ତିନି ଅନାଥ ପିଲାଙ୍କୁ ଥଇଥାନ ଲାଗି ପ୍ରଶାସନର ତତ୍ପର ।

0 234

ମାଲକାନଗିରି,୧୫/୦୧(ପିପିଟି): ବିଭିନ୍ନ ଗଣ ମାଧ୍ଯମରେ “କୁନି ବୟସରେ ମୁଣ୍ଡାଇଛି ପରିବାରର ବୋଝ” ଶୀର୍ଷକ ଖବର ପ୍ରକାଶ ପାଇବା ପରେ ପ୍ରଶାସନ ତତ୍ପରତା ଦେଖାଇ ସନ୍ଧ୍ୟା ପରିବାରକୁ ବଢ଼ାଇଛି ସହାୟତାର ହାତ । ଉକ୍ତ ପରିବାରକୁ ଥଇଥାନ କରିବାକୁ ଚିତ୍ରକୋଣ୍ଡା ବିଡ଼ିଓ ରାହୁଳ ମଣ୍ଡଳଙ୍କ ନିର୍ଦ୍ଦେଶ କ୍ରମେ ବିଏସଏସଓ ଇନଚାର୍ଜ ଅମର ମାଡ଼କାମି ସନ୍ଧ୍ୟା ପରିବାର ପାଖରେ ପହଞ୍ଚି ଏନଏଫବିଏସ ଯୋଜନାରେ ଉକ୍ତ ପରିବାରକୁ କୋଡିଏ ହଜାର ଟଙ୍କାର ସହାୟତା କରିବାକୁ ସମସ୍ତ ତଥ୍ୟ ଓ ଆବଶ୍ଯକ କାଗଜ ପତ୍ର ନେବା ସହ ତୁରନ୍ତ ଉକ୍ତ ପରିବାରକୁ ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯିବ । ସେହିପରି ମାଲକାନଗିରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶିବନାଥ ନାୟକ ସନ୍ଧ୍ୟା ପରିବାର ପାଖରେ ପହଞ୍ଚି ଥଇଥାନ କରିବା ପାଇଁ ତିନି ବର୍ଷ ପର୍ଯ୍ୟନ୍ତ ଷ୍ଟେଟ ସ୍ପନସରସିପ ଯୋଜନାରେ ମାସିକ ଦୁଇ ହଜାର ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ସନ୍ଧ୍ୟା ଓ ଦୁଇ ଭାଇଙ୍କୁ ରଖି ମାଗଣାରେ ଖାଇବା, ରହିବା ଓ ପାଠ ପଢାଇବାକୁ ପ୍ରତିଶ୍ରୁତି ଦେଇ ପିଲାମାନଙ୍କୁ ଜିଲା ଶିଶୁ ସୁରକ୍ଷା କାର୍ଯ୍ୟାଳୟକୁ ନିଆଯାଇଛି । ପ୍ରକାଶ ଥାଉ କି ,ଚିତ୍ରକୋଣ୍ଡା ପଞ୍ଚାୟତ ବେନିଆଗୁଡ଼ା ଗ୍ରାମରେ ୬ ଜଣ ସଦସ୍ଯକୁ ନେଇ ଲାଜର ଖୋସଲାଙ୍କ ପରିବାର । ଉଭୟ ସ୍ୱାମୀ ଏବଂ ସ୍ତ୍ରୀ ଚନ୍ଦ୍ରା ଖୋସଲା କୁଲି ମଜୁରୀ କରି ଛୋଟ ଝାଟି ମାଟି କୁଡ଼ିଆରେ ବୃଦ୍ଧା ମା’ ଅଳଙ୍କମଣି ଖୋସଲା ଏବଂ ଛୋଟ ଛୋଟ କୁନି କୁନି ପିଲା ଝିଅ ସନ୍ଧ୍ୟା ଓ ଦୁଇ ପୁଅ ବିକି ଓ ଅଭିକୁ ନେଇ ସେମାନଙ୍କ ପରିବାର । କିଛି ଦିନ ପରେ ସ୍ତ୍ରୀ ଚନ୍ଦ୍ରା ଖୋସଲାର ମାନସିକ ବିକୃତ ହେଲା । ପାଞ୍ଚ ବର୍ଷ ହେଲା ପାଗଳୀ ହୋଇ କୁଆଡେ ହଜିଗଲା । ପାଗଳୀ ସ୍ତ୍ରୀର ଫେରିବା ପଥକୁ ଚାହିଁ ଚାହିଁ ଗଭୀର ବିଷାଦରେ ମିୟମ୍ରାଣ ହୋଇ ଲାଜର ଖୋସଲା ୩ ବର୍ଷ ହେଲା ଆରପାରିକୁ ଚାଲିଗଲା । ଉଜୁଡି ଭାଙ୍ଗି ଗଲା ଲାଜର ପରିବାର । ମା’ ଓ ବାପା ଛେଉଣ୍ଡ ହୋଇ ଗଲେ ୩ ପିଲା । କେବଳ ବୃଦ୍ଧା ଜେଜେମାକୁ ସାହା ଭରଷା ହୋଇ ଆଜି ଯାଏଁ ବଞ୍ଚି ଆସିଛନ୍ତି ସନ୍ଧ୍ୟା,କୁନା ଓ ଅଭି । ଏମାନେ ଥଇଥାନ ହୋଇ ବଞ୍ଚିବାକୁ ନା ଅଛି ଜମି ବାଡ଼ି ,ନା ଅଛି ଘର ,ନା ଅଛି ରୋଜଗାର ପନ୍ଥା, ନା ଅଛି କୁଲି ମଜୁରୀ । ଅଭାବ ଅନାଟନରେ ଓଳିଏ ଖାଇ ଓଳିଏ ଓପାଷ ରହି ବଞ୍ଚି ଆସୁଥିଲେ ବୁଢି ଜେଜେ ଏବଂ ୩ ଅନାଥ ପିଲା । କେବଳ ବୃଦ୍ଧା ଜେଜେ ମା’କୁ ମିଳୁଥିଲା ୩୫ କେଜି ଚାଉଳ ଓ ବାର୍ଦ୍ଧକ୍ଯ ଭତ୍ତା । ଏତିକି ମାତ୍ର ସରକାରୀ ସହାୟତାରେ ଚାରି ପ୍ରାଣୀଙ୍କ ବଞ୍ଚିବା ଲାଗି ସଂଘର୍ଷ । ଭୋକର ଜ୍ବଳା ଓ ଅଭାବ ଅନାଟନ ଭିତରେ ସନ୍ଧ୍ୟା ନିଜେ ସପ୍ତମ ଶ୍ରେଣୀରୁ ପାଠ ଛାଡ଼ି ବହି ବସ୍ଥାନୀରେ ଡୋରି ବାନ୍ଧିଲା । ପରିବାର ଅଭାବକୁ ଦୂର କରିବା ତଥା ଛୋଟ ଛୋଟ ଦୁଇ ଭାଇ ପେଟକୁ ମୁଠେ ଦାନା ଯୋଗାଇବା ପାଇଁ ଶୈଶବ ବୟସରେ କୁଲି ମଜୁରୀ କରିବାକୁ ଅଣ୍ଟା ଭିଡ଼ିଲା ଝିଅ ସନ୍ଧ୍ୟା । ଏବେ ସେ କୁନି ବୟସରେ ମୁଣ୍ଡାଉଛି ପରିବାରର ବୋଝ। ଏହା ଗଣ ମାଧ୍ଯମର ଶିରୋନାମା ପାଲଟିଲା ପରେ ତତ୍ପରତା ଦେଖାଇଛି ଜିଲ୍ଲା ପ୍ରଶାସନ ଅନାଥ ପିଲାଙ୍କୁ ଥଇଥାନ କରିବା ପାଇଁ ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ, ମାଲକାନଗିରି)

Leave A Reply

Your email address will not be published.