ଯାଜପୁର,୦୧/୧୦(ପିପିଟି):ସମୟ ବଦଳିଛି ଆଉ ସମୟ ସହିତ ତାଳଦେଇ ବଦଳିଛି ଯାଜପୁରର ଚର୍ଚ୍ଚିତ ନଗଡା । ନଗଡା ବଦଳି ଆଜି ବିକାଶ ଓ ସମ୍ଭାବନାର ନଗଡ଼ାରେ ପରିଣତ ହୋଇଛି । ଦିନେ କୁପୋଷଣ ପାଇଁ ଏହି ଅଞ୍ଚଳ ଚର୍ଚ୍ଚା ସୃଷ୍ଟି କରିଥିଲା । ସେତେବେଳର ନବୀନ ସରକାର ଏହାକୁ ସର୍ବାଧିକ ଗୁରୁତ୍ୱ ଦେଇ ସଜାଡ଼ିବାର ଉଦ୍ୟମ ଆରମ୍ଭ କରିଥିଲେ । ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନଗଡା ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବା ସହିତ ନଗଡା ବିକାଶ ପ୍ରତି ଧ୍ୟାନ ଦେବାକୁ ପ୍ରଶାସନକୁ କଡା ନିର୍ଦ୍ଦେଶ ଦେଇଥିଲେ । ଆରମ୍ଭ ହୋଇଥିଲା ମିଶନ ନଗଡା । ଆଉ ଏହି କାର୍ଯ୍ୟର ସଫଳ ରୂପାୟନ ପାଇଁ କାମ ଆରମ୍ଭ କରି ଦେଇଥିଲେ ସେତେବେଳର ବିଧାୟକ ଇଂ ପ୍ରୀତିରଞ୍ଜନ ଘଡାଇ । ପ୍ରଶାସନକୁ ସାଥିରେ ନେଇ ଦିନ ରାତି ଏକ କରି କାର୍ଯ୍ୟ କରିଥିଲେ । ସମସ୍ତ ଶିଶୁ ଉଦ୍ଧାର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ । ଅଗନା ଅଗନୀ ବନସ୍ତ ସହିତ ପାହାଡିଆ ରାସ୍ତା ଦେଇ ନଗଡା ଯିବା ବେଶ କଠିନ ଓ ଆହ୍ୱାନ ଭରା ଥିଲା । ହେଲେ ସରକାରଙ୍କ ଇଛା ଶକ୍ତି ଆଗରେ ପ୍ରତିରୋଧ ସୃଷ୍ଟି କରି ପାରି ନଥିଲା ପ୍ରତିବନ୍ଧକ । ସରକାରଙ୍କ ପ୍ରଥମ ପଦକ୍ଷେପ ଥିଲା ନଗଡାକୁ ରାସ୍ତା । ନଗଡା ପାଦଦେଶ ଅଶୋକ ଝରରୁ ନଗଡା ପର୍ଯ୍ୟନ୍ତ ଯିବାକୁ ରାସ୍ତା ଏତେ ସହଜ ନଥିଲା । ଆରମ୍ଭ ହୋଇଥିଲା ପାହାଡ଼କୁ ଚିରି ବିକାଶର ରାସ୍ତା କାମ । ଯାହା ଧାର୍ଯ୍ୟ ସମୟ ଠାରୁ କମ ଦିନରେ ସମ୍ପୂର୍ଣ୍ଣ ହୋଇଥିଲା । ନଗଡାର ଚିତ୍ର ସମସ୍ତଙ୍କୁ ବ୍ୟସ୍ତ କରିଥିଲା ବେଳେ ବେଶି ବିବ୍ରତ ହୋଇଥିଲେ ବରିଷ୍ଠ ରାଜନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡାଇ । କାରଣ ବିଭିନ୍ନ ସମୟରେ ନଗଡାବାସୀଙ୍କୁ ପାହାଡ଼ ପାଦ ଦେଶକୁ ଚାଲି ଆସିଲେ ସମସ୍ତ ବ୍ୟବସ୍ଥା କରିବେ ବୋଲି କହିଥିଲେ ଶ୍ରୀ ଘଡାଇ । ହେଲେ କେହି ଶୁଣି ନଥିଲେ । ନିଜ ଅଞ୍ଚଳର ବଣ, ପାହାଡ଼ ଓ ଝରଣା କୂଳରେ ବଢିଥିବା ମଣିଷ ମାନେ ପ୍ରକୃତି ଭିତରେ ବୁଡି ରହିବାକୁ ଭଲ ପାଉଥିଲେ । ହେଲେ ସମୟ ଓ ଚିତ୍ର ବଦଳି ଯାଇଥିଲା ନଗଡାର । ରାସ୍ତା