ପରିବେଶ ପ୍ରଭାବ ଆକଳନର ଚିଠା ବିଜ୍ଞପ୍ତି ୨୦୨୦ ସମସ୍ୟାଜନକ ଏବଂ ବିପଦ ପୂର୍ଣ୍ଣ ହୋଇ ଥିବାରୁ ଏକ ଚିଠି ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ଅଧିକ ସମୟ ମାଗନ୍ତୁ ।

0 330

ବ୍ରହ୍ମପୁର, ୧୧/୦୮(ପିପିଟି); ପ୍ରାକୃତିକ ବିପର୍ଯ୍ୟୟରେ ଅଧିକ ଆର୍ଥିକ ସମସ୍ୟା ସହିତ ସଂଘର୍ଷ କରୁଥିବା ଓଡିଶା ଅଧିକ ସମସ୍ୟା ଭିତର ଦେଇ ଗତି କରିବାର ସମ୍ଭାବନା ରହିଛି କାରଣ ପରିବେଶ ପ୍ରଭାବ ଆକଳନ ପାଇଁ ଏକ ଚିଠା ବିଜ୍ଞପ୍ତି ଗତ ଜାରି କରାଯାଇଥିଲା, କରୋନା ଆଳରେ ଯଦି ଲୋକସଭା, ରାଜ୍ୟସଭା ଓ ବିଧାନସଭାରେ ବିଷଦ ଆଲୋଚନା ସହ ବିଶିଷ୍ଟ ପରିବେଶବିତ ଓ ଗ୍ରାମସଭା ମାନଙ୍କ ସହ ଆଲୋଚନା ନହୋଇ କାର୍ଯ୍ୟକାରୀ ହୁଏ ତେବେ ସମଗ୍ର ଦେଶ ସହିତ ଆମରାଜ୍ୟର ଭବିଷ୍ୟତ ଅନ୍ଧକାର ହୋଇଯିବ । ସେଥିପାଇଁ ମାନ୍ୟବର ତୁରନ୍ତ କେନ୍ଦ୍ର ପରିବେଶ ମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି ଅଧିକରୁ ଅଧିକ ସମୟ ଚର୍ଚ୍ଚା କରିବା ପାଇଁ ମାଗନ୍ତୁ । ନଚେତ ଭବିଷ୍ୟତ ବଂଶଧରମାନେ କେବେ ମଧ୍ୟ କ୍ଷମା ପ୍ରଦାନ କରିବେ ନାହିଁ । ମାର୍ଚ୍ଚ ୨୦୨୦ ରେ ପରିବେଶ ପ୍ରଭାବ, ଜଙ୍ଗଲ ଏବଂ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (MoEFCC) ଦ୍ୱାରା ପରିବେଶ ପ୍ରଭାବ ଆକଳନ ପାଇଁ ଏକ ଚିଠା ବିଜ୍ଞପ୍ତି ଜାରି କରାଯାଇଥିଲା। ଏହି ବିଜ୍ଞପ୍ତି ୨୦୦୬ ପରିବେଶ ପ୍ରଭାବ ଆକଳନର ବିଜ୍ଞପ୍ତିକୁ ବଦଳାଇବ । ଏହାର ଶୀଘ୍ର ପ୍ରତ୍ୟାହାର କରିବାକୁ ପରିବେଶବିତ ମାନେ ଦାବି କରୁଛନ୍ତି। ଏହି ପରିବେଶ ପ୍ରଭାବ ଆକଳନର ବିଜ୍ଞପ୍ତିରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ମାନ୍ୟତା ନ ଥିବା ବେଳେ ଅନ୍ତର୍ଜାତୀୟ ସ୍ତରରେ ପରିବେଶ ମାନଦଣ୍ଡର ପ୍ରତିଷ୍ଠିତ ନୀତିକୁ ମଧ୍ୟ ବିରୁଦ୍ଧାଚରଣ କରୁଛି । ପରିବେଶ ପ୍ରଭାବ ଆକଳନ ରିପୋର୍ଟରେ ଏକ ପ୍ରକଳ୍ପ, ପରିବେଶ ଉପରେ କିପରି ପ୍ରଭାବ ପକାଇବ ତାହା ଉଲେଖ ଥାଏ । ସେହି ରିପୋର୍ଟଟି ପ୍ରକାଶିତ କରାଯାଇ ଏକ ଜନ ଶୁଣାଣି ପ୍ରକ୍ରିୟା ସରକାରଙ୍କ ଦ୍ୱାରା ଅନୁଷ୍ଠିତ କରାଯାଏ । ଯେଉଁଠାରେ ପ୍ରକଳ୍ପ ପ୍ରଭାବିତ ଲୋକଙ୍କର ଆପତ୍ତି ଶୁଣାଯାଏ । ପରବର୍ତୀ ସମୟରେ ପରିବେଶ ବିଶେଷଜ୍ଞ ମୂଲ୍ୟାଙ୍କନ କମିଟି ପ୍ରକଳ୍ପର ଏକ ଚୂଡ଼ାନ୍ତ ମୂଲ୍ୟାଙ୍କନ ରିପୋର୍ଟ ପ୍ରସ୍ତୁତ କରି ଏହାକୁ ପରିବେଶ ଏବଂ ଜଙ୍ଗଲ ମନ୍ତ୍ରଣାଳୟକୁ ପଠାଯାଏ।ଏହାକୁ ଆଧାର କରି ମନ୍ତ୍ରଣାଳୟ ପ୍ରକଳ୍ପକୁ ଅନୁମୋଦନ କିମ୍ବା ପ୍ରତ୍ୟାଖ୍ୟାନ କରେ। ଏହା ପ୍ରକ୍ରିୟାର ମୌଳିକ ସିଦ୍ଧାନ୍ତ ହେଉଛି ଯେ ପ୍ରକଳ୍ପ କରିବା ପୂର୍ବରୁ ସଠିକ ଭାବେ ଚିନ୍ତା ଏବଂ ଯୋଜନା କରିବା ଆବଶ୍ୟକ ଯାହାଦ୍ୱାରା ଜଣଙ୍କର ବି ସ୍ୱାସ୍ଥ୍ୟ ବା ପରିବେଶ ପାଇଁ ଅନାବଶ୍ୟକ ବିପଦ ସୃଷ୍ଟି କରିବ ନାହିଁ । ପରିବେଶ ପ୍ରଭାବ ଆକଳନର ନୂତନ ଚିଠା ଏହି ତର୍କକୁ ଦୁରେଇ ଯିବାକୁ ଚେଷ୍ଟା କରୁଚି । ଯେପରିକି ପରିବେଶ ବିଜ୍ଞପ୍ତି ପାଇବାକୁ ଚାହୁଁଥିବା କୌଣସି ପ୍ରକଳ୍ପର ପରିବେଶ ପ୍ରଭାବ ଆକଳନ ରିପୋର୍ଟରେ ଜନସାଧାରଣଙ୍କୁ ସେମାନଙ୍କ ପ୍ରତିକ୍ରିୟା ସରକାରଙ୍କ ନିକଟରେ ଦାଖଲ କରିବାକୁ ପୂର୍ବ ବିଜ୍ଞପ୍ତି ଅନୁସାରେ ତିରିଶ ଦିନର ଅବଧି ଥିବାବେଳେ ବର୍ତ୍ତମାନ କୋଡିଏ ଦିନକୁ ହ୍ରାସ କରାଯାଇଛି। ବିପଦ ହେଉଛି ଯଦି ଏହି ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହୋଇଥିବା ଲୋକଙ୍କୁ ମତାମତ ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯାଇ ନ ଥାଏ, ତେବେ ଏହିପରି ଜନ ଶୁଣାଣି ଅର୍ଥପୂର୍ଣ୍ଣ ହେବ ନାହିଁ। ଯଦ୍ୱାରା ସମଗ୍ର ପ୍ରକ୍ରିୟାରେ ସ୍ୱଚ୍ଛତା ଏବଂ ବିଶ୍ୱସନୀୟତା ଅଭାବ ରହିବ । ଅଧିକନ୍ତୁ, ସମୟ ହ୍ରାସ ଦ୍ୱାରା ଲୋକମାନଙ୍କ ପାଖରେ ସୂଚନା ସହଜରେ ଉପଲବ୍ଧ ହୋଇପାରିବ ନାହିଁ । ୨୦୧୬ ଅଧିନିୟମରେ, (ବର୍ଗ ଏ) ରେ ଜାତୀୟ ରାଜପଥକୁ ଦିଆଯାଇଥିଲା ଯାହା ୩୦ କିଲୋମିଟରରୁ ଅଧିକ, ୨୦ ମିଟର ରାସ୍ତାର ଚୌଡା ଥିବା। ଯାହାକୁ ସର୍ବୋଚ୍ଚ ସ୍ତରର ଯାଞ୍ଚ କରିବା ଆବଶ୍ୟକ ଥିଲା । ବର୍ତ୍ତମାନ ଚିଠାରେ ଯାଞ୍ଚ ପାଇଁ ୧୦୦ କିଲୋମିଟର ରାଜପଥ ଓ ଚୌଡା ୭୦ ମିଟର ରାସ୍ତାର ଆବଶ୍ୟକ। ଜାତୀୟ ରାଜପଥ, ରାଜ୍ୟ ରାଜପଥର ସମ୍ପ୍ରସାରଣ ଓ ପ୍ରସାରଣ, ଏକ୍ସପ୍ରେସ ରାସ୍ତା, ମଲ୍ଟି ମୋଡାଲ୍ କରିଡ଼ରକୁ ତାଲିକା “ବି ୨”ରେ ରଖାଯାଇଛି ଏବଂ ଏହାକୁ ପୂର୍ଣ୍ଣ ମୂଲ୍ୟାଙ୍କନ ଓ ସାର୍ବଜନୀନ ଶୁଣାଣିରୁ ବାଦ ଦିଆଯାଇଛି। ନୂତନ ଚିଠା ଅଧିକାଂଶ ରିଅଲ୍ ଇଷ୍ଟେଟ୍ ଏବଂ ନିର୍ମାଣକୁ ଯାଞ୍ଚରୁ ଛାଡ଼ କରୁଛି। ଏହାପୂର୍ବରୁ, ୨୦,୦୦୦ ବର୍ଗ ମିଟର ବିଶିଷ୍ଟ ଅଟ୍ଟାଳିକା ରାଜ୍ୟ ସ୍ତରୀୟ ଯାଞ୍ଚର ଆବଶ୍ୟକ କରୁଥିଲା ବର୍ତ୍ତମାନ ଏହାକୁ ୧,୫୦,୦୦୦ ବର୍ଗ ମିଟରକୁ ବୃଦ୍ଧି କରାଯାଇଛି, ଅର୍ଥାତ୍ ଅଧିକାଂଶ ନିର୍ମାଣ ପ୍ରକଳ୍ପର ଯାଞ୍ଚର ଆଵଶ୍ୟକତା ନାହିଁ । ଏହି ପଦକ୍ଷେପଟି ଉଦବେଗଜନକ ଜନକ, କାରଣ ନିର୍ମାଣ ଶିଳ୍ପ ହେଉଛି ପ୍ରଦୂଷିତ ଶିଳ୍ପଗୁଡ଼ିକ ମଧ୍ୟରୁ ଅନ୍ୟତମ ଏବଂ ସହରାଞ୍ଚଳରେ ଏହା ବାୟୁ ପ୍ରଦୂଷଣ ସ୍ତର ବୃଦ୍ଧିରେ ପ୍ରମୁଖ ଯୋଗଦାନକାରୀ ଅଟେ। ନୂତନ ଚିଠା ନୀତି ଅନୁଯାୟୀ, ପ୍ରକଳ୍ପଗୁଡିକ ପାଇଁ ପୋଷ୍ଟ-ଫାକ୍ଟୋ ଅନୁମୋଦନ ଦିଆଯିବ। ଏହା ସୂଚେଇ ହେଉଛି ଯେ ପ୍ରକଳ୍ପଗୁଡିକ ପରିବେଶ ମଞ୍ଜୁର ନକରି ନିର୍ମାଣ କାର୍ଯ୍ୟ ଆରମ୍ଭ କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ମଞ୍ଜୁରୀ ଦିଆଯିବ। ଏହା ଦ୍ୱାରା ପ୍ରକଳ୍ପ ଦ୍ୱାରା ସୃଷ୍ଟି ହୋଇଥିବା କୌଣସି ପରିବେଶ କ୍ଷତିକୁ ଛାଡ ହେବାର ସମ୍ଭାବନା ରହିଛି। ଏହାର ଏକମାତ୍ର ପ୍ରତିକାର ହେବ ଜୋରିମାନା କିମ୍ବା ଦଣ୍ଡ । ପୋଷ୍ଟ ଫାକ୍ଟୋ ଅନୁମୋଦନ ପରିବେଶ ରକ୍ଷା ପାଈଁ ମୌଳିକ ନୀତିଗୁଡିକର ଅବମାନନା ଏବଂ “ସତର୍କତା ନୀତି” ର ଉଲ୍ଲଂଘନ । ୨୦୧୭ ରେ ତାମିଲନାଡୁର ପ୍ରକଳ୍ପଗୁଡିକୁ ଦିଆଯାଇଥିବା ପୋଷ୍ଟ-ଫାକ୍ଟୋ ମଞ୍ଜୁରୀକୁ ମାଡ୍ରାସ ହାଇକୋର୍ଟ ଖାରଜ କରିଦେଇଥିଲେ । ୨୦୦୬ ବିଜ୍ଞପ୍ତିରେ ଆବଶ୍ୟକ ଥିଲା ଯେ ପ୍ରକଳ୍ପ ପ୍ରସ୍ତାବକ ପ୍ରତି ଛଅ ମାସରେ ଏକ ରିପୋର୍ଟ ଦାଖଲ କରିବେ, ଯେଉଁଥିରେ ଦିଆ ଯାଇ ଥିବା ସର୍ତ୍ତ ଅନୁଯାୟୀ କାର୍ଯ୍ୟକଳାପ କରୁଛନ୍ତି । ନୂତନ ବିଜ୍ଞପ୍ତିରେ, ଦାଖଲ କେବଳ ବର୍ଷରେ ଥରେ କରିବାକୁ ପଡିବ ଅର୍ଥାତ୍ ୩୦ ଜୁନ୍ ଅନ୍ଲାଇନ୍ ପୋର୍ଟାଲରେ । ଏହି ବର୍ଷକ ଅବଧି ମଧ୍ୟରେ, କିଛି ଅପୂରଣୀୟ ପରିବେଶ, ସାମାଜିକ କିମ୍ବା ସ୍ୱାସ୍ଥ୍ୟ ଗତ କ୍ଷତି ହୋଇପାରେ । ଉଦାହରଣ ସ୍ୱରୂପ , ଯଦି ଏକ ସ୍ଥାନରେ ଖଣି ପ୍ରକଳ୍ପ ଦ୍ୱାରା ବାୟୁ ଓ ଜଳକୁ ଦୂଷିତ କରେ, ତେବେ ରିପୋର୍ଟ ଟିକୁ ଅଧା ବର୍ଷ ବଦଳରେ ବର୍ଷକ ପରେ ଦିଆଯିବ ଏହି ସମସ୍ୟାର ସମାଧାନ କରିବାରେ ସହାୟକ ହୋଇ ନ ପାରେ । ଚିଠା ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସରକାର କିଛି ପ୍ରକଳ୍ପଗୁଡ଼ିକୁ “ରଣନୀତିକ” ପ୍ରକଳ୍ପ ଭାବେ ଶ୍ରେଣୀ ଭୁକ୍ତ କରିବାର କ୍ଷମତା ପାଇବେ । ଯେପରିକି ଜଳସେଚନ ପ୍ରକଳ୍ପର ଆଧୁନିକୀକରଣ, ଜାତୀୟ ପ୍ରତିରକ୍ଷା ତଥା ନିରାପତ୍ତା ସମ୍ବନ୍ଧୀୟ ସମସ୍ତ ପ୍ରକଳ୍ପ କିମ୍ବା କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା କିଛି ପ୍ରକଳ୍ପ ଇତ୍ୟାଦି । ଏହା ପାଇଁ ବିଶେଷଜ୍ଞ କମିଟି ଦ୍ୱାରା “ବିସ୍ତୃତ ଯାଞ୍ଚ” ଆବଶ୍ୟକ, ପରିବେଶ ପ୍ରଭାବ ଆକଳନ କିମ୍ବା ଜଣ ଶୁଣାଣି ର ଆବଶ୍ୟକତା ନାହିଁ। ଅଧିକନ୍ତୁ, ଜାତୀୟ ପ୍ରତିରକ୍ଷା ଏବଂ ନିରାପତ୍ତା ସମ୍ବନ୍ଧୀୟ ପ୍ରକଳ୍ପ କିମ୍ବା ଅନ୍ୟାନ୍ୟ ରଣନୀତିକ ବିଚାର ସହିତ ଜଡିତ କୌଣସି ସୂଚନା ଯାହା କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିର ହେବ ତାହା ସର୍ବସାଧାରଣରେ ସ୍ଥାନିତ ହେବ ନାହିଁ । ଏହାର ଅର୍ଥ ହେଉଛି ଏହି ପ୍ରକଳ୍ପଗୁଡିକର EIA ପ୍ରକ୍ରିୟାରେ କମ୍ ସ୍ୱଚ୍ଛତା ରହିବ ଏବଂ ଜନସାଧାରଣଙ୍କ ଅଂଶଗ୍ରହଣ ସୀମିତ ରହିବ କିମ୍ବା ରହିବ ନାହିଁ । ସାମ୍ପ୍ରତିକ ଉଦାହରଣ ହେଉଛି ୭ ମାର୍ଚ୍ଚ ୨୦୨୦ରେ ଵିଶାଖାପାଟନମ୍ ଥିବା ଏଲଜି ପଲିମର କାରଖାନାରେ ଗ୍ୟାସ୍ ଲିକର ଘଟଣା, ଯାହା ଦ୍ବାରା ୧୨ ଜଣଙ୍କର ମୃତ୍ୟୁ ଘଟିଥିଲା ଏବଂ ଶହ ଶହ ଲୋକ ଅସୁସ୍ଥ ହୋଇପଡିଥିଲେ। ଏହି ୟୁନିଟ୍ ପରିବେଶ ମଞ୍ଜୁରୀ(EC) ବିନା କାର୍ଯ୍ୟ କରୁଥିଲା, ଏବଂ ଏକ ପ୍ରଚଳିତ ପରିବେଶ ମଞ୍ଜୁରୀ ଅନୁଦାନ ପାଇଁ ବିବେଚନା କରାଯାଉଥିଲା । ଆସାମରେ ଅବସ୍ଥିତ ଅଏଲ ଇଣ୍ଡିଆ ଲି ଦ୍ବାରା ଚାଲିଥିବା ଗ୍ୟାସ ରିଗରେ ନିଆଁ ଲାଗିବା ପୂର୍ବରୁ ଅନବରତ ଭାବେ ୧୨ ଦିନ ଯାଏଁ ଗ୍ୟାସ ନିର୍ଗତ ହେଉଥିଲା। ନିର୍ଗତ ଗ୍ୟାସରେ ତେଲ ସହ ବିଷାକ୍ତ ଗ୍ୟାସ ଯେପରିକି ମିଥେନ, ପ୍ରୋପେନ ଓ ପ୍ରୋପାଇଲିନ ଅବିରତ ଭାବେ ବହୁଥିଲା ଏବଂ ଏହି ଘନୀଭୂତ ତେଲ ପାଖରେ ଥିବା କୃଷି କ୍ଷେତ୍ରରେ ଗଭୀର ପ୍ରଭାବ ପକାଇଛି। ରାଜ୍ୟ ପ୍ରଦୂଷଣ ବୋର୍ଡ ଆସାମ ରିପୋର୍ଟ କରିଛି ଯେ ଏହି ତୈଳ କମ୍ପାନୀ ବୋର୍ଡର ପୂର୍ବ ସମ୍ମତି ବିନା ୧୫ ବର୍ଷରୁ ଅଧିକ ସମୟ ଧରି କାର୍ଯ୍ୟ କରୁଛି। ଏହା ସଂରକ୍ଷିତ ଜଙ୍ଗଲଠାରୁ ମାତ୍ର କିଛି କିଲୋମିଟର ଦୂରରେ ଅବସ୍ଥିତ । ଯଦିଓ ଇ.