ଫାଇନ ଆଦାୟକୁ ସିପିଆଇ-ଏମଏଲ (ରେଡ଼ଷ୍ଟାର)ର ଦୃଢ ବିରୋଧ ।

0 569

ବ୍ରହ୍ମପୁର, ୨୬/୦୬(ପିପିଟି); ଜୁନ ୨୬ ରିଖରେ ଓଡ଼ିଶାର ୧୩ ଗୋଟି ରାଜନୈତିକ ଦଳ ପକ୍ଷରୁ ମାଷ୍ଟର କ୍ୟାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ ସହିତ ରାଜ୍ୟପାଳଙ୍କୁ ସାକ୍ଷାତ କରି ୧୭ ଦଫା ଦାବି ପ୍ରଦାନ କରାଯାଇଥିଲା। ବିକ୍ଷୋଭ ସରିବା ପରେ ରାଜ୍ୟପାଳଙ୍କୁ ସାକ୍ଷାତ କରି ଫେରିବା ବେଳେ ରାଜ ଭବନ ସମ୍ମୁଖରେ କମିଶନରେଟ ପୋଲିସ ପକ୍ଷରୁ ଶାରୀରିକ ଦୂରତା ରକ୍ଷାକରିନଥିବା ଅଭିଯୋଗ କରି ପ୍ରତ୍ୟେକ ରାଜନୈତିକ ଦଳକୁ ୫୦୦ ଟଙ୍କା ଲେଖାଏଁ ଫାଇନ ଦେବାକୁ ଚାପ କରାଯାଇଥିଲା। ଯଦିଓ କିଛି ରାଜନୈତିକ ଦଳ ଫାଇନ ଅର୍ଥ ଦେଇଥିଲେ, କିନ୍ତୁ ସିପିଆଇ-ଏମଏଲ (ରେଡ଼ଷ୍ଟାର) ପକ୍ଷରୁ ଏଭଳି ଫାଇନ ଆଦାୟକୁ ବିରୋଧ କରାଯାଇଥିଲା। ରାଜ୍ୟ ସରକାର ଓ ଓଡିଶା ପୋଲିସ ମୁଖ୍ୟଙ୍କୁ ଏକ ଖୋଲା ପତ୍ର ମାଧ୍ୟମରେ ରାଜ୍ୟ ସମ୍ପାଦକ ଶିବରାମ ପାର୍ଟି ରାଜ୍ୟ କମିଟି ପକ୍ଷରୁ ଦୃଢ ବିରୋଧ କରିବା ସହ ଫାଇନ ଆଦାୟ ପୂର୍ବରୁ ସରକାରୀ ଘୋଷିତ ସହାୟତା ପ୍ରଥମେ ଯୋଗାଇ ଦିଅ ବୋଲି ଦାବୀ ରଖିଛନ୍ତି ଏବଂ କେବଳ ଫାଇନ ଆଦାୟ ଜରିଆରେ କୋରନା ସଂକ୍ରମଣ ରୋକି ହେବନି, କହି ବିରୋଧର କାରଣ ଦର୍ଶାଇଛନ୍ତି-୧. ତେର ଗୋଟି ପାର୍ଟି ପକ୍ଷରୁ ଶାରୀରିକ ଦୂରତା ରଖି ଏହି ବିକ୍ଷୋଭରେ କେବଳ ଭୁବନେଶ୍ୱରରେ ଉପସ୍ଥିତ ଥିବା ରାଜ୍ୟସ୍ତରୀୟ ନେତୃତ୍ବ ଯୋଗଦେବାକୁ ସ୍ଥିର କରାଯାଇଥିଲା। କିନ୍ତୁ ସ୍ୱତଃସ୍ଫୁର୍ତ୍ତ ଅଧିକ ଲୋକ ଯୋଗ ଦେବାରୁ ହୁଏତ ନିୟମ ମାନିବାରେ କିଛି ବ୍ୟତିକ୍ରମ ହୋଇଥାଇପାରେ। ନିୟମ ପାଳନ ପାଇଁ ପୂର୍ବପ୍ରସ୍ତୁତି ଓ ଦୂରତା ରକ୍ଷାକରିବା ପାଇଁ ବ୍ୟବସ୍ଥା ନକରି କେବଳ ୫୦୦ ଟଙ୍କା ଫାଇନ ଆଦାୟ କରିଦେଲେ, ସଂକ୍ରମଣ ଅଟକିବ ନାହିଁ, ୨. ରାଜ୍ୟର ସାଢ଼େ ଚାରି କୋଟି ଲୋକଙ୍କ ମଧ୍ୟରୁ ପ୍ରାୟ ସାଢ଼େ ତିନି କୋଟି ଲୋକ ରୋଜଗାର ହରେଇ ଭୋକ ଉପାସରେ ପଡିଛନ୍ତି। ସାଧାରଣ ଶ୍ରମଜୀବୀ ଓ ନିମ୍ନ ମଧ୍ୟବିତ୍ତଙ୍କ ପାଖରେ ଆଦୌ ଅର୍ଥ ନାହିଁ, ୩. ସରକାର ଘୋଷଣା କରିଥିଲେ ରାଜ୍ୟର ୨୨ ଲକ୍ଷ ନିର୍ମାଣ ଶ୍ରମିକଙ୍କୁ ୧୫୦୦ ଟଙ୍କା ଲେଖାଏଁ ସହାୟତା ଦେବେ। ଲକ ଡାଉନର ୧୦୦ ଦିନ ପୁରିବାକୁ ଯାଉଥିଲେ ମଧ୍ୟ ସରକାରୀ ତଥ୍ୟ ମୁତାବକ ଅର୍ଦ୍ଧାଧିକ ଲୋକ ପାଇନାହାନ୍ତି ଏହା ସମୁଦ୍ରକୁ ଶଙ୍ଖେ ଭଳି ସହାୟତା। ଘରୋଇ ମହିଳା ଶ୍ରମିକ ମାନେ ସମାଜର ସବୁଠାରୁ କଷ୍ଟରେ ଅଛନ୍ତି, ସେହିଭଳି ଅଟୋ ଚାଳକ, ଆତ୍ମ ନିଯୁକ୍ତ ଶ୍ରମିକ ଭଳି ଅଣସଙ୍ଗଠିତ ଶ୍ରମିକମାନେ ମଧ୍ୟ ଶ୍ରମ ବିଭାଗ ଦ୍ଵାରା ପଞ୍ଜିକୃତ,କିନ୍ତୁ ସେମାନଙ୍କ ପାଇଁ କିଛି ସହାୟତା ହଁ ଘୋଷଣା ହୋଇନାହିଁ, ୪. ଷ୍ଟ୍ରୀଟ ଭେଣ୍ଡରଙ୍କୁ ୩୦୦୦ ଟଙ୍କାର ସହାୟତା ଘୋଷଣା କରିଥିଲେ, କିନ୍ତୁ ମାତ୍ର ୧୦ ପ୍ରତିଶତରୁ କମ ପାଇଛନ୍ତି। ୯୦ ଭାଗ କ୍ଷୁଦ୍ର, ରାସ୍ତାକଡ଼ ଓ ବୁଲାବୁକାଳୀ ଆଦୌ ପାଇନାହାନ୍ତି ସହାୟତା, ୫. ତିନି ମାସ ପୁରିବା ପରେ ମଧ୍ୟ ଅନେକ ପରିବାର ସରକାରୀ ଘୋଷିତ ସହାୟତା ଓ ଚାଉଳ, ଡାଲି ଆଦି ପାଇବାରୁ ବଞ୍ଚିତ, ୬. ସଂଗରୋଧରେ ରହିଥିବା ବ୍ୟକ୍ତିରୁ ସରକାରୀ ଘୋଷିତ ୨୦୦୦ ଟଙ୍କାର ସହାୟତା ପାଇନାହାନ୍ତି ବ୍ୟାପକ ଲୋକ, ୭. ବ୍ୟାପକ ରାଜ୍ୟବାସୀ ଭୋକ ଉପାସରେ ଥିବା ସମୟରେ ସେମାନଙ୍କ ଜୀବନ ଓ ଜୀବିକାର ସୁରକ୍ଷାକୁ ପ୍ରାଥମିକତା ନଦେଇ କେବଳ ଫାଇନ ଆଦାୟ କରିବା ସାଧାରଣ ରାଜ୍ୟବାସୀଙ୍କ ପ୍ରତି ବେଡି ଉପରେ କୋରଡ଼ା ମାଡ଼ ବ୍ୟତୀତ ଆଉ କିଛି ନୁହେଁ, ୮. ସରକାର ଓ ପ୍ରଶାସନ ତାଳି ବାଡେଇ ଥାଳି ବାଡେଇ ବାଣ ଫୁଟେଇ ବନ୍ଦେ ଉତ୍କଳ ଜନନୀ ଗାଇ ହଜାର ହଜାର ଲୋକଙ୍କୁ ଏକାଠି କରି ସ୍ୱାସ୍ଥ୍ୟବିଭାଗ ଓ ଲକ ଡାଉନ ନିୟମ ଉଲଂଘନ କରୁଛନ୍ତି, ୯. କେବଳ ଫାଇନ ଆଦାୟ କଲେ ସଂକ୍ରମଣ ଅଟକି ପାରିବ କି ? ୧୦.  ଶହେ ଦିନ ଧରି ଲୋକେ ଭୋକ ଉପାସରେ ରହିଲେଣି। ରୋଜଗାର ବ୍ୟତୀତ ଛଟପଟ ହେଲେଣି। ଆଉ କେତେ ସହିବେ। ଫାଇନ ଆଦାୟକୁ  କେତେଦିନ ମାନି ପାରିବେ ? ୧୧.  ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ସରକାର ନିଜେ ଘୋଷଣା କରି ସହାୟତା ରାଶି ଶହେ ଦିନ ପରେ ମଧ୍ୟ ଯୋଗେଇ ଦେଇପାରିନାହାନ୍ତି। ଏମାନେ କେତେ ଫାଇନ ଦେବେ ? ଏମାନଙ୍କ ଠାରୁ କିଏ ଫାଇନ ଆଦାୟ କରିବ ? ତାହା ରାଜ୍ୟ ସରକାର ଓ  ପୋଲିସ ମୂଖ୍ୟ ଜନଗଣଙ୍କ ସମ୍ମୁଖରେ ଉତ୍ତର ରଖିବା ପାଇଁ ଦାବୀ କରିଛନ୍ତି । ଏ ସମ୍ପର୍କରେ ସି.ପି.ଆଇ(ଏମ୍-ଏଲ୍)ରେଡଷ୍ଟାରର ରାଜ୍ୟ କମିଟି ସଦସ୍ୟ ତଥା ଗଞ୍ଜାମ ଜିଲ୍ଲା ସମ୍ପାଦକ ଶଙ୍କର ସାହୁ ସୂଚନା ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.