତ କହିବାକୁ ପଡୁଛି ଭିନ୍ନମତ କୁ ଦବାଇବା ପାଇଁ ଆଜି ମଧ୍ୟ ଆମ ଦେଶରେ ଆଜି ଏହି ଆଇନ ବଳବତ୍ତର ରହି ବ୍ୟବହାର ହେଉଅଛି । ସମାଲୋଚନା କରିବା ଜଣେ ବ୍ୟକ୍ତିର ଅଧିକାର । ଏହା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ହେଉଛି ଭିନ୍ନମତ ବିଭିନ୍ନ ଅନୁଷ୍ଠାନକୁ ଅଧିକ ଗଣତାନ୍ତ୍ରିକ ଓ ଉତ୍ତରଦାୟୀ ହେବାରେ ସାହାଯ୍ୟ କରିଥାଏ । ଏହି କାରଣ ପାଇଁ ପ୍ରଶାନ୍ତ ଭୂଷଣଙ୍କ ଦଣ୍ଡବିଧାନ ବିରୁଦ୍ଧରେ ଦେଶ ବିଦେଶରେ ଅନେକ ଆଇନଜୀବୀ, ବୁଦ୍ଧିଜୀବୀ, ପୂର୍ବତନ ବିଚାରପତି ସ୍ବର ଉତ୍ତୋଳନ କରି ପ୍ରତିବାଦ ରେ ସାମିଲ ହୋଇ ଏହି ନିର୍ଦ୍ଦେଶ ର ପ୍ରତ୍ୟାହାର ଦାବି କରିଛନ୍ତି । ବ୍ରହ୍ମପୁର ସହରର ଗୋପବନ୍ଧୁ ଛକରେ ଅନୁଷ୍ଠିତ ଏହି ନାଗରିକ ପ୍ରତିବାଦରେ ଗଞ୍ଜାମ ଓକିଲ ସଂଘର ଅଧ୍ୟକ୍ଷ ଭଗବାନ ସାହୁ, ସମ୍ପାଦକ ସୁଧାଂଶୁ ଶେଖର ପଣ୍ଡା, ପୂର୍ବତନ ସଭାପତି ବସନ୍ତ ପଣ୍ଡା, ଲୋକଶକ୍ତି ଅଭିଯାନର ପ୍ରଫୁଲ୍ଲ ସାମନ୍ତରା, ବାମପନ୍ଥୀ ନେତା ଅଳି କିଶୋର ପଟ୍ଟନାୟକ, ଭାଲଚନ୍ଦ୍ର ଷଡଙ୍ଗୀ, ପ୍ରକାଶ ପାତ୍ର, କୈଳାସ ଷଡ଼ଙ୍ଗୀ, ଶଙ୍କର ସାହୁ, ଆଇଏନ୍ ଟିୟୁ ସି ର ପୀତବାସ ପଣ୍ଡା, ସିଆଇଟିୟୁ ର ଯୁଧିଷ୍ଠିର ବେହେରା, ମାନବ ଅଧିକାର ସୁରକ୍ଷା ମଞ୍ଚର ଅବନୀ ଗୟା, ହେତୁବାଦୀ ସଂଗଠନର ରାଜା ସୁରେଶ, ଜନ ଜାଗରଣ ଅଭିଯାନର ମଧୁସୂଦନ, ଆଇଏଫଟିୟୁ ର ପ୍ରତାପ ପ୍ରଧାନ, କ୍ରାନ୍ତିକାରୀ କୃଷକ ସଭାର ପି. ପାର୍ବତୀ, ଟିୟୁସିଆଇ ର ଗୌତମ ନାହକ, ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ, ଡିଏସଓ ର ଶିବାନୀ ଶଙ୍କର ମିଶ୍ର, କାର୍ତ୍ତିକ ନାୟକ, ବରିଷ୍ଠ ଆଇନଜୀବୀ ଦୀପକ ପଟ୍ଟନାୟକ, ଅଖିଳ ଭାରତ ଯୁବକ ସଂଘ ର କାମଦେବ ନାହକ, ବ୍ୟାଙ୍କ କର୍ମଚାରୀ ନେତା ପ୍ରତାପ ଚୌଧୁରୀ, ସମାଜସେବୀ ପ୍ରଭାତ ମହାନ୍ତି, ତ୍ରିନାଥ ମହାରଣା, ସୁବାଷ ରାଉତ, ଲଡୁ କିଶୋର ଡାକୁଆ, ରବୀନ୍ଦ୍ର ନାୟକ, ନୃସିଂହ ରଥ, ଆର ଶ୍ରୀନିବାସ ରାଓ ଆଦି ପ୍ରତିବାଦ ରେ ସାମିଲ ହୋଇ ପ୍ରଶାନ୍ତ ଭୂଷଣଙ୍କୁ ସମର୍ଥନ ଜଣାଇବା ସହିତ ସୁପ୍ରିମକୋର୍ଟ ଦଣ୍ଡବିଧାନ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଦାବି ଉପସ୍ଥାପନ କରିଛନ୍ତି ।

Leave A Reply

Your email address will not be published.