ପିସିସି ସମ୍ପାଦକଙ୍କ ନାମରେ ମ୍ୟୁନିସିପାଲଟିରେ ବ୍ୟବସାୟ ପାଇଁ ଗୃହ ଯୋଗେଇଦେବା ନାମରେ ଟଙ୍କା ହଡପ ଓ ହତ୍ୟା ଧମକ ଅଭିଯୋଗ ।
ବ୍ରହ୍ମପୁର,୨୯/୦୯(ପିପିଟି): ହିଞ୍ଜିଳିକାଟୁ ପରିବା ବଣିକ ସଂଘର ପୂର୍ବତନ ସଭାପତି ତଥା ବର୍ତମାନର ପ୍ରେଦେଶ କଂଗ୍ରେସ କମିଟିର ରାଜ୍ୟ ସମ୍ପାଦକ ଶମ୍ଭୁ ପାଣିଗ୍ରାହୀଙ୍କ ନାମରେ ଆସିଛି ଏକ ସଙ୍ଗିନ ଅଭିଯୋଗ । ପରିବା ବ୍ୟବସାୟୀ ସଂଘର ପାଲି ବ୍ୟବସାୟୀ ଦେବରାଜ ନାହାକ ଶମ୍ଭୁଙ୍କ ବିରୋଧ ରେ ଲକ୍ଷାଧିକ ଟଙ୍କା ଆତ୍ମସାତ ଏବଂ ଏହି ବିଷୟରେ ପଚାରିବାରୁ ହତ୍ୟା ଧମକ ଜନିତ ଏକ ଏତଲା ହିଞ୍ଜିଳି ଥାନାରେ ଦେଇଥିବା ହିଞ୍ଜିଳି ପୋଲିସ ତରଫରୁ ପ୍ରକାଶ ।ସୂଚନା ପ୍ରକାରେ ଏନ.ଏ.ସି ରେ ପରିବାପାଲି ବ୍ୟବସାୟ ପାଇଁ ପକ୍କା ଘର ଟିଏ ଯୋଗାଇଦେବା ଉଦ୍ଦେଶ୍ୟରେ ଶମ୍ଭୁ ପାଣିଗ୍ରାହୀ ୨୦୧୮ ମସିହାରେ ଦେବରାଜ ନାହାକଙ୍କ ଠାରୁ ୩୦ ହଜାର ଟଙ୍କା ନେଇଥିବା ଥାନାରେ ଅଭିଯୋଗ କରିଛନ୍ତି । ଏହି ବିଷୟକୁ ନେଇ ପଚାରିବାରୁ ଶ୍ରୀ ପାଣିଗ୍ରାହୀ ବ୍ୟବସାୟୀ ଦେବରାଜଙ୍କୁ ଟଙ୍କା ବିଷୟ ଆଲୋଚନା କଲେ ହତ୍ୟା କରିବାର ଧମକ ଦେଉଛନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି। ପୂର୍ବତନ ସଭାପତି ପାଣିଗ୍ରାହୀ ଠକେଇ ମନବୃତ୍ତି ରଖି ଏହି ପରିବା ପାଲି ବ୍ୟବସାୟୀ ମାନଙ୍କ ଠାରୁ ୩୦ ହଜାର ଟଙ୍କା ଲେଖାଏଁ ପ୍ରାୟ ୩୫ ଜଣଙ୍କ ଠାରୁ ୧୦ଲକ୍ଷ ୫୦ହଜାର ଟଙ୍କା ନେଇଥିବା ଏତଲା ଅଭିଯୋଗ ପତ୍ର ରୁ ସୂଚନା ମିଳିଛି । ଏଭଳି ସଙ୍ଗିନ ଅଭିଯୋଗକୁ ନେଇ ପରିବା ବ୍ୟବସାୟୀ ଦେବରାଜ ନାହାକ ୩୫ ଜଣଙ୍କ ସ୍ବାକ୍ଷର ସମ୍ବଳିତ ଏତଲା ଅଭିଯୋଗ ପତ୍ର ଦେଇଥିବା ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସ ପ୍ରକାଶ କରିବା ସହ ଉକ୍ତ ବିଷୟ କୁ କେନ୍ଦ୍ର କରି ହିଞ୍ଜିଳି ଥାନା କେସ ନଂ ୫୨୧/୨୧ ପ୍ରକାରେ ଏତଲା ଗ୍ରହଣ ସହ ଶମ୍ଭୁ ପାଣିଗ୍ରାହୀଙ୍କ ବିରୁଦ୍ଧରେ ପ୍ରାଥମିକ ତଦନ୍ତ ଚାଲୁ ରହିଥିବା ସୂଚନା ଦେଇଛନ୍ତି । ପୂର୍ଣ୍ଣାଙ୍ଗ ତଦନ୍ତ ପରେ ଉକ୍ତ ବିଷୟକୁ ଗଭୀରତାର ସହ ବିଚାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏକ ମୌଖିକ ପ୍ରେସ ବିବୃତ୍ତି ରେ ହିଞ୍ଜିଳି ଥାନା ଅଧିକାରୀ ପ୍ରକାଶ କରିଛନ୍ତି । ପିସିସି ରାଜ୍ଯ ସମ୍ପାଦକ ଶ୍ରୀ ପାଣିଗ୍ରାହୀ ହିଞ୍ଜିଳି କାଟୁ ଘୋଡାହାଡ ନଦୀ କୂଳରେ ଥିବା ଦେବୋତ୍ତର ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ହାଇକୋର୍ଟରେ ରିଟ୍ ପିଟିସନ ଦାୟର କରିଛନ୍ତି। ଦେବୋତ୍ତର ଜମି ଉପରେ ପରିବା ବଜାର ଗଢିଉଠିବା ଘଟଣାରୁ ବିବାଦ ଉପୁଜିଥିବା ନେଇ ଜଣାପଡିଛି।