ପାଞ୍ଚ ନକଲି ଶିକ୍ଷକଙ୍କୁ କାର୍ଯ୍ଯରୁ ବହିଷ୍କର, ଥାନାରେ ମାମଲା ରୁଜୁ ।

0 451

ମାଲକାନଗିରି,୨୭/୧୧(ପିପିଟି): ଆଜି କାଲି ଯେ କୌଣସି ଚାକିରୀ ପାଇଁ ମେରିଟ ଦରକାର । ଏଥି ପାଇଁ ମାର୍କର ଆବଶ୍ଯକତା ହୋଇଥାଏ । ତେବେ ମୁଣ୍ଡରେ ଜ୍ଞାନ ଥାଉ ନଥାଉ,ହେଲେ ସାର୍ଟିଫିକେଟରେ ଯିଏ ଯେତେ ମାର୍କ ରଖିଲା,ଯିଏ ସେତେ ମେରିଟର ହକଦାର । ମେରିଟର ମାୟା ଜାଲରେ ଯୁନକ, ଯୁବତୀମାନେ ଖାଜନ୍ତି ଗଳାବାଟ । ରାଜ୍ଯ ଏବଂ ରାଜ୍ଯ ବାହାରେ ବହୁ ବେସରକାରୀ ଶିକ୍ଷାନୁଷ୍ଠାନ ଏଫିଲେସନ ଆଣି ମୋଟା ଅଙ୍କର ଟଙ୍କା ନେଇ ଦେଇଥାନ୍ତି ମନ ପସନ୍ଦର ମାର୍କ Iବର୍ତ୍ତମାନ ବାସ୍ତବ ଶିକ୍ଷାନୁଷ୍ଠାନରୁ ଯେଉଁମାନେ ସାର୍ଟିଫିକେଟ ପରିଶ୍ରମ କରି ଆଣିଛନ୍ତି, ମାର୍କ କମ ଯୋଗୁଁ ଚାକିରୀ ହାସଲ କରିବା ପ୍ରତିଯୋଗୀତାରେ ହାରିଯାନ୍ତି Iକିନ୍ତୁ ଚତୁର ଏବଂ ଧୂର୍ତ୍ତମାନେ ଶାମ,ଦାମ,ଦଣ୍ଡ ,ଭେଦ ନୀତିରେ ଆଜି କାଲି ସରକାରୀ ଚାକିରୀ ହାତେଇ ବିଳାସ ବ୍ଯସମରେ ଜୀବନ ଅତିବାହିତ କରିଥାନ୍ତି । କିନ୍ତୁ ଯେଉଁମାନେ ଜାଲିଆତି କାମରେ ଧରାପଡନ୍ତି,ଚାକିରୀରୁ ବିଦାୟ ନିଅନ୍ତି,ଯଦି ଥାନାରେ ମାମଲା ହୁଏ,ସେମାନେ ବେଲ ଆଣି ଅନ୍ଯ ଜୀବୀକାରେ ପ୍ରବେଶ କରନ୍ତି ।ମାଲକାନଗିରି ଶିକ୍ଷା ବିଭାଗରେ ୨୦୧୮ ମସିହାରେ ଚୁକ୍ତି ଭିତିକ ପ୍ରାଥମିକ ଶିକ୍ଷକ, ଶିକ୍ଷୟିତ୍ରୀମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିବା ବେଳେ ବିଭିନ୍ନ ରାଜ୍ଯରୁ ସିଟି ଏବଂ ବିଇଡି ସାର୍ଟିଫିକେଟ୍ ମାଧ୍ଯମରେ ସରକାରୀ ଚାକିରୀକୁ ହାତେଇ ଥିଲେ । କିନ୍ତୁ ମାଲକାନଗିରି ଶିକ୍ଷା ବିଭାଗ ବିଭିନ୍ନ ରାଜ୍ଯରୁ ପ୍ରାର୍ଥୀମାନେ ସିଟି,ବିଇଡି ସାର୍ଟିଫିକେଟ୍ ସଂଗ୍ରହ କରି ନିଯୁକ୍ତି ପାଇଥିବା ୧୦୦ରୁ ଉର୍ଦ୍ଧ୍ବ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ଶିକ୍ଷାଗତ ପ୍ରମାଣ ପତ୍ରକୁ ଯାଞ୍ଚ ପାଇଁ ସଂପୃକ୍ତ ଶିକ୍ଷା ଅନୁଷ୍ଠାନକୁ ପଠାଯାଇଥିଲା,ଫଳରେ ୫୦ ଜଣଙ୍କ ଯାଞ୍ଚ ରିପୋର୍ଟ ଶିକ୍ଷା ବିଭାଗର ହସ୍ତ ଗତ ହୋଇଛି । ତନ୍ମଧ୍ଯରୁ ୫ ଜଣଙ୍କ ସିଟି,ବିଇଡି ସାର୍ଟିଫିକେଟ୍ ନକଲି ବୋଲି ଜଣା ପଡିଛି । ସେହି ନକଲି ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ନାମରେ ଥାନାରେ ଅଭିଯୋଗ ଆଗତ ହେଲା ପରେ ସେମାନଙ୍କ ବିରୁଦ୍ଧରେ ମାମଲା ଋଜୁକରା ଯାଇଛି । ସେମାନେ ହେଲେ ସିଦ୍ଧାର୍ଥ ଶଙ୍କର ମହାପାତ୍ର,ସମ୍ବିତ ତ୍ରିପାଠୀ,ରତନ ବିଶ୍ବାସ,ମନୋଜ ରାୟ ଏବଂ ବବିତା ଚୌଧୁରୀ । ସିଦ୍ଧାର୍ଥ ଶଙ୍କର ମହାପାତ୍ର ମାଲକାନଗିରି ବ୍ଲକର ମୁରିଆ ପଲ୍ଲୀ ପିୟୁପିଏସ ରେ ୨୦୧୮ ମସିହାରେ ଚୁକ୍ତି ଭିତିକ ଶିକ୍ଷକ ଚାକିରୀରେ ନିଯୁକ୍ତି ହୋଇ ଶିକ୍ଷାଦାନ କରୁଥିଲେ ମାତ୍ର ଯାଞ୍ଚବେଳେ ତାଙ୍କ ବିଇଡି ସାର୍ଟଫିକେଟ ନକଲି ବୋଲି ଜଣା ପଡିଛି । ତାଙ୍କୁ ଚାକିରୀରୁ ବହିସ୍କାର କରାଯାଇ ମାଲକାନଗିରି ଥାନାରେ ମାମଲା ଋଜୁ କରାଯାଇଛି । ସେ ଏଥି ପାଇଁ ହାଇକୋର୍ଟରେ ଚାଲେଞ୍ଜ କରିଥିବା ଜଣା ପଡିଛି । ସେହିପରି ସମ୍ବିତ ତ୍ରିପାଠୀ ମାଲକାନଗିରି ବ୍ଲକର ଏମଭି-୪୮ ପିୟପିଏସରେ ୨୦୧୮ ମସିହାରେ ଚୁକ୍ତି ଭିତିକ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲା ବେଳେ ଯାଞ୍ଚ ବେଳେ ତାଙ୍କ ବିଇଡି ସାର୍ଟଫିକେଟ୍ ନକଲି ବୋଲି ଜଣା ପଡିଛି, ଏଣୁ ତାଙ୍କ ନାମରେ ମାଲକାନଗିରି ଥାନାରେ ମାମଲା ଋଜୁ ହୋଇଛି । ରତନ ବିଶ୍ବାସ ୨୦୧୮ରେ କାଲିମେଳା ବ୍ଲକର ଚିତ୍ରାଙ୍ଗପଲ୍ଲୀ ପିୟୁପିଏସରେ ଚୁକ୍ତି ଭିତିକ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ,ତେବେ ଯାଞ୍ଚ ବେଳେ ତାଙ୍କ ସିଟି ସାର୍ଟିଫିକେଟ ନକଲି ବୋଲି ଜଣା ପଡିଛି,ଏଣୁ ତାଙ୍କ ନାମରେ ମାଲକାନଗିରି ଥାନାରେ ମାମଲା ଋଜୁ ହୋଇଛି । ମନୋଜ ରାୟ ୨୦୧୮ ମସିହାରେ କାଲିମେଳା ବ୍ଲକର ଏମପିଭି-୮୩ ପୟୁପିଏସରେ ଚୁକ୍ତି ଭିତିକ ଶିକ୍ଷକ ଭାବେ ନିଯୁକ୍ତି ପାଇଥିଲେ,ଯାଞ୍ଚ ବେଳେ ତାଙ୍କ ସିଟି ସାର୍ଟିଫିକେଟ ନକଲି ବୋଲି ଜଣା ପଡିଛି,ତାଙ୍କ ନାମରେ ମାଲକାନଗିରି ଥାନାରେ ମାମଲା ଋଜୁ ହୋଇଛି । ସେହିପରି ବବିତା ଚୌଧୁରୀ ୨୦୧୮ରେ କୋରୁକୋଣ୍ଡା ବ୍ଲକର ନୀଳାକାମ୍ବେରୁ ପିୟୁପିଏସରେ ଚୁକ୍ତି ଭିତିକ ଶିକ୍ଷୟିତ୍ରୀ ଭାବେ ଚାକିରୀ କରୁଥିଲେ, ଯାଞ୍ଚ ବେଳେ ତାଙ୍କ ବିଇଡି ସାର୍ଟିଫିକେଟ ନକଲି ବୋଲି ଜଣା ପଡିଛି । ଏଣୁ ତାଙ୍କ ନାମରେ ଓର୍କେଲ ଥାନାରେ ମାମଲା ଋଜୁ ହୋଇଛି I ସେ ଏହାକୁ କଟକ ହାଇ କୋର୍ଟରେ ଚାଲେଞ୍ଜ କରିଛନ୍ତି । ଆଉ ୫୦ ଜଣ ଶିକ୍ଷକ ଏବଂ ଶିକ୍ଷୟିତ୍ରୀଙ୍କ ସିଟି ଏବଂ ବିଇଡି ଅସଲି କି ନକଲି ଯାଞ୍ଚ ପାଇଁ ସଂପୃକ୍ତ ଶିକ୍ଷାନୁଷ୍ଠାନକୁ ପଠାଯାଇଛି, ତେବେ ସେହି ଅନୁଷ୍ଠାନରୁ ଅଦ୍ଯାବଧି ଯାଞ୍ଚ ରିପୋର୍ଟ ଆସିନଥିବା ଜଣା ପଡିଛି । ରିପୋର୍ଟ ଆସିଲା ପରେ ନକଲି ଶିକ୍ଷକଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ତେବେ ପ୍ରାଥମିକ ଶିକ୍ଷକମାନଙ୍କ ଡିପିଇପି ନବ ନିଯୁକ୍ତି ପ୍ରଦାନ କରିଥିବା ବେଳେ ଚୁକ୍ତି ଭିତିକ ଶିକ୍ଷକ,ଶିକ୍ଷୟିତ୍ରୀମାନଙ୍କୁ ମଧ୍ଯ ସଂପୃକ୍ତ ବିଭାଗ ଦରମା ପ୍ରଦାନ କରିଥାଏ । ତେବେ ପ୍ରଶ୍ନ ଉଠୁଛି ଯେ,ଡିପିଇପି ନିଯୁକ୍ତି ପୂର୍ବରୁ ଅସଲି ଏବଂ ନକଲି ସାର୍ଟିଫିକେଟ୍ ଯାଞ୍ଚ ନକରି କାହିଁକି ଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରୁଛି ଏବଂ ରାଜ୍ଯ ରାଜକୋଷରୁ ଅଯଥାରେ ଅର୍ଥ ଅପଚୟ କରି ମାସିକ ଦରମା ପ୍ରଦାନ କରୁଛି ? ଏଥି ପାଇଁ ଦାୟୀ କିଏ ?
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.