ଫିଟିଲା ପରେ ବିକାଶର ସୂର୍ଯ୍ୟ ଉଦୟ ହୋଇଥିଲା ନଗଡ଼ାରେ । ସମସ୍ତଙ୍କ ପାଇଁ କୋଠା ଘର, ଶୁଦ୍ଧ ପାନୀୟ ଜଳ, ବିଦ୍ୟୁତ ଆଲୋକର ବ୍ୟବସ୍ଥା ହୋଇଥିଲା ଯୁଦ୍ଧ କାଳୀନ ଭିତ୍ତିରେ । ଶିକ୍ଷା ଠାରୁ ଦୂରରେ ଥିବା ନଗଡାବାସୀଙ୍କୁ ସଚେତନ କରିବାର ଉଦ୍ୟମ ହୋଇଥିଲା । ଯାହା ଖୁବ କଠିନ କାମ ଥିଲା । ଏହି ଅଞ୍ଚଳରେ ବ୍ୟାପକ ବୃକ୍ଷ ରୋପଣ ହେବା ଦ୍ୱାରା ନଗଡାବାସୀ କାମ ପାଇ ଅର୍ଥ ରୋଜାଗାର କରିଛନ୍ତି । ଆଉ ଏବେ ନଗଡାର ଯୁବକ ବିଭିନ୍ନ କଳ କାରଖାନାରେ ଶ୍ରମିକ ଭାବେ ନିଯୁକ୍ତି ମଧ୍ୟ ପାଇଛନ୍ତି । ଦୂରେଇ ଯାଇଛି କୁପୋଷଣ, ଶିକ୍ଷା ଗ୍ରହଣ ପାଇଁ ବିଦ୍ୟାଳୟ ସ୍ଥାପିତ ହୋଇଥିଲା ବେଳେ ଶିଶୁଙ୍କ ପାଇଁ ଅଙ୍ଗନୱାଡି ନିର୍ମାଣ ହୋଇଛି । ନଗଡାବାସୀ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ ହୋଇ ଚାଉଳ ପାଉଥିଲା ବେଳେ ଚାଷ ପ୍ରତି ମଧ୍ୟ ଆଗ୍ରହ ବଢ଼ାଇଛନ୍ତି । ସେଦିନର ନଗଡା ଆଉ ଆଜି ନାହିଁ । ନାହିଁ ସେ ଦିନର ଭୋକର ଭୂଗୋଳ । ଏବେ ନଗଡାବାସୀ ପେଟପୁରା ଖାଦ୍ୟ ଖାଇ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇ ସାରିଛନ୍ତି । ପିଲାମାନେ ବହି ଧରି ଛୁଟି ଯାଉଛନ୍ତି ସ୍କୁଲକୁ। ଆଖିରେ ମେଞ୍ଚାଏ ସ୍ୱପ୍ନ ନେଇ । ବାପା ମା ବି ସ୍ୱପ୍ନ ଦେଖୁଛନ୍ତି ଆମ ପିଲା ପାଠୁଆ ହେବ । ନଗଡାର ଶିବ ମନ୍ଦିର ରୂପାନ୍ତରିତ ହୋଇସାରିଛି । ଜୁଆଙ୍ଗ ଜନଜାତି ଭିତରେ ଭକ୍ତି ଭାବ ଉଦ୍ରେକ ହୋଇଛି । ଆଜି ଫୁଲ ଟିଏ ଧରି ନଗଡାବାସୀ ଶିବ ମନ୍ଦିର ଯାଇ ଭକ୍ତି ଭାବରେ ବୁଡି ଯାଉଛି । ହେଲେ ପ୍ରାକୃତିକ ଶୋଭାରେ ଭରପୁର ନଗଡାର ବର୍ଷା ଦିନ ଅତି ମନୋରମ । ଭସା ବାଦଲ ଦେହକୁ ଛୁଇଁ ଦେଇ ଚାଲିଗଲା ବେଳେ ବେଶ ରୋମାଞ୍ଚ ଭରିଯାଏ । ବିକାଶ ନଗଡାକୁ ଛୁଇଁ ସାରିଛି, ପର୍ଯ୍ୟଟନ ପାଇଁ ନଗଡା ସମ୍ଭାବନାର ଜାଗା ଟିଏ । ସରକାର ଏଥିପ୍ରତି ଯତ୍ନବାନ ହେଲେ ଏହା ଏକ ମନୋରମ ପର୍ଯ୍ୟଟନ ସ୍ଥଳ ହୋଇ ପାରିବ ଏଥିରେ ସନ୍ଦେହ ନାହିଁ । ନଗଡାର ପୁରୁଣା ଚିତ୍ରକୁ ନେଇ ଭାଷଣ ଦେବା ବଦଳରେ ନଗଡାର ବଦଳା ଚିତ୍ରକୁ ଆହୁରି ବଦଳାଇ ଦେବାକୁ ନୂଆ ସରକାର ଉଦ୍ୟମ କରିବା ଉଚିତ ବୋଲି ଜିଲ୍ଲାବାସୀ ଦାବି କରିଛନ୍ତି ।
(ରିପୋର୍ଟ- ଅକ୍ଷୟ କୁମାର ରାଉତ)