ଆଇ.ଏ ଯୋଜନା ପରିସର ଅନ୍ତର୍ଭୁକ୍ତ ପ୍ରକଳ୍ପଗୁଡିକରେ ବନ୍ୟଜନ୍ତୁ ଏବଂ ସେମାନଙ୍କ ପ୍ରାକୃତିକ ବାସସ୍ଥାନ ଉପରେ ଗଭୀର ପ୍ରଭାବ ପଡୁଛି, କିନ୍ତୁ ଇ.ଆଇ.ଏ ପ୍ରକ୍ରିୟାରେ ଏହି ଚିନ୍ତାଜନକ ବିଷୟଗୁଡିକୁ ନିରାକରଣ ଦିଗରେ ବିଫଳ ସାବ୍ୟସ୍ତ ହୋଇଛି। ଏପରିକି ଅଧିସୂଚନା ଜାରି କରିବା ସମୟରେ ଏହି ବିଷୟଗୁଡ଼ିକୁ ଧ୍ୟାନ ଦିଆ ଯାଇନାହିଁ । ପରିବେଶ ପ୍ରଭାବ ଆକଳନ ନିୟମକୁ ଏକ ପ୍ରତିବନ୍ଧକ ଭାବରେ ଦେଖାଯିବା ଉଚିତ ନୁହେଁ ବରଂ ଏହା ବ୍ୟବସାୟ ଦ୍ୱାରା ଏକ ପୂର୍ବ ଯାଞ୍ଚ ଭାବରେ ବିବେଚନା କରାଯିବା ଉଚିତ । ଆମା ପରିବେଶକୁ ସୁରକ୍ଷିତ କରିବାକୁ ହେଲେ ସମଷ୍ଟିଙ୍କୁ ଏଥିରେ ସାମିଲ କରିବାକୁ ପଡିବ। ରିଓ ସମ୍ମୀଳନୀ ର ନୀତି ୧୦ ପ୍ରତି ପ୍ରତିବଦ୍ଧତା ଅନୁପାଳନ କରି ସରକାର ଜନସାଧାରଣଙ୍କ ଅଂଶଗ୍ରହଣକୁ ନିଶ୍ଚିତ କରିବା ଉଚିତ । ଦେଶର ନାଗରିକ ଏବଂ ଆଖପାଖ ଅଞ୍ଚଳର ଲୋକଙ୍କୁ ଯେଉଁମାନେ ଏହି ପ୍ରକଳ୍ପ ପାଇଁ ଅଧିକ ଅସୁରକ୍ଷିତ, ସେମାନଙ୍କୁ ଶୁଣାଣି ପାଇଁ ପର୍ଯ୍ୟାପ୍ତ ସମୟସୀମା ସହିତ ଏକ ଉଚିତ ସୁଯୋଗ ଦିଆଯିବା ଆବଶ୍ୟକ । ତେଣୁ, ଆଜିର ମୁହୂର୍ତରେ ଆବଶ୍ୟକତା ହେଉଛି ଯେ ସରକାର ଚିଠାରେ ପ୍ରସ୍ତାବିତ ପରିବର୍ତ୍ତନଗୁଡ଼ିକର ପୁନର୍ବିଚାର କରିବା ଏବଂ ଅଧିକ ଜନସାଧାରଣଙ୍କ ଅଂଶଗ୍ରହଣକୁ ଉତ୍ସାହିତ କରି ମଞ୍ଜୁରୀ ପ୍ରକ୍ରିୟାକୁ ଅଧିକ ଭାଗିଦାରୀ କରିବା ସହିତ ପରିବେଶ କୁ ସୁରକ୍ଷିତ କରିବା ପାଇଁ ଧ୍ୟାନ ଦେବା ଉଚିତ ।

Leave A Reply

Your email address will not be published.