ବନ୍ଧୁକ ମୁନରେ ଢ଼ିଙ୍କିଆ ଗ୍ରାମବାସୀଙ୍କ ଜୀବନ – ଜୀବିକାକୁ ବିପନ୍ନ କରାଯାଉଛି-ସଂଯୁକ୍ତ କିଷାନ ମୋର୍ଚ୍ଚା, ଓଡିଶା ।

0 334

ଭୁବନେଶ୍ୱର,୦୭/୦୧: ଜଗତସିଂହପୁର ଜିଲ୍ଲାର ଢ଼ିଙ୍କିଆ ଅଞ୍ଚଳବାସୀ ନିଜର ଜୀବନ-ଜୀବିକା ଏବଂ ଭିଟାମାଟିର ସୁରକ୍ଷା ପାଇଁ ଜିନ୍ଦଲ କମ୍ପାନୀ ବିରୋଧରେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ ଜାରି ରଖିଛନ୍ତି । ସରକାରଙ୍କ ନିର୍ଦ୍ଦେଶରେ ପୁଲିସ ବଳ ପ୍ରୟୋଗ କରି ଢ଼ିଙ୍କିଆ ଗ୍ରାମବାସୀଙ୍କ ଜମି ଅଧିଗ୍ରହଣ ପାଇଁ ପ୍ରୟାସ ଜାରି ରଖିଛି । ଅତ୍ୟନ୍ତ ଅମାନୁଷିକ ଭାବେ ଗ୍ରାମବାସୀଙ୍କ ଉପରେ ନିର୍ଯ୍ୟାତନା ବୃଦ୍ଧି ପାଇଛି, ଏଥିପାଇଁ ପରିସ୍ଥିତି ଦିନକୁ ଦିନ ଜଟିଳ ହେଉଛି । ଢ଼ିଙ୍କିଆରେ ମାନବିକ, ଗଣତାନ୍ତ୍ରିକ ଏବଂ ସାମ୍ବିଧାନିକ ଅଧିକାରକୁ ଖୋଲା ଖୋଲି ଉଲଂଘନ କରାଯାଉଛି । ଲୋକଙ୍କର ଜୀବନ, ଜୀବିକା ଏବଂ ରୋଜଗାର ବିପନ୍ନ ହୋଇ ପଡିଛି । ବଳ ପ୍ରୟୋଗ କରି ବଂଧୁକ ମୁନରେ ପାନ ବରଜ ଭଙ୍ଗା ଯାଉଛି କିମ୍ବା ପାନ ବରଜ ଭାଙ୍ଗିବା ପାଇଁ ମାନସିକ ଚାପ ସୃଷ୍ଟି କରାଯାଉଛି । ଗତକାଲି ଅଖଣ୍ଡ ଢ଼ିଙ୍କିଆରେ ଲୋକଙ୍କ ମନୋବଳ ଦୃଢ କରିବା ପାଇଁ ସମଗ୍ର ଅଞ୍ଚଳରେ ଶାନ୍ତିପୂର୍ଣ୍ଣ ଶୋଭାଯାତ୍ରା ଏବଂ ସଭା ସଂଗଠିତ ହୋଇଥିଲା । ସଂଯୁକ୍ତ କିଷାନ ମୋର୍ଚ୍ଚା ର ଏକ ରାଜ୍ୟ ସ୍ତରୀୟ ତଥ୍ୟ ଅନୁସନ୍ଧାନକାରୀ ପ୍ରତିନିଧି ଦଳ ଢ଼ିଙ୍କିଆ ଅଞ୍ଚଳ ଗସ୍ତ କରି ଫେରିଛନ୍ତି । ସଂଯୁକ୍ତ କିଷାନ ମୋର୍ଚ୍ଚାର ପ୍ରତିନିଧି ଦଳ କ୍ଷେତ୍ର ପରିଦର୍ଶନ କରି ସ୍ପଷ୍ଟ ଭାବେ କହିଛନ୍ତି ଯେ ଢ଼ିଙ୍କିଆ ବାସୀଙ୍କୁ ପୁଲିସ ଛାଉଣୀ ଦ୍ୱାରା ରଖାଯାଇଛି । ବଂଧୁକ ମୁନରେ ଜମି ଅଧିଗ୍ରହଣ କାର୍ଯ୍ୟ ପାଇଁ ଉଦ୍ୟମ କରାଯାଇଛି । ମହିଳା,ଗର୍ଭବତୀ ମହିଳା, ବୃଦ୍ଧା, ବୃଦ୍ଧ ଏବଂ ଶିଶୁ କେହି ଏହି ଆକ୍ରମଣ ରୁ ବାଦ ପଡୁନାହାଁନ୍ତି । ଗଣତାନ୍ତ୍ରିକ, ସାମ୍ବିଧାନିକ ଏବଂ ମାନବିକ ଅଧିକାର ଭୁଲୁଣ୍ଠିତ । ମିଥ୍ୟା ମୋକଦ୍ଦମା ଦାଏର କରି ମାନସିକ ନିର୍ଯ୍ୟାତନା ଦିଆଯାଉଛି । ଲୋକଙ୍କ ଜୀବିକା ଏବଂ ରୋଜଗାର ସମ୍ପୂର୍ଣ୍ଣ ବନ୍ଦ ହୋଇ ଯାଇଛି l ପୁଲିସ ମହିଳା ମାନଙ୍କ ଉପରେ ଧମକପୁର୍ଣ୍ଣ ବ୍ୟବହାର କରୁଛି । ସମଗ୍ର ଢ଼ିଙ୍କିଆବାସୀ ଏକ ଭୟାତୁର ବାତାବରଣ ମଧ୍ୟରେ ଜୀବନ ବିତାଉଛନ୍ତି । ସାମଗ୍ରିକ ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର । ଏହି ପ୍ରସଙ୍ଗରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତରଫରୁ ୪ ଜାନୁୟାରୀ ରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ଆଜି ଲୋହିୟା ଏକାଡେମୀ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଯୁକ୍ତ କିଷାନ ମୋର୍ଚ୍ଚା, ଓଡିଶା ଶାଖା ତରଫରୁ ସରକାରଙ୍କ ନାହିଁ ନିକଟରେ ନିମ୍ନ ଦାବୀ ଗୁଡିକୁ ଉପସ୍ଥାପନା କରାଯାଇଛି ।୧.ସମଗ୍ର ଢ଼ିଙ୍କିଆ ଅଞ୍ଚଳରୁ ପୁଲିସ ବଳକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯାଉ ଏବଂ ଲୋକଙ୍କ ଜୀବନ ରକ୍ଷା ଓ ଜୀବିକା ନିର୍ବାହ ପାଇଁ ସ୍ୱାଭାବିକ ଯାତାୟତ ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଉ । ୨. ଲୋକଙ୍କ ଉପରେ ହୋଇଥିବା ମିଥ୍ୟା ମୋକଦ୍ଦମାକୁ ଅବିଳମ୍ବେ ପ୍ରତ୍ୟାହାର କରାଯାଉ । ଜେଲରେ ଥିବା ସାଧାରଣ ଲୋକଙ୍କୁ ମୁକ୍ତ କରାଯାଉ । ୩. ବଳ ପ୍ରୟୋଗ କରି ପାନ ବରଜ ଭାଙ୍ଗିବା କାର୍ଯ୍ୟ ବନ୍ଦ କରାଯାଉ । ୪.ନିରନ୍ତର କୃଷି ଅର୍ଥନୀତିକୁ ସର୍ବନାଶ କରି ଜିନ୍ଦଲ ଭଳି କର୍ପୋରେଟର ଲାଭ ଏବଂ ଲୋଭ ପାଇଁ ଉଦ୍ଦିଷ୍ଟ ଏହି ଯୋଜନାକୁ, ସରକାର ସେହି ସ୍ଥାନ ରୁ ପ୍ରତ୍ୟାହାର କରନ୍ତୁ । ୫.ପୋସ୍କୋ ପାଇଁ ଅଧିଗ୍ରହଣ ହୋଇଥିବା ୨୯୦୦ ଏକର ଜମିକୁ ଲୋକଙ୍କୁ ଫେରାଇ ଦିଆଯାଉ । ଏହି ତଥ୍ୟ ଅନୁସନ୍ଧାନକାରୀ ପ୍ରତିନିଧି ଦଳ ରେ ସଂଯୁକ୍ତ କିଷାନ ମୋର୍ଚ୍ଚା ଓଡିଶା ପକ୍ଷରୁ ସର୍ବଶ୍ରୀ ଶଶୀ ଭୂଷଣ ସ୍ୱାଇଁ, ସୁରେଶ ପାଣିଗ୍ରାହୀ, କ୍ଷୀରୋଦ ସିଂହଦେଓ, ପ୍ରଫୁଲ୍ଲ ସାମନ୍ତରା, ଭାଲଚନ୍ଦ୍ର ଷଡ଼ଙ୍ଗୀ, ଶ୍ରୀକାନ୍ତ ମହାନ୍ତି, ଶଙ୍କର ସାହୁ, ଜ୍ୟୋତି ରଞ୍ଜନ ମହାପାତ୍ର, ନରେନ୍ଦ୍ର ମହାନ୍ତି, ନିରଞ୍ଜନ ମହାନ୍ତି, ମହେନ୍ଦ୍ର ପରିଡା, ଦେବ ପ୍ରସାଦ ରାୟ, ସୁଦର୍ଶନ ପ୍ରଧାନ, ଅରୁଣ ଜେନା, ଅଖିଳ ଭାରତ କ୍ରାନ୍ତିକାରୀ ମହିଳା ସଂଗଠନର ନେତ୍ରୀ ପ୍ରମିଳା ବେହେରା ଏବଂ ସାମାଜିକ କର୍ମୀ ରଞ୍ଜନା ପାଢ଼ୀ ପ୍ରମୁଖ ସାମିଲ ହୋଇଥିଲେ । ଆଜି ଲୋହିୟା ଏକାଡେମୀ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ସମସ୍ତ ନେତୃବୃନ୍ଦ ଉପସ୍ଥିତ ରହି ଏହା ